ନୀଳଗିରିରେ ବଢୁଛି ରାଜନୀତି ତାତି, ବିଜେପି ହାତ ଛାଡିଲେ ପଞ୍ଚାୟତ ସଭାପତି

ନୀଳଗିରି : ଆଗକୁ ସାଧାରଣ ନିର୍ବାଚନ। ଏବେ ଠାରୁ ଆରମ୍ଭ ହେଲାଣି ନିର୍ବାଚନ ତାତି। ବିଭିନ୍ନ କାରଣ ପାଇଁ ଦଳ ଛାଡି ଅନ୍ୟଦଳରେ ମିଶିଲେଣି ଅସନ୍ତୁଷ୍ଟ କର୍ମୀ। ସୂଚନାଯୋଗ୍ୟ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳ ତାର ସଙ୍ଗଠନ ଶକ୍ତି ବୃଦ୍ଧି ନେଇ ଫଞ୍ଚୟତ ସ୍ତରରେ ବୈଠକ କଲେଣି।
ଗତ ନିର୍ବାଚନରେ ଥିବା ତ୍ରୁଟିକୁ ମଧ୍ୟ ସୁଧାରିବା ଆରମ୍ଭ କଲେଣି। ତେବେ ନୀଳଗିରି ବିଜେଡି ଗତ ସାଧାରଣ ନିର୍ବାଚନରେ ମାତ୍ର ୧୫୦୦ ଭୋଟରେ ପରାଜିତ ହୋଇଥିବା ବେଳେ ସେ ଭୁଲ ଆଉ ଦୋହରାଇବ ନାହିଁ। ଏନେଇ ଏବେଠାରୁ ଆରମ୍ଭ କଲାଣି ବ୍ଲୁ ପ୍ରିଣ୍ଟ। ବୁଥସ୍ତରରେ ବିଭିନ୍ନ ବୈଠକ କରିବା ସହ ଗାଁରେ ଥିବା ସମସ୍ୟାର ସମାଧାନ କରିବାକୁ ଲାଗିପଡିଥିବା ଦେଖିବାକୁ ମିଳିଛି। ନୀଳଗିରି ବ୍ଲକ ଅଧିନ କେସିପୁର ପଞ୍ଚାୟତ,ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତରେ ବୁଥସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ଆଜି (ମଙ୍ଗଳବାର) ବିଜେପି ଛାଡି ବିଜେଡିର ମିଶିଛନ୍ତି ୨୦ରୁ ଅଧିକ କର୍ମୀ। ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କେସିପୁର ପଞ୍ଚାୟତର ବିଜେପି ସଭାପତି ପ୍ରତାପ ବେହେରା ଦଳ ଛାଡିଥିବା ଜଣାପଡିଛି। ତାଙ୍କ ତତ୍ତ୍ୱବଧାନରେ ୨୦ ଜଣ କର୍ମୀ ମଧ୍ୟ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି। ବିଜେଡି ନେତା ସନ୍ତୋଷ ଖଟୁଆ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିବା ବେଳେ ଏହି ମିଶ୍ରଣ ଆଗକୁ କେସିପୁର ପଞ୍ଚାୟତରେ ବିଜେଡିର ଶକ୍ତି ନିଶ୍ଚୟ ବୃଦ୍ଧି ହେବ ବୋଲି ପ୍ରକାଶ କରିଛନ୍ତି। ତେବେ ବିଜେଡି ମିଶିବା ପରେ ପ୍ରତାପ ତାଙ୍କ ପ୍ରତିକ୍ରିୟାରେ ସନ୍ତୋଷ ଖଟୁଆଙ୍କ ନେତୃତ୍ୱ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଥିବା କହିଛନ୍ତି।