ଭୁବନେଶ୍ୱର,୦୭/୧୧: ଅର୍ଥାଭାବରୁ ଆଉ କୌଣସି ମେଧାବୀ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେନି । ଗରିବ ତଥା ଅସହାୟ ବର୍ଗର  ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଦିଗରେ ପ୍ରୋତ୍ସାହନ ଦେବ  ପିଏମ୍‌ ବିଦ୍ୟାଲକ୍ଷ୍ମୀ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମୋଟ ୩,୬୦୦ କୋଟି ଟଙ୍କା ବ୍ୟୟରେ  ଏହି ଯୋଜନାକୁ ମଞ୍ଜୁରି ମିଳିଛି । ଉଚ୍ଚ ଶିକ୍ଷା  କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା  ପ୍ରଦାନ କରିବା ନିମନ୍ତେ ଏହି ଯୋଜନାକୁ ମଞ୍ଜୁର  କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ପିଏମ୍‌ ବିଦ୍ୟାଲକ୍ଷ୍ମୀ ଯୋଜନାରେ  ଉଭୟ ସରକାରୀ ଏବଂ ବେସରକାରୀ ଉଚ୍ଚ  ଶିକ୍ଷାନୁଷ୍ଠାନର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ  ସହାୟତା ମିଳିପାରିବ । ଏଥି ପାଇଁ ଜାତୀୟ  ଶିକ୍ଷାନୀତି(ଏନଇପି)ରେ ସୁପାରିସ କରାଯାଇଥିଲା ।  ଏହାକୁ ଗ୍ରହଣ କରି ପିଏମ୍‌ ବିଦ୍ୟାଲକ୍ଷ୍ମୀ ଯୋଜନା  ଅଣାଯାଇଛି । ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ  ଲେଖାଇଥିବା ଯେକୌଣସି ଛାତ୍ରଛାତ୍ରୀ ବ୍ୟାଙ୍କ ଓ  ଆର୍ଥିକ ଅନୁଷ୍ଠାନରୁ ସମ୍ପୂର୍ଣ୍ଣ ପରିମାଣର ଟ୍ୟୁସନ୍‌  ଫି' ଏବଂ ପାଠ୍ୟକ୍ରମ ସମ୍ବନ୍ଧୀୟ ଅନ୍ୟାନ୍ୟ ଖର୍ଚ୍ଚ  ବହନ କରିବା ପାଇଁ ବନ୍ଧକମୁକ୍ତ, ଗ୍ୟାରେଣ୍ଟର  ମୁକ୍ତ ଋଣ ପାଇବାକୁ ଯୋଗ୍ୟ ହେବେ । ଏହି ଯୋଜନା ଦେଶରେ ଥିବା ୮୬୦ଟି ଉଚ୍ଚ  ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ।  

ଏନଆଇଆରଏଫ ମାନ୍ୟତାରେ ବର୍ଗ ଆଧାରିତ ଓ  ଡୋମେନ୍‌ ଆଧାରିତ ରାଙ୍କିଙ୍ଗ୍‌ ସହିତ ଶୀର୍ଷ ୧୦୦  ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଥିବା ଶିକ୍ଷାନୁଷ୍ଠାନ,  ରାଜ୍ୟ ସରକାରଙ୍କଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତାରେ  ୧୦୧-୨୦୦ ମଧ୍ୟରେ ସ୍ଥାନ ପାଇଥିବା ଅନୁଷ୍ଠାନ  ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ  ଶିକ୍ଷାନୁଷ୍ଠାନ ପାଇଁ ଏହି ଯୋଜନା ଲାଗୁ ହେବ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ୍‌) ମାନ୍ୟତା ବ୍ୟବହାର କରି ଏହି  ତାଲିକାକୁ ପ୍ରତିବର୍ଷ ସଂଶୋଧନ କରାଯିବ । ଏଥିରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ।  

ସେହିପରି ସାଢ଼େ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ  ରାଶି ପାଇଁ ବକେୟା ଖିଲାପି ଉପରେ ଛାତ୍ରଛାତ୍ରୀ  ୭୫% ଋଣ ଗ୍ୟାରେଣ୍ଟି ପାଇବାକୁ ଯୋଗ୍ୟ ହେବେ । ଫଳରେ ଏହି ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ  ଶିକ୍ଷା ଋଣ ଉପଲବ୍ଧ କରାଇବାରେ ବ୍ୟାଙ୍କଗୁଡ଼ିକୁ  ସହଯୋଗ ମିଳିବ । ଏହା ବ୍ୟତୀତ ବାର୍ଷିକ ୮ ଲକ୍ଷ  ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଥିବା ଏବଂ ଅନ୍ୟ  କୌଣସି ସରକାରୀ ବୃତ୍ତି କିମ୍ବା ସୁଧ ଛାଡ଼ ଯୋଜନାର ସୁବିଧା ପାଇବାକୁ ଯୋଗ୍ୟ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ  ମଧ୍ୟ ଋଣ ସ୍ଥଗିତ ଅବଧି ମଧ୍ୟରେ ୧୦ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଋଣ ପାଇଁ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ  କରାଯିବ । ପ୍ରତିବର୍ଷ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସୁଧ ରିହାତି  ସହାୟତା ପ୍ରଦାନ କରାଯିବ । ସରକାରୀ ଅନୁଷ୍ଠାନରୁ ଆସିଥିବା ଏବଂ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ  ବାଛିଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ ।  

ଯୋଜନା ଲାଗୁହେବା ପରେ ଉଚ୍ଚଶିକ୍ଷା ବିଭାଗର  ଏକ ସମନ୍ୱିତ ପୋର୍ଟାଲ "ପିଏମ-ବିଦ୍ୟାଲକ୍ଷ୍ମୀ’ ରହିବ ।  ଯେଉଁଥିରେ ଛାତ୍ରଛାତ୍ରୀମାନେ ସମସ୍ତ ବ୍ୟାଙ୍କ ଦ୍ୱାରା  ବ୍ୟବହୃତ ହେବାକୁ ଥିବା ସରଳୀକୃତ ଆବେଦନ  ପ୍ରକ୍ରିୟା ମାଧ୍ୟମରେ ଶିକ୍ଷା ଋଣ ଓ ସୁଧ ଛାଡ଼ ପାଇଁ  ଆବେଦନ କରିପାରିବେ । ଇ-ଭାଉଚର୍‌ ଏବଂ  ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍‌ସି (ସିବିଡିସି)  ୱାଲେଟ୍‌ ଜରିଆରେ ସୁଧ ରିହାତି ମିଳିବ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି,  ଭାରତର ପ୍ରତିଭାବାନ ଯୁବକ ଯୁବତୀଙ୍କୁ ସାର୍ବଜନୀନ  ଉଚ୍ଚଶିକ୍ଷା ଉପଲବ୍ଧି କରାଇବା ହେଉଛି ପ୍ରଧାନମନ୍ତ୍ରୀ  ମୋଦୀଙ୍କ ଗ୍ୟାରେଣ୍ଟି । ପିଏମ ବିଦ୍ୟାଲକ୍ଷ୍ମୀ ମଞ୍ଜୁର  ହେବା ପରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା  କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ । ଯୋଜନା  ଅଧୀନରେ ବିନା ବନ୍ଧକରେ ଏବଂ ଗ୍ୟାରେଣ୍ଟର  ମାଗଣା ଶିକ୍ଷା ଋଣ ପାଇପାରିବେ । ସେ ଆହୁରି  କହିଛନ୍ତି, ସ୍ୱଚ୍ଛ, ପାରଦର୍ଶୀ, ବିଦ୍ୟାର୍ଥୀ ସହଯୋଗୀ  ଏବଂ ଡିଜିଟାଲ ଆପ୍ଲିକେସନରେ ସମସ୍ତ ବ୍ୟାଙ୍କ୍‌ ଦ୍ୱାରା  ଶିକ୍ଷା ଋଣ ପ୍ରଦାନ କରାଯିବ । ପିଏମ୍‌ ବିଦ୍ୟାଲକ୍ଷ୍ମୀ  ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସଶକ୍ତ  କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।