ପୁରୀ ୩୦/୧୨: ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁବିଧାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସିସିଟିଭି ବଳୟ ମଧ୍ୟରେ ରହିବ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି ସ୍ଥାପନ କରାଯାଇଛି। ସମୁଦାୟ ୭୦ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ମୁତୟନ ରହିବେ। ୨ ଜଣ କମାଣ୍ଡାଣ୍ଟ, ୧୩ ଅତିରିକ୍ତ ଏସପି, ୪୩ ଜଣ ଡିଏସପି, ୮୭ ଇନ୍ସପେକ୍ଟର, ୨୪୬ ଏସଆଇ ଏବଂ ଏଏସଆଇ ମୁତୟନ ରହିବେ। ଶ୍ରଦ୍ଧାଳୁମାନେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ବାଟେ ପ୍ରବେଶ କରିବେ। ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ପୁରୀ ଏସପି ପ୍ରତୀକ ସିଂ ।