ଜଳେଶ୍ୱର, ୯/୧୨ : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ଗ୍ରାମରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଜୁଆ ଆଡ୍ଡା ଉପରେ ଜଳେଶ୍ୱର ପୁଲିସର ଅଚାନକ ଚଢ଼ଉ । ଏହି ଚଢଉରେ ଘଟଣାସ୍ଥଳରୁ ୧୨ଜଣ ଜୁଆଡ଼ି ଗିରଫ ହୋଇଥିବାବେଳେ ୯ଟି ବାଇକ୍, ୧୨ଟି ମୋବାଇଲ ସମେତ ନଗଦ ୧୫ହଜାର ୨୬୦ଟଙ୍କା ଜବତ ହୋଇଛି l ଜଳେଶ୍ୱର ପୌରାଞ୍ଚଳର ଝଡ଼େଶ୍ୱରପୁର, ରାଜପୁର ଓ ଶାସନବାଡ଼ ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀକୂଳ ଅଞ୍ଚଳରେ ପ୍ରାୟତଃ ସବୁ ଦିନ ଜୁଆ ଖେଳ ହୋଇଥାଏ l ସ୍ଥାନୀୟ ଗ୍ରାମବାସୀ ଦୀର୍ଘଦିନ ଧରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ପୁଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାବେଳେ ଏବେ ରାଜ୍ୟ ସରକାରଙ୍କ ତରଫରୁ ଜୁଆ ଖେଳ ଉପରେ ଅଧିକ ଗୁରୁତ୍ୱ ଦେବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ପୁଲିସ ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦେଖିବାକୁ ମିଳିଛି l
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ୧୧ଟା ୩୦ମିନିଟରେ ଝାଡ଼େଶ୍ବରପୁର ଗାଁରେ ଜୂଆ ଖେଳ ହେଉଥିବା ନେଇ କୌଣସି ସୂତ୍ରରୁ ଖବରପାଇ ଜଳେଶ୍ବର ତହସିଲଦାର ସତ୍ୟଜିତ ମହାନ୍ତି, ଏସଡିପିଓ ସୁବ୍ରତ ବେହେରାଙ୍କ ନେତୃତ୍ବରେ ଜଳେଶ୍ୱର ଥାନାର ଆଇଆଇସି ଅଶୋକ ବାରିକ, ଏସଆଇ ଚିରଞ୍ଜିବି ରାଉତ, ଏଏସଆଇ ଦିଲ୍ଲୀପ ମୁଖୀ, ସୃଷ୍ଟିଧର ବେହେରା, ଭଗବାନ ଦାସଙ୍କ ସହ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଅଚାନକ ଜୂଆ ଆଡ୍ଡା ଉପରେ ଚଢଉ କରିଥିଲେ l ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ନାମ୍ପୋ ଗ୍ରାମର ସେକ ମୋଇରୁଦ୍ଦିନ(୩୬), ରାଜପୁର ଗ୍ରାମର ସେକ ହେର(୩୪), ସେକ ସରୁକ(୨୧), ସେକ ଗମିରୁଦ୍ଦିନ(୫୩), ଝଡ଼େଶ୍ୱରପୁର ଗ୍ରାମର ସେକ ରାଜେଶ ମହମ୍ମଦ(୨୭), ଫିରଦୋସ ଖାନ(୩୬), ସମୀର ଖାନ(୪୪), ସେକ ଗନୀରୁଦ୍ଦିନ(୩୪), ସେକ ନିଜାମୁଦ୍ଦିନ(୩୦), ମମତାଜ ଖାନ (୩୯), ସେକ ଇର୍ସାଦ ମହମ୍ମଦ(୩୬), ଫିରୋଜ ଖାନ(୩୯) ପ୍ରମୁଖ l ସମସ୍ତଙ୍କୁ ଓପିଜି ଆଇନ ଅଧିନସ୍ଥ ଧାରା ୩ଅନୁଯାଇ କେଶ ନଂ ୫୮୭/୨୫ ମୂଳେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି l