ବୋଲଗଡ଼,୧୧/୧୧ : ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଆରିକମା କୋଶଳାଶୁଣି ନିକଟ ଜଙ୍ଗଲ ମଧ୍ୟରେ କେତେକ ଅସାମାଜିକ ଯୁବକ ଡକାୟତି କରିବାକୁ ବିଧିବଦ୍ଧ ଭାବେ ଯୋଜନା କରୁଥିଲେ। ତେବେ ବୋଲଗଡ଼ ଥାନା ପୁଲିସ କୌଣସି ସୂତ୍ରରୁ ଖବରପାଇ ଡକାୟତ କରିବାକୁ ଯୋଜନା କରୁଥିବାର ସନ୍ଦିଗ୍ଧ ସ୍ଥଳକୁ ଯାଇ ଯୁବକଙ୍କୁ କାବୁ କରି ମାଡ଼ି ବସିଲା ଓ ସେମାନଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ।
ଘଟଣାକ୍ରମେ ସାନକୁମାରି ଗ୍ରାମର ରତ୍ନାକର ଖଣ୍ଡାଇଙ୍କ ପୁଅ ବ୍ରହ୍ମାନନ୍ଦ ଖଣ୍ଡାଇ ଓରଫ ଧନ(୨୩), ପ୍ରଫୁଲ୍ଲ ଖଣ୍ଡାଇଙ୍କ ପୁଅ ଗଣେଶ କୁମାର ଖଣ୍ଡାଇ ଓରଫ ନଣ୍ଡା(୩୬), ବଡ଼କୁମାରୀ ଗ୍ରାମର ସିଦ୍ଧେଶ୍ୱର ନାୟକଙ୍କ ପୁଅ ସିଲୁ ନାୟକ (୨୪) ଓ ବେଗୁନିଆ ଥାନା ଅଂଚଳ ଦେଉଳି ଗ୍ରାମର ସୁଧୀର ପରିଡ଼ାଙ୍କ ପୁଅ ସୋମନାଥ ପରିଡ଼ା ଓରଫ ସୁନିଲ ଆରିକମାସ୍ଥ ମା’କୋଶଳାଶୁଣି ମନ୍ଦିର ନିକଟସ୍ଥ ଜଙ୍ଗଲ ମଧ୍ୟରେ ଡକାୟତ କରିବାକୁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବରପାଇ ବୋଲଗଡ଼ ଥାନା ପୁଲିସ ଏକ ଟିମ୍ ସେମାନଙ୍କୁ ଅତର୍କିତ ଭାବେ ଚଢ଼ଉ କରି ଘଟଣାସ୍ଥଳରୁ ୪ଜଣ ଯୁବକଙ୍କୁ ମାଡ଼ି ବସିଥିଲା । ଘଟଣାସ୍ଥଳରୁ ଅନ୍ୟ ୨ଜଣ ଖସିଯିବାକୁ ସକ୍ଷମ ହୋଇଥିଲେ।
ସେମାନଙ୍କଠାରୁ ଡକାୟତି ପାଇଁ ବ୍ୟବହାରଯୁକ୍ତ କେତେକ ମାରଣାସ୍ତ୍ର ଜବତ କରାଯାଇଛି । ଜବତ ହୋଇଥିବା ମାରଣାସ୍ତ୍ର ମଧ୍ୟରେ ୧ଟି ଦେଶୀ ପିସ୍ତଲ, ୧ ଜୀବନ୍ତ ଗୁଳି, ସାଇକେଲ ଚେନ, ଲୁହା ରଡ଼, ନାଲି ଲଙ୍କା ଗୁଣ୍ଡ ଗୋଟିଏ ପ୍ୟାକେଟ, ୧ଭୁଜାଲି, ୫ଟି ମୋବାଇଲ ଫୋନ, ୨ଟି ବିଦେଶୀ ମଦ ବୋତଲ, ଇୟୁଜ ଆଣ୍ଡ ଥ୍ରୋ ଗ୍ଲାସ୍ ଓ ୧ଟି ବୁଲେଟ ମୋଟରସାଇକେଲ ଜବତ କରାଯାଇଛି । ତେବେ ଡକାୟତ କରିବାକୁ ଯୋଜନା କରୁଥିବା ଯୁବକମାନଙ୍କୁ ଥାନାକୁ ଆଣି ଥାନା କେଶ୍ ନଂ୨୬୩/୨୫ରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବାର ଥାନା ଆଇଆଇସି ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଏସଡ଼ିପିଓ ନିହାର ରଞ୍ଜନ ପ୍ରଧାନ, ଆଇଆଇସି ସ୍ନିଗ୍ଧାମୟୀ ବରାଳ, ଇନ୍ସପେକ୍ଟର ଲିଲି ପାଢ଼ୀ, ଏଏସଆଇ ପ୍ରସନ୍ନ ଦଳେଇ, ଏଏସଆଇ ଉମାଶଙ୍କର ନାୟକ, ଏସଆଇ ଯଶୋଦା ଦେଇ, ତୁଷାରକାନ୍ତ ନାୟକ ସି /୧୮୭ଏମ କେ ମଲ୍ଲିକ, ସି /୩୧୭ ଏସ ସାମନ୍ତରାୟ, ଓଏପିଏଫ ୧୭ରମେଶଚନ୍ଦ୍ର ପ୍ରଧାନ ପ୍ରମୁଖ ଡକାୟତ ଯୋଜନା ପଣ୍ଡ କରିବା ଚଢ଼ଉରେ ସାମିଲ ହୋଇଥିଲେ l