ଭୁବନେଶ୍ୱର, ୨୪/୦୬ : ୩ ଜଣ ବାଡ଼ ଡେଇଁ ପଳାଇଛନ୍ତି । ରାଜ୍ୟସଭାରେ ଏବେ ବିଜେଡି ସଂଖ୍ୟା ୫ । ସବୁ ବିଶ୍ୱସ୍ତ, ଅନୁଗତ । ଦଳ ପାଇଁ ଲଢ଼ିଲାବାଲା । ହେଲେ ଆଗକୁ ରହିବେ ନା ନାହିଁ? କିଏ ଦିଲ୍ଲୀ ଯୋଗାଯୋଗରେ ଅଛନ୍ତି କି? ମମତା ବାନାର୍ଜୀଙ୍କ ଅତି ଖାସ୍‌ କୁହାଳିଆ ନେତ୍ରୀ ସାୟୋନି ଘୋଷଙ୍କ ଭଳି ଅଚାନକ ପଟ ପରିବର୍ତ୍ତନ କରିବେନି ତ? ଟିଏମସି ଏବଂ ଶିବସେନା ସ୍ଥିତି ଦେଖିବା ପରେ ବିଜୁ ଜନତା ଦଳକୁ ଡର ଗୋଡ଼େଇଲାଣି। ଡରିବା ବି ସ୍ୱାଭାବିକ । ଏଇ ୧୫-୨୦ ଦିନ ଭିତରେ ବିଜେପି ଯେଉଁଭଳି ଚକ୍‌ମା ଦେଇଛି, ପଶ୍ଚିମବଙ୍ଗରୁ ମହାରାଷ୍ଟ୍ର ଯାଏଁ ସବୁ ଜଳକା । କ୍ଷମତାରୁ ହଟିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ଥିତି ଏମିତି ଯେ ନିଜ ଦଳରୁ ହିଁ ତାଙ୍କୁ ହଟାଇ ଦିଆଯାଇଛି । କିଏ ଅନାମଧେୟ ଦଳରେ ମିଶିଲେଣି, ଆଉ କିଏ ନୂଆ ସୁପ୍ରିମୋ ବନିଗଲେଣି । ଶିବସେନା ଦଳ, ଚିହ୍ନ ତ ସିନେ୍ଧ ଗୋଷ୍ଠୀ ଆଗରୁ ଛଡ଼ାଇ ନେଇଥିଲେ, ଏବେ ୯ ସାଂସଦରୁ ୬ଜଣ ଉଦ୍ଧବ ଠାକ୍‌ରେଙ୍କ ହାତ ଛାଡ଼ି ଦେଲେ । ଏମିତି ସ୍ଥିତିରେ ବିଜେଡିରେ ବିଭାଜନ ନ ହେବ କିଏ କହିବ? ଏକଥା ଖୋଦ୍‌ ଦଳ ଭିତରେ ଚର୍ଚ୍ଚା ଚାଲିଛି। 

ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ୮ ଓ କଂଗ୍ରେସରୁ ୩ ବିଧାୟକ କ୍ରସ ଭୋଟିଂ କରିଥିଲେ । ତେଣୁ ଆଗକୁ ଯେ ବଡ଼ ବିସ୍ଫୋରଣ ନ ହେବ, ସେ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଦେଶର ରାଜନୀତି ଏବେ ପୂରା ଓଲଟପାଲଟ ସ୍ଥିତିରେ । ସଂସଦର ଭିତର ଚେହେରା ଆଗାମୀ ଅଧିବେଶନ ବେଳକୁ ପୂରା ବଦଳିଯାଇଥିଲା । ଗତ ଅଧିବେଶନରେ ବିରୋଧୀ ଦଳମାନଙ୍କର ଏକତା ଯୋଗୁ ଲୋକସଭାରେ ହିଁ କାଟ୍‌ ଖାଇଥିଲା ସଂଶୋଧିତ ସୀମା ପୁନଃ ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌ । ଏଥର ଏନଡିଏ ପୂରା ଜୋରଦାର ପ୍ରସ୍ତୁତି ସହ ବିଲ୍‌ ପୁଣି ଥରେ ଆଣିବା ମୁଡ୍‌ରେ ଥିବା ଅନୁମାନ କରାଯାଉଛି । ଇତିମଧ୍ୟରେ ଲୋକସଭାରେ ଟିଏମସିର ୨୦ ସାଂସଦ, ଉଦ୍ଧବ ଗୋଷ୍ଠୀର ୬ ସାଂସଦଙ୍କ ସମର୍ଥନ ଏନଡିଏକୁ ଆସିସାରିଲାଣି । ଡିଏମକେର ସମର୍ଥନ କିମ୍ବା ସମାଜବାଦୀ ପାର୍ଟିରେ ବିଭାଜନ ଏନଡିଏକୁ ଆବଶ୍ୟକ ସଂଖ୍ୟା ଦେଇଦେବ ବୋଲି ଚର୍ଚ୍ଚା ରହିଛି । ନିକଟରେ ଆପ୍‌ର ୭ ସାଂସଦ ବିଜେପିରେ ମିଶିଛନ୍ତି । ପଶ୍ଚିମବଙ୍ଗରୁ ଟିଏମସିର ରାଜ୍ୟସଭା ସାଂସଦ ଆସନ ଖାଲି କରି ବିଜେପି ବଡ଼ ଖେଳ କରିଛି । ତେଣୁ ରାଜ୍ୟସଭାରେ ଦୁଇ ତୃତୀୟାଂଶ ସମର୍ଥନ ସଂଖ୍ୟା ୧୬୩ । ଆଜିର ଦିନରେ ଏନଡିଏ ପାଖରେ ଅଛି ୧୫୩ ସଂଖ୍ୟା । ଆବଶ୍ୟକ ସମର୍ଥନ ଯୋଗାଡ଼ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ କସରତ ଜାରି ରଖିଛନ୍ତି । ଏମିତିରେ ବିଜେଡିର ୫ ସାଂସଦ ନଜରରେ ଥିବା କୁହାଯାଉଛି । ଏମିତିକି କେତେକ ଦିଲ୍ଲୀ ନେତୃତ୍ୱଙ୍କ ଯୋଗାଯୋଗରେ ଥିବା ବିଜେପି ନେତାଏ ଦାବି କରୁଛନ୍ତି । ବିଜେଡି ଖଣ୍ଡନ କରୁଛି, ଡର ପ୍ରବଳ । କେହି କାହାକୁ ଭରସା କରିପାରୁନାହାନ୍ତି । ଯିଏ ନୀରବ ରହୁଛି, ସିଏ ପଳାଇବେ ନା ଯିଏ ବେଶି ବୟାନବାଜି କରନ୍ତି, ସେ ଧୋକା ଦେବେ? ଠଉରାଇବା ମୁସ୍କିଲ । ଏମିତିକି ଆବଶ୍ୟକ ପଡ଼ିଲେ କେହି ଦଳ ନ ଛାଡ଼ି ବି ବିଜେପିକୁ କେମିତି ସମର୍ଥନ କରିବେ, ତା’ର ବାଟ ବି ଖୋଜା ଚାଲିଛି । 

ବିଜେଡିର ଆଭିମୁଖ୍ୟ ବଦଳିବ ନା ସାଂସଦମାନେ ବଦଳିଯିବେ, ତାହା ଉପରେ ବି ସଭିଙ୍କ ନଜର ଅଟକିଛି । ସେହିପରି ବିଧାନସଭାରେ ବି କିଛି ବଡ଼ ଖେଳ କରିବାକୁ ବିଜେପି ପ୍ରୟାସ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଡର କେବଳ ବିଜେଡି ଶିବିରରେ ନୁହେଁ, କଂଗ୍ରେସରେ ବି ଅଛି । କାରଣ କଂଗ୍ରେସର ୩ ବିଧାୟକ ପୂର୍ବରୁ ନିଲମ୍ବିତ ହୋଇ ସାରିଛନ୍ତି । ପାଖରେ ଏବେ ୧୧ । ସେଥିରୁ ବଡ଼ ଫାଟ କରିବାକୁ ବି ପ୍ରୟାସ ହୋଇପାରେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏମିତି କିଛି ହେଲେ ବିରୋଧୀଙ୍କୁ ଶକ୍ତ ଝଟକା ଲାଗିପାରେ । ଗତକାଲି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଥିଲେ, ଟିଏମସି ଓ ଶିବସେନା ଭଳି ବିଜେଡି ଅବସ୍ଥା ହେବାକୁ ଯାଉଛି । ଏକ ବଡ଼ ଗୋଷ୍ଠୀ ବିଜେଡିକୁ ଭାଙ୍ଗି ଏନଡିଏକୁ ଆସିପାରନ୍ତି କିମ୍ବା ଏକ ନୂଆ ସଂଗଠନ ଛିଡ଼ା କରି ଏନଡିଏକୁ ସମର୍ଥନ କରିବେ । ୨/୩ ମାସ ଭିତରେ କିଛି ବଡ଼ ହେବ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏ ଚର୍ଚ୍ଚାକୁ ଆହୁରି ଚେଙ୍ଗିଛନ୍ତି । କହିଛନ୍ତି, ବିଜେଡି ଓ କଂଗ୍ରେସର ବହୁ ନେତା ବିଜେପି ଯୋଗାଯୋଗରେ ଅଛନ୍ତି । ଆମ ମାଇଣ୍ଡ ଓପନ୍‌ ରହିଛି । ଜବାବରେ ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି, ବିଜେଡିରୁ କେହି ଯିବା ଭଳି ଲାଗୁନାହିଁ । ବିଜେପି ଦଳ ଭିତରେ ଥିବା ଅସନ୍ତୋଷକୁ ଚପାଇବା ପାଇଁ ସେମାନେ ଏମିତି ବୟାନବାଜି କରୁଛନ୍ତି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, କଂଗ୍ରେସ ବିଜେପି ବିରୋଧରେ କଡ଼ା ଲଢ଼େଇ କରୁଛି । ଆମ ଦଳରୁ କେହି ନେତା ଯିବାର ନାହିଁ । ଯେଉଁମାନଙ୍କର କିଛି ଭୟ ଥିବ, ସେମାନେ ଯାଇପାରନ୍ତି ।

ଆହୁରି ପଢନ୍ତୁ- Chilika Fresh tender : ଚିଲିକା ଫ୍ରେସ୍ ଟେଣ୍ଡରକୁ ନେଇ ଅକଳରେ ଫିସଫେଡ୍, ଆସିଲେନି ବିଡର୍, ଜୁଲାଇକୁ ଘୁଞ୍ଚିଲା