ନୂଆଦିଲ୍ଲୀ,୨୨।୩:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଚିଲେ ନୂତନ କୀର୍ତ୍ତିମାନ। ସେ ଭାରତର ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଥିବା ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବରେ ହାସଲ କରିଛନ୍ତି ସଫଳତା। ସେ ମୁଖ୍ୟମନ୍ତ୍ରୀ (ଗୁଜରାଟ) ଓ ପ୍ରଧାନମନ୍ତ୍ରୀ ଉଭୟ ପଦକୁ ମିଶାଇ ମୋଟ ୮,୯୩୧ ଦିନ ପୂରଣ କରିଛନ୍ତି। ସେ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମାଲିଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୧ ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ କାମ କରିଥିଲେ।ଏହାପରେ ୨୦୧୪ ରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ୨୦୧୪, ୨୦୧୯ ଓ ୨୦୨୪ ରେ ଲଗାତାର ତିନି ଥର ନିର୍ବାଚନ ଜିତି ସରକାର ଗଠନ କରିଛନ୍ତି। ମୋଦି ଭାରତରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଗାତାର କ୍ଷମତାରେ ରହିଥିବା ନେତା ପାଲଟିଛନ୍ତି।

ନରେନ୍ଦ୍ର ମୋଦି ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ୨୧ ମଇ ୨୦୧୪ ପର୍ଯ୍ୟନ୍ତ ୧୩ ବର୍ଷ ଧରି ଏହି ପଦବୀରେ ରହିଥିଲେ। ତା’ପରେ ସେ ୨୬ ମଇ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ, ସେ ୨୦୧୪, ୨୦୧୯ ଏବଂ ୨୦୨୪ରେ ଲଗାତାର ତିନୋଟି ଲୋକସଭା ନିର୍ବାଚନ ମାଧ୍ୟମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସରକାରର ନେତୃତ୍ୱ ନେଇଛନ୍ତି। ମୋଦି ଗୁଜରାଟର ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେବା କରିଥିବା ମୁଖ୍ୟମନ୍ତ୍ରୀ ଥିଲେ। ତା ଛଡା ସେ ଏଭଳି ପ୍ରଧାନମନ୍ତ୍ରୀ ଯାହାଙ୍କ ପାଖରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପରେ ସବୁଠାରୁ ଅଧିକ ପୂର୍ବ ଅନୁଭବ ରହିଛି।

୨୦୨୬ ଆରମ୍ଭରୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନଷ୍ଟାଗ୍ରାମରେ ୧୦୦ ମିଲିୟନ (୧୦ କୋଟି) ଫଲୋଅର୍ସ ପାର କରିଛନ୍ତି। ଏହି ପ୍ଲାଟଫର୍ମରେ ଉପଲବ୍ଧି ହାସଲ କରିବାରେ ପ୍ରଥମ ବିଶ୍ୱ ନେତା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ରେ ଇନଷ୍ଟାଗ୍ରାମରେ ଯୋଗ ଦେଇଥିଲେ। ଗତ ୧୦ ବର୍ଷ ମଧ୍ୟରେ, ବିଶ୍ୱ ନେତାମାନଙ୍କ ମଧ୍ୟରେ ତାଙ୍କ ଆକାଉଣ୍ଟ ସବୁଠାରୁ ସକ୍ରିୟ ରହିଛି। ସେଭଳି ଏକ୍ସ (ପୂର୍ବରୁ ଟ୍ୱିଟର) ରେ ୧୦୬ ମିଲିୟନ ବା ୧୦ କୋଟି ୬୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

ପିଏମ୍ ମୋଦିଙ୍କୁ ତାଙ୍କ ରେକର୍ଡ ପାଇଁ ରାଜନୈତିକ ବର୍ଗର ନେତାମାନେ ଅଭିନନ୍ଦନ ଜଣାଉଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ଶାସନ କରୁଥିବା ସରକାର ମୁଖ୍ୟ ହୋଇଛନ୍ତି, ସେବା, କଠିନ ପରିଶ୍ରମ ଏବଂ ସମର୍ପଣର ଉଦାହରଣ ସ୍ଥାପନ କରିଛନ୍ତି। ସେ ମୋଟ ୮,୯୩୧ ଦିନ ପୁରା କରି ପବନ କୁମାର ଚାମଲିଙ୍ଗ ରେକର୍ଡ ଭାଙ୍ଗିଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀରୁ ନେଇ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଦେଶହିତ, ପାରଦର୍ଶିତା ଓ ନିରନ୍ତର ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଯାହାକୁ ଏକ ଦୁର୍ଲଭ ଓ ଭରସା ଉପରେ ଆଧାରିତ ଐତିହ ଭାବରେ ଦେଖାଯାଏ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଏମ୍ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ପିଏମ୍ ମୋଦିଙ୍କ ବହୁ ବର୍ଷର ପରିଶ୍ରମ ଓ ସେବା ଦେଶରେ ବଡ଼ ପରିବର୍ତ୍ତନ ଆଣିଛି। ଗରିବଙ୍କ ପାଇଁ ଯୋଜନା,ବିକାଶର ନୂଆ କାମ ଓ ଦୁନିଆରେ ଭାରତର ପରିଚୟ ମଜବୁତ କରିବା ଭଳି ପଦକ୍ଷେପ ତାଙ୍କୁ ଦେଶକୁ ଆଗକୁ ବଢାଇବାକୁ ଚେଷ୍ଟା କରିଛି। ସେ ୨୪ ବର୍ଷ ଧରି ବିନା ଛୁଟିରେ ଲଗାତାର କାମ କରିଛନ୍ତି,ଯାହାକି ତାଙ୍କର ପରିଶ୍ରମ ଓ ସମର୍ପଣକୁ ଦର୍ଶାଉଛି।