• ମନମାନି ଚଳାଇବାକୁ ଅଭିଜ୍ଞ କର୍ମଚାରୀଙ୍କୁ ବିଦା କରୁଛନ୍ତି
  • କର୍ମଚାରୀଙ୍କୁ ମୁହଁ ଖୋଲିବା ମନା, ବନ୍ଦ କୋଠରୀରେ କାରସାଦି
  • ଘରୋଇ ସଂସ୍ଥା ପ୍ରୀତିର ମୁଖ୍ୟ କାର୍ପଟଦାର ନିର୍ଦ୍ଦେଶକ

ଭୁବନେଶ୍ୱର, ୨୪/୦୬ : ରାଜ୍ୟର ପ୍ରତିଷ୍ଠିତ ବ୍ରାଣ୍ଡ୍‌ ‘ଚିଲିକା ଫ୍ରେସ୍‌’କୁ ଘରୋଇ ହାତକୁ ଟେକି ଦେବାକୁ ବଡ଼ ଷଡ଼ଯନ୍ତ୍ର ଚାଲିଛି। କୌଣସି ଆବଶ୍ୟକତା ନ ଥାଇ ସରକାରୀ ନିୟନ୍ତ୍ରଣରେ ଥିବା ପ୍ରଥମ କାଉଣ୍ଟରକୁ ବେସରକାରୀ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା କରିଥିଲେ । ଗତ କିଛି ଦିନ ତଳେ ଏହି କାରସାଦି ପଦାକୁ ଆସିଥିଲା । ଏହାକୁ ନେଇ ଫିସଫେଡ୍‌ କର୍ତ୍ତୃପକ୍ଷ ଅକଳରେ ପଡ଼ିଥିଲେ । ତେବେ ଜଣେ ବି ବିଡର ଏଥିପାଇଁ ଆଗ୍ରହ ନ ଦେଖାଇବାରୁ ବାଧ୍ୟ ହୋଇ ବିଡ୍‌ ଦାଖଲ ଅବଧିକୁ ଘୁଞ୍ଚାଇ ଦିଆଯାଇଛି । ଏହି ପୂରା ଘଟଣା ପଛରେ ସବୁଠୁ ବିବାଦ ଆଉ ସନ୍ଦେହ ଘେରରେ ଅଛନ୍ତି ଫିସଫେଡ୍‌ ନିର୍ଦ୍ଦେଶକ ସୁବ୍ରତ ଦାସ । 

ଶିରିପୁରରେ ଥିବା ରାଜ୍ୟର ପ୍ରଥମ ଚିଲିକା ଫ୍ରେସ୍‌ କିଓସ୍କର ଘରୋଇକରଣ ପାଇଁ ଫିସଫେଡ୍‌ ନିର୍ଦ୍ଦେଶକ ଯୋଜନା କରିଛନ୍ତି । କିନ୍ତୁ ଏହା ପଛରେ କୌଣସି ଯୁକ୍ତି ନାହିଁ । ଏହି କିଓସ୍କ ସିଧାସଳଖ ଫିସଫେଡ୍‌ ଅଧୀନରେ ଥିଲା । ଏହା ଦାୟିତ୍ୱରେ ବିଭାଗର ସ୍ଥାୟୀ ତଥା ଅଭିଜ୍ଞ ଓ ପୁରୁଖା ଲୋକଙ୍କୁ ନିଯୁକ୍ତି ମିଳିଥିଲା । ସେମାନେ ଏହାର ପରିଚାଳନା ଦାୟିତ୍ୱ ବୁଝୁଥିଲେ । କିନ୍ତୁ ରକ୍ଷଣାବେକ୍ଷଣାର ଅଭାବ ଓ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ କିଓସ୍କ ରୁଗ୍‌ଣ ଅବସ୍ଥାକୁ ଚାଲିଗଲା । ସମସ୍ୟା ଖୋଜି ଏହାକୁ ସୁଧାରିବା ବଦଳରେ କିଓସ୍କକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବସିଛନ୍ତି । ଶିରିପୁର କିଓସ୍କ କ୍ଷତିରେ ଚାଲୁଛି ଦର୍ଶାଇ ଏଭଳି ପ୍ରସ୍ତାବକୁ ଆଗକୁ ନିଆଯାଇଛି । ହେଲେ ଚିଲିକା ଫ୍ରେସ୍‌ ଖୋଲାଯିବା ପଛର କାରଣ ଥିଲା ଭିନ୍ନ । ଲୋକଙ୍କୁ ସଫା ପରିବେଶରେ ମାଛ ଯୋଗାଇବା ଓ ସିଧାସଳଖ ମାଛ ଚାଷୀ ବା ସଂଘରୁ ମାଛ ଆଣି ବିକ୍ରି କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଥିଲା । ଏଥିରୁ ଲାଭ କରିବା ଆଦୌ ମୂଳ ଉଦ୍ଦେଶ୍ୟ ନଥିଲା । କିନ୍ତୁ ଫିସଫେଡ୍‌ ନିର୍ଦ୍ଦେଶକ ଜାଣିଶୁଣି ଯୋଜନାବଦ୍ଧ ଭାବେ ଗୋଟିଏ ପରେ ଗୋଟିଏ କିଓସ୍କକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଉଛନ୍ତି । ପୂର୍ବରୁ କିଛି କିଓସ୍କକୁ ଘରୋଇ ସଂସ୍ଥା ଚଲାଉଥିଲେ ବି ପରିଚାଳନାଗତ ସମସ୍ୟା ସୃଷ୍ଟି ହୋଇଥିଲା । ତଥାପି ଏଥିରୁ କିଛି ନ ଶିଖି ପୁଣି ଥରେ ସମାନ ତ୍ରୁଟି ଦୋହରାଇବାକୁ ଯାଉଛନ୍ତି କର୍ତ୍ତୃପକ୍ଷ । 

ଆମ ବସ୍‌ ଏବଂ ଓଏସ୍‌ଆରଟିସି ଭଳି ସରକାରୀ ସଂସ୍ଥା ଲାଭ କରୁନାହାନ୍ତି । ଏହା କେବେ ଲାଭଜନକ ସଂସ୍ଥା ନୁହଁନ୍ତି । ତଥାପି ସରକାର ବୃହତ୍‌ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ଚଲାଉଛନ୍ତି । କିନ୍ତୁ ଫିସଫେଡ୍‌ କର୍ତ୍ତୃପକ୍ଷ ନିଜ ସ୍ୱାର୍ଥ ପୂରଣ ପାଇଁ ଲୋକଙ୍କ ସ୍ୱାର୍ଥ ପ୍ରତି ଆଖିବୁଜି ଦେଉଛନ୍ତି । ଗତ ୨ ତାରିଖରେ ଶିରିପୁର କିଓସ୍କ ପାଇଁ ଟେଣ୍ଡର ଆହ୍ୱାନ ହୋଇଥିଲା । ୨୩ ତାରିଖ ବିଡ୍‌ ଦାଖଲର ଶେଷ ତାରିଖ ଥିଲା । କିନ୍ତୁ କେହି ଜଣେ ବି ବିଡ୍‌ ଦାଖଲ କଲେନି । ଅପଦସ୍ତ ହେବା ଭୟରେ ଏହାକୁ ଜୁଲାଇ ୧୪ ତାରିଖ ଯାଏ ଘୁଞ୍ଚାଇ ଦେଇଛି । ଫିସଫେଡ୍‌ କର୍ତ୍ତୃପକ୍ଷ ନିଜ ଦୋଷ ଲୁଚାଇବାକୁ କିଛି ପୁରୁଖା ଅଧିକାରୀଙ୍କୁ ପୂର୍ବରୁ ଚୌକିରୁ ହଟାଇଥିଲେ । ଏବେ କିଛି କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ଅନ୍ୟ କର୍ମଚାରୀମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ପୂର୍ବତନ ଅଧିକାରୀ କହିଛନ୍ତି, ଚିଲିକା ଫ୍ରେସର ସତ୍ତା ବୁଡ଼ାଇବାକୁ ଅପଚେଷ୍ଟା ଚାଲିଛି । ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ । ଗତ ମାସରେ ସିଆରପି ଓ ସହିଦନଗର ଚିଲିକାଫ୍ରେସ କାଉଣ୍ଟରକୁ ଘରୋଇକରଣ କରାଯାଇଛି । ମତ୍ସ୍ୟସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କିଓସ୍କର ଘରୋଇକରଣ ହେଲେ ବି କୌଣସି ପୁରୁଣା କର୍ମଚାରୀ ପ୍ରଭାବିତ ହେବେନି।

ଆହୁରି ପଢନ୍ତୁ- ଏବେବି ସ୍କୁଲଗୁଡ଼ିକୁ ପଠାଯାଉଛି ତ୍ରୁଟିପୂର୍ଣ୍ଣ ବହି, ଭୁଲ୍ ଚିତ୍ରରେ ଷ୍ଟିକର ଲଗାଇ ପଢାଇବାକୁ ଚାଲିଛି ଯୋଜନା

ବ୍ୟାଙ୍କ କର୍ମଚାରୀ ନିଲମ୍ବିତ ହେବା ପରେ ମୋ ଜୀବନ ପ୍ରତି ବିପଦ ଅଛି, ରାଗରେ ମୋତେ ମାରିଦେବେ