ନୂଆଦିଲ୍ଲୀ,୧୭/୧୨: ଜୋର୍ଡାନ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଥିଓପିଆରେ ପହଞ୍ଚିଛନ୍ତି । ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି । ରାଜଧାନୀ ଅଦିସ ଅବାବାର ବିମାନବନ୍ଦରରେ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବୀ ଅହମ୍ମଦ ଅଲ୍ଲୀ ଆଲିଙ୍ଗନ କରି ମୋଦିଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ଉଭୟ ନେତା ବିମାନବନ୍ଦରରେ ହିଁ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଅହମ୍ମଦ ଅଲ୍ଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାରମ୍ପରିକ କଫି ପିଆଇଥିଲେ । ଏହାପରେ ସେ ନିଜେ କାର୍ ଚଳାଇ ମୋଦିଙ୍କୁ ହୋଟେଲ ପର୍ଯ୍ୟନ୍ତ ନେଇଥିଲେ । ବାଟରେ ସେ ମୋଦିଙ୍କୁ ସାଇନ୍ସ ମ୍ୟୁଜିୟମ୍ ଏବଂ ମୈତ୍ରୀ ପାର୍କ ବି ଦେଖାଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ହୋଟେଲରେ ପହଞ୍ଚିବା ପରେ ସେଠାରେ ପ୍ରବାସୀ ଭାରତୀୟମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଜଣେ ପିଲା ସାଂସ୍କୃତିକ ନୃତ୍ୟ କରୁଥିଲା ବେଳେ ମୋଦି ଏହାକୁ ଦେଖିଥିଲେ । ଏହାର କିଛି ସମୟ ପରେ ଇଥିଓପିଆ ପ୍ରଧାନମନ୍ତ୍ରୀ ନ୍ୟାସନାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ । ଏଠାରେ ଉଭୟ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହାପରେ ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଗ୍ରେଟ ଅନର୍ ନିଶାନ ଅଫ୍ ଇଥିଓପିଆ’ ପ୍ରଦାନ କରାଯାଇଥିଲା । ମୋଦି ଏହି ସମ୍ମାନକୁ ଭାରତର ୧୪୦ କୋଟି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି । ଏହାକୁ ମିଶାଇ ମୋଦି ୨୮ଟି ଦେଶର ସର୍ବୋଚ୍ଚ ସମ୍ମାନ ପାଇଲେଣି ।
'ଏହା ମୋ ପାଇଁ ଗୌରବର କଥା'- ‘ଦ ଗ୍ରେଟ ଅନର୍ ନିଶାନ ଅଫ୍ ଇଥିଓପିଆ’ରେ ସମ୍ମାନୀତ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଇଥିଓପିଆର ଏହି ମହାନ ମାଟିରେ ରହିବା ମୋ ପାଇଁ ଏକ ସୌଭାଗ୍ୟର କଥା । ଇଥିଓପିଆରେ ପାଦ ଦେଇଛି ଏବଂ ପହଞ୍ଚିବା ମାତ୍ରେ ମୁଁ ଏଠାକାର ଲୋକଙ୍କଠାରୁ ସୁନ୍ଦର ଅନୁଭବ ପାଇଛି । ପ୍ରଧାନମନ୍ତ୍ରୀ ନିଜେ ମୋତେ ବିମାନବନ୍ଦରରେ ସ୍ୱାଗତ କରିବାକୁ ଆସିଥିଲେ । ସେ ମୋତେ ଫ୍ରେଣ୍ଡସିପ୍ ପାର୍କ ଏବଂ ବିଜ୍ଞାନ ସଂଗ୍ରହାଳୟକୁ ନେଇଗଲେ । ଏଠାକାର ନେତୃତ୍ୱ ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କଲି । ଏହା ମୋ ପାଇଁ ଏକ ଅବିସ୍ମରଣୀୟ ଅଭିଜ୍ଞତା। ବିଶ୍ୱର ସବୁଠାରୁ ପ୍ରାଚୀନ ଏବଂ ସମୃଦ୍ଧ ସଭ୍ୟତା ମଧ୍ୟରୁ ଗୋଟିଏ ଦ୍ୱାରା ସମ୍ମାନିତ ହେବା ମୋ ପାଇଁ ବହୁତ ଗର୍ବର ବିଷୟ । ମୁଁ ସମସ୍ତ ଭାରତୀୟଙ୍କ ତରଫରୁ କୃତଜ୍ଞତାର ସହିତ ଏହି ସମ୍ମାନ ଗ୍ରହଣ କରୁଛି । ଏହି ସମ୍ମାନ ଅଗଣିତ ଭାରତୀୟଙ୍କର ଯେଉଁମାନେ ଆମର ସହଭାଗୀତାକୁ ଆକାର ଦେଇଛନ୍ତି । "
ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମ୍ରେ ମୋଦି- ଜୋର୍ଡାନର ରାଜଧାନୀ ଅମ୍ମାନ୍ରେ ମଙ୍ଗଳବାର ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ରହିଥିବା ଭବିଷ୍ୟତର ବିପୁଳ ସୁଯୋଗ ଉପରେ ଆଲୋକପାତ କରିଛନ୍ତି । ମୋଦି କହିଛନ୍ତି, ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ହେବାକୁ ଯାଉଛି । ଦେଶରେ ଜାରି ରହିଥିବା ଅର୍ଥନୈତିକ ଗତିଶୀଳତା ଅନ୍ତର୍ଜାତୀୟ ସହଯୋଗୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଭିବୃଦ୍ଧି ହାର ବର୍ତ୍ତମାନ ୮% ଉପରେ ରହିଛି । ଉତ୍ପାଦକତା, ଶକ୍ତିଶାଳୀ ଗଭର୍ଣ୍ଣାନ୍ସ ଏବଂ ନବାଚାର ଉତ୍ପ୍ରେରକ ନୀତିଗୁଡ଼ିକ ଦ୍ୱାରା ଏହା ସମ୍ଭବ ହେଉଛି । ଜୋର୍ଡାନ୍ର ପ୍ରତ୍ୟେକ ନିବେଶକ ଓ ବ୍ୟବସାୟ ନିମନ୍ତେ ଭାରତ ତମାମ କ୍ଷେତ୍ରଗୁଡ଼ିକରେ ଏକାଧିକ ସୁଯୋଗ ପ୍ରଦାନ କରୁଛି । ଏହାଛଡ଼ା ଦୁଇଦେଶ ଆଗକୁ ଦ୍ୱିପାକ୍ଷିକ ବାଣିଜ୍ୟକୁ ଆହୁରି ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛନ୍ତି । ଆଗାମୀ ୫ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୫ ବିଲିୟନ ଡଲାରରେ ପହଞ୍ଚାଇବାକୁ କାର୍ଯ୍ୟ କରିବା ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ।