ପୁରୀ, ୦୩/୦୭: ଘରୋଇ ରନ୍ଧନ ଗ୍ୟାସ୍ ସମସ୍ୟାକୁ ନେଇ ଉପଭୋକ୍ତ ଆଉଟପାଉଟ ହେଉଛନ୍ତି । ଠିକ୍ ଏତିକି ବେଳେ ପୁରୀ ସହରାଞ୍ଚଳ ସମେତ ପିପିଲି, କୋଣାର୍କ, ନିମାପଡ଼ା ଏନ୍ଏସି ଅଞ୍ଚଳରେ ପିଏନ୍ଜି (ପାଇପ୍ ନାଚୁରାଲ ଗ୍ୟାସ୍) ଯୋଗାଣ ହେବାର ସୂଚନା ମିଳିଛି । ପ୍ରଥମେ ପୁରୀ ସହରାଞ୍ଚଳର ସମସ୍ତ ପରିବାରକୁ ପିଏନ୍ଜି ସଂଯୋଗ ଦିଆଯିବ । ପିପିଲି ଏନ୍ଏସି ଅଞ୍ଚଳରେ ମଧ୍ୟ ପିଏନ ସଂଯୋଗ ଦେବା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ । ସରକାରୀ ଅନୁମତି ମିଳିବା ମାତ୍ରେ ସମସ୍ତ ଉପଭୋକ୍ତା ଏହାର ସୁବିଧା ପାଇବେ । ନିମାପଡ଼ା ଓ କୋଣାର୍କକୁ ଭିତ୍ତିଭୂମି ନିର୍ମାଣ ପ୍ରସ୍ତାବ ରହିଛି ବୋଲି ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ ସରକାରୀ ଦାୟିତ୍ୱହୀନତାରୁ ପୁରୀ ମହାନଗର ନିଗମ ଅଞ୍ଚଳର ୩୧ ଓ ୩୨ ନମ୍ବର ୱାର୍ଡ ସମେତ ସହରର ମାତ୍ର ୬୦୦ ପରିବାରକୁ ପିଏନ୍ଜି ସଂଯୋଗ ଦିଆଯାଇଛି । ସହରାଞ୍ଚଳର ମାଟି ତଳେ ପାଇପ୍ ଗ୍ୟାସ୍ ଲାଇନ୍ ବିଛାଇବାରେ ଧୀମା ପଦକ୍ଷେପ ଯୋଗୁଁ ସହରର ବହୁ ପରିବାର ପିଏନ୍ଜି ସଂଯୋଗରୁ ବଞ୍ଚିତ ଅଛନ୍ତି ।
ପାଇପ୍ ନ୍ୟାଚୁରାଲ ଗ୍ୟାସ୍ ଯୋଗାଣ କରୁଥିବା ଘରୋଇ ସଂସ୍ଥାର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପୁରୀ ସହରରେ ପ୍ରାୟ ୪ ହଜାର ପରିବାରକୁ ପିଏନ୍ଜି ସଂଯୋଗ ଆସନ୍ତା ମାସ ସୁଦ୍ଧା ଦେବାକୁ ଲକ୍ଷ୍ୟ ରହିଛି । ଭୁବନେଶ୍ୱରରୁ ବଳିଆପଣ୍ଡା ପର୍ଯ୍ୟନ୍ତ ମାଟିତଳେ ଗ୍ୟାସ୍ ପାଇପ୍ ଲାଇନ୍ ବିଛା ସରିଛି । ସେହିପରି ବଳିଆପଣ୍ଡାରୁ ତାଳବଣିଆ ପର୍ଯ୍ୟନ୍ତ ଗ୍ୟାସ୍ ପାଇପ୍ ଲାଇନ୍ ବିଛା ଶେଷ ପ୍ରାୟ । ସହରାଞ୍ଚଳର ଭିତରେ ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ଗ୍ୟାସ୍ ପାଇପ୍ ଲାଇନ୍ ବିଛା ସରିଛି । ତେଣୁ ସମୁଦ୍ରକୂଳ ରାସ୍ତା, ବଳିଆପଣ୍ଡା ରାସ୍ତା, ଚକ୍ରତୀର୍ଥ ରୋଡ, ତାଳବଣିଆ ରୋଡରେ ଥିବା ପ୍ରାୟ ୧୨୫ଟି ବଡ଼ ହୋଟେଲକୁ ପିଏନ୍ଜି ସଂଯୋଗ ଦେବାକୁ ଲକ୍ଷ୍ୟ ରହିଛି । ଏବେ ପ୍ରାୟ ୨୫ଟି ହୋଟେଲ୍କୁ ପିଏନ୍ଜି ସଂଯୋଗ ଦିଆଯାଇଛି ଓ ସେମାନେ ଏହାକୁ ବ୍ୟବହାର କରୁଛନ୍ତି ।
ଏଲ୍ପିଜି ସିଲିଣ୍ଡର ବ୍ୟବହାରଠାରୁ ପିଏଚ୍ଜି ବ୍ୟବହାର ଖୁବ୍ ନିରାପଦ । ଏହାର ବ୍ୟବହାରରେ ଶୂନ୍ୟ ବିପଦ ରହିଥାଏ । ଏହାଛଡ଼ା ଘରୋଇ ଗ୍ୟାସ୍ ସିଲିଣ୍ଡର ଅପେକ୍ଷା ହିତାଧିକାରୀ ୨୦ ପ୍ରତିଶତ କମ୍ ପିଏନ୍ଜି ରନ୍ଧନ ଗ୍ୟାସ୍ ବ୍ୟବହାର କରିଥାଏ । ଏହାକୁ ବ୍ୟବହାର କଲେ ନିର୍ଦ୍ଧାରିତ ମୂଲ୍ୟ ଦେବାକୁ ପଡ଼ିବ । ନଚେତ୍ ନାହିଁ । ପୁରୀରେ ପିଏନ୍ଜିର ଦୁଇଟି ଜରୁରୀ ସହାୟତା କେନ୍ଦ୍ର ମୋଚିସାହି ଛକ ଓ ତାଳବଣିଆ ଠାରେ କାମ କରୁଛି ।