ନୂଆଦିଲ୍ଲୀ ୦୨/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ସପ୍ତାହରେ ତାଙ୍କ ମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି । ଅପରେସନ ସିନ୍ଦୂର ପରେ ଏହା ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ହେବ । ଆସନ୍ତା ବୁଧବାର ଏହି ବୈଠକ ବସିବାକୁ ଯାଉଥିବା ବେଳେ ଏଥିରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ତାହା ସ୍ପଷ୍ଟ ହୋଇନାହିଁ । ପ୍ରତ୍ୟେକ ମନ୍ତ୍ରୀ ପରିଷଦ ବୈଠକରେ ବିଭିନ୍ନ ସରକରୀ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମ ଏବଂ ତାର ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥାଏ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଓ ପିଓକେରେ ଆତଙ୍କୀ ଶିବିର ଧ୍ୱଂସ କରାଯିବା ଏବଂ ମୋଦି ସରକାରଙ୍କ ୧୧ ବର୍ଷର ସଫଳତାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ସମ୍ପର୍କରେ ତାଙ୍କ କ୍ୟାବିନେଟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ଏବଂ ଦଳୀୟ ନେତାମାନଙ୍କୁ ଏଣୁତେଣୁ ବୟାନ ନ ଦେବାକୁ ପରାମର୍ଶ ଦେଇଥିଲେ ।