ପୁରୀ,୨୨/୫ : ପୁରୀରେ ମିକା ସିଂ। ଭାରତର ଜଣାଶୁଣା ଗାୟକ ତଥା ଅଭିନେତା ମିକା ସିଂ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଛନ୍ତି । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ଜୟ ଜଗନ୍ନାଥ କହି ନିଜ ହୃଦୟର କଥା ବଖାଣିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିବା ସହ ଅତି ସୁନ୍ଦର ଦର୍ଶନ ହେଲା ବୋଲି କହିଛନ୍ତି ।
ସେହିପରି ମହାପ୍ରଭୁଙ୍କର ଦୁର୍ଲଭ ମହାପ୍ରସାଦ ସେବନ କରିବାର ସୁଯୋଗ ମିଳିଥିବା କହିଛନ୍ତି। ଶ୍ରୀମନ୍ଦିରରୁ ଅନେକ କିଛି ଶିଖିବାକୁ ମିଳୁଛି । ମହାପ୍ରଭୁଙ୍କୁ ଯେତେବେଳେ ଯିଏ ଯାହା ମାଗନ୍ତି ମହାପ୍ରଭୁ ସବୁ ଆଶା ପୂରଣ କରିଦିଅନ୍ତି । ଏଣୁ ମହାପ୍ରଭୁଙ୍କ ପାଖକୁ ଆସି ଦର୍ଶନ କରି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି କହିଛନ୍ତି । ଏଥିସହ ଦେଶର ମଙ୍ଗଳ କାମନା ସହିତ ଭାରତ ଏବଂ ଭାରତ ବାହାରେ ଥିବା ପ୍ରଶଂସକମାନଙ୍କର ମଙ୍ଗଳ କାମନା କରିଛନ୍ତି ମିକା ସିଂ।