ନୂଆଦିଲ୍ଲୀ ୦୨/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ସପ୍ତାହରେ ତାଙ୍କ ମନ୍ତ୍ରୀ ପରିଷଦର  ବୈଠକ ଡାକିଛନ୍ତି । ଅପରେସନ ସିନ୍ଦୂର ପରେ ଏହା  ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ହେବ । ଆସନ୍ତା  ବୁଧବାର ଏହି ବୈଠକ ବସିବାକୁ ଯାଉଥିବା ବେଳେ  ଏଥିରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ  ତାହା ସ୍ପଷ୍ଟ ହୋଇନାହିଁ । ପ୍ରତ୍ୟେକ ମନ୍ତ୍ରୀ ପରିଷଦ  ବୈଠକରେ ବିଭିନ୍ନ ସରକରୀ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମ  ଏବଂ ତାର ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ  ଉପସ୍ଥାପନ କରାଯାଇଥାଏ । 

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଓ ପିଓକେରେ ଆତଙ୍କୀ ଶିବିର ଧ୍ୱଂସ  କରାଯିବା ଏବଂ ମୋଦି ସରକାରଙ୍କ ୧୧ ବର୍ଷର  ସଫଳତାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା  ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ପୂର୍ବରୁ  ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ସମ୍ପର୍କରେ ତାଙ୍କ  କ୍ୟାବିନେଟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ଏବଂ ଦଳୀୟ ନେତାମାନଙ୍କୁ ଏଣୁତେଣୁ ବୟାନ ନ  ଦେବାକୁ ପରାମର୍ଶ ଦେଇଥିଲେ ।