ଭୁବନେଶ୍ୱର,୧୯/୦୫: କସ୍‌ମସ୍‌ ବାରରେ ଗୁଳିମାଡ଼ ପରେ କମିଶନରେଟ୍‌  ପୁଲିସ ବିଭିନ୍ନ ବାରରେ ଚାଲିଥିବା ଅନିୟମିତତା ରୋକିବାକୁ ଗୁରୁତ୍ୱ ଦେଇଛି । ଡିସିପି  ଜଗମୋହନ ମୀନାଙ୍କ କଡ଼ା ନିର୍ଦ୍ଦେଶ ପରେ ପୁଲିସ ୨ଦିନ ଧରି ଲଗାତାର ବାରରେ  ଚଢ଼ଉ ଚଳାଇଛି । ୨ଟି ବାରରୁ ଡିଜେ ଓ ଆମ୍ପ୍ଲିଫାୟାର ଜବତ କରିଛି । 

ସୂଚନା  ମୁତାବକ, ଗତକାଲି ବିଳମ୍ବିତ ରାତିରେ  ସହିଦନଗର ଥାନା ପୁଲିସ ବିଭିନ୍ନ ବାର୍‌ରେ ଚଢ଼ାଉ କରିଥିଲା । ନିର୍ଦ୍ଧାରିତ ସମୟ ପରେ ବି କୋଷିନା ବାର୍‌ ଓ ଆଇନେକ୍ସ ବାର ଖୋଲା ଥିବା ପୁଲିସ ଦେଖିଥିଲା ।  ତୁରନ୍ତ ଏହି ୨ଟି ବାର୍‌ରୁ ମ୍ୟୁଜିକ୍‌ ସିଷ୍ଟମକୁ ବନ୍ଦ କରିଥିଲା । ଗ୍ରାହକମାନଙ୍କୁ ବାରରୁ ବାହାର କରିଥିଲା । ୨ଟି ବାରରୁ ୬ଟି ସାଉଣ୍ଡ ସିଷ୍ଟମକୁ ଜବତ କରାଯାଇଛି । ଡିସିପି  ଚେତାଇଛନ୍ତି ଯେ, ବାରରେ କୌଣସି ପ୍ରକାରର ଅନିୟମିତତାକୁ ବରଦାସ୍ତ କରାଯିବନି ।  ପ୍ରତି ଥାନା ପୁଲିସ ସେହି ଅଞ୍ଚଳର ବାର୍‌ରେ ନିୟମିତ ଢ଼ଙ୍ଗରେ ଯାଞ୍ଚ କରୁଛି ।