ନୂଆଦିଲ୍ଲୀ, ୧୦/୦୪ : ଜାନୁଆରୀ ଶେଷରେ ସୁନା ଦର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା । କିନ୍ତୁ ଫେବ୍ରୁଆରୀରେ ଏଥିରେ ସାମାନ୍ୟ ହ୍ରାସ ଘଟିଥିଲା । ଏହାର ଫାଇଦା ଉଠାଇ ବିଶ୍ୱର ଅନେକ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବଡ଼ ମାତ୍ରାରେ ସୁନା କିଣି ଚାଲିଲେ । ଜାନୁଆରୀରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କେବଳ ୬ ଟନ ସୁନା କିଣିଥିଲେ। ଫେବ୍ରୁଆରୀରେ ଏମାନେ ୨୭ ଟନ୍‌ ସୁନାର ନେଟ୍‌ କ୍ରେତା ରହିଛନ୍ତି । ଲଗାତର ୨୩ ମାସ ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନାର ନେଟ୍‌ କ୍ରେତା ରହିଛନ୍ତି। ତେବେ ଆଲୋଚ୍ୟ ସମୟରେ ତୁର୍କୀ ଏବଂ ରୁଷ ନିଜ ନିଜ ଭଣ୍ଡାରରୁ ସୁନା ବିକ୍ରି କରିଛନ୍ତି। 

ବିଶ୍ୱ ବ୍ୟାଙ୍କ ପରିଷଦର ରିପୋର୍ଟ ଅନୁସାରେ, ୟୁରୋପୀୟ ଦେଶ ପୋଲାଣ୍ଡ ସବୁଠୁ ଅଧିକ ୨୦ ଟନ ସୁନା କିଣିଛି । ପ୍ରାୟ ୧ ବର୍ଷରେ ଏହା ପୋଲାଣ୍ଡର ସର୍ବବୃହତ୍‌ ମାସିକ ସୁନା କ୍ରୟ । ଗତବର୍ଷ ଫେବ୍ରୁଆରୀରେ ଏହା ୨୯ ଟନ୍‌ ସୁନା କିଣିଥିଲା । ପ୍ରାୟ ୩.୭ କୋଟି ଜନସଂଖ୍ୟାବିଶିଷ୍ଟ ଏ ରାଷ୍ଟ୍ରର ସୁନା ଭଣ୍ଡାର ୫୭୦ ଟନ୍‌ରେ ପହଞ୍ଚିଯାଇଛି, ଯାହା ଦେଶର ମୋଟ ବୈନେଶିକ ମୁଦ୍ରା ଭଣ୍ଡାରର ୩୧% । ପୋଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ୭୦୦ ଟନ୍‌ର ଲକ୍ଷ୍ୟ ରଖିଛନ୍ତି । ଭାରତର ସୁନା ଭଣ୍ଡାର ୮୮୦ ଟନ ରହିଛି, ଯାହା ମୋଟ ମୁଦ୍ରା ଭଣ୍ଡାରର ୧୫.୧୭% । 

ପୋଲାଣ୍ଡ ବ୍ୟତୀତ ଉଜ୍‌ବେକିସ୍ତାନ ଏବଂ କଜାକସ୍ଥାନ ମଧ୍ୟ ଫେବ୍ରୁଆରୀରେ ସବୁଠୁ ଅଧିକ ସୁନା କ୍ରୟ କରିଛନ୍ତି । ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ଲଗାତର ୧୬ ତମ ମାସ ପାଇଁ ସୁନା କିଣିଛି । ଏଥିସହିତ ଚୀନ୍‌ର ସୁନା ଭଣ୍ଡାର ୨,୩୦୮ ଟନ୍‌ରେ ପହଞ୍ଚିଯାଇଛି, ଯାହା ଏହାର ମୋଟ ଭଣ୍ଡାରର ୧୦% । ଏହାମଧ୍ୟରେ ତୁର୍କୀ ଏବଂ ରୁଷ ଫେବ୍ରୁଆରୀରେ ସୁନା ବିକ୍ରି କରିଛନ୍ତି । ତୁର୍କୀ ୮ ଟନ୍‌ ଏବଂ ରୁଷ ୬ ଟନ୍‌ ସୁନା ବିକ୍ରି କରିଛି ।

ଏହି ଖବରଟିକୁ ପଢନ୍ତୁ- ଯୁଦ୍ଧବିରତି ନେଇ ଆଜି ବୈଠକ : ପାକିସ୍ତାନର ଜୋରଦାର ପ୍ରସ୍ତୁତି, ରେଡ୍‌ ଜୋନ୍‌ ସିଲ୍‌, ପରୀକ୍ଷା ସ୍ଥଗିତ, ଟ୍ରାଫିକ୍‌ କଡ଼ାକଡି