ଦୁଇ ସନ୍ତାନର ଜନନୀଙ୍କ ଅନ୍ତର୍ଜାତୀୟ କ୍ରୀଡ଼ାରେ ସଫଳତା: ପାୱାର୍ ଲିଫ୍ଟର ରଞ୍ଜିତା ସମ୍ବର୍ଦ୍ଧିତ

ବ୍ରହ୍ମପୁର, ୭ା୨(ବ୍ୟୁରୋ): ଏସୀୟ କ୍ଲାସିକ୍ ପାୱାର୍ଲିଫ୍ଟିଂ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବା ପାୱାର୍ ଲିଫ୍ଟର୍ (ଶକ୍ତି ଉତ୍ତୋଳିକା) ରଞ୍ଜିତା ମିଶ୍ରଙ୍କୁ ବ୍ରହ୍ମପୁର ଷ୍ଟାଡିୟମ୍ରେ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି । ଏହି ଓଡ଼ିଆ ମହିଳାଜଣକ ସମ୍ପ୍ରତି ମହାରାଷ୍ଟ୍ରର ମୁମ୍ବାଇରେ ରହୁଛନ୍ତି । ବର୍ତ୍ତମାନ ସେ ନିଜ ମୂଳ ସହର ବ୍ରହ୍ମପୁର ବୁଲି ଆସିଛନ୍ତି । ଏହି ଅବସରରେ ଗୁରୁବାର ସେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଥିଲେ । ଅନ୍ତର୍ଜାତୀୟ ଶକ୍ତି ଉତ୍ତୋଳିକା ରଞ୍ଜିତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ କ୍ରୀଡ଼ା ଛାତ୍ରାବାସ କର୍ତ୍ତୃପକ୍ଷ ଓ ସହରର କ୍ରୀଡ଼ାପ୍ରେମୀ ଗୋଷ୍ଠୀ । ସେ ସ୍ପୋର୍ଟ୍ସ ହଷ୍ଟେଲ୍ର ଭାରୋତ୍ତୋଳନଙ୍କ ସମେତ ଷ୍ଟାଡିୟମ୍ରେ ଅଭ୍ୟାସ କରୁଥିବା ଯୁବ ବକ୍ସରମାନଙ୍କୁ ପ୍ରେରଣା ଦେଇଥିଲେ । ତାଙ୍କୁ ପାଖରେ ପାଇ ବେଶ୍ ଉତ୍ସାହିତ ହୋଇଥିଲେ କ୍ରୀଡ଼ାବିତ୍ ।
ସମ୍ବର୍ଦ୍ଧନାର ଉତ୍ତରରେ ରଞ୍ଜିତା ନିଜ ସଂଘର୍ଷମୟ ଖେଳ ଜୀବନ ସମ୍ପର୍କରେ କହିବା ସହ ଖେଳରେ ଶ୍ରେଷ୍ଠ ସଫଳତା ହାସଲ କରିବା ପାଇଁ ବୟସକୁ ପ୍ରାଧାନ୍ୟ ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି । ଇଚ୍ଛାଶକ୍ତି ପାଖରେ ବୟସ କେବଳ ଏକ ସଂଖ୍ୟା ବୋଲି କହିଛନ୍ତି ଦୁଇ ସନ୍ତାନର ଏହି ଜନନୀ । ସମ୍ବର୍ଦ୍ଧନା ସଭାରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ, ଆଥ୍ଲେଟିକ୍ସ ଅବସରପ୍ରାପ୍ତ କୋଚ୍ ସୁରେନ୍ଦ୍ର ପଟ୍ଟନାୟକ, ବାସ୍କେଟ୍ବଲ୍ କୋଚ୍ କାଜଲ କୁମାର ସାହୁ, ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ଶିଶିର ପାଣିଗ୍ରାହୀ, ଭାରୋତ୍ତୋଳନ ପ୍ରଶିକ୍ଷିକା ସୀତା ଜେନା, ବ୍ରହ୍ମପୁର ଷ୍ଟାଡିୟମ୍ ଇନ୍ଚାର୍ଜ ସଚ୍ଚିନ୍ଦ୍ର ମାଝୀ ଉପସ୍ଥିତ ଥିଲେ । ରଞ୍ଜିତା ମିଶ୍ରଙ୍କ ପିତା ବ୍ରହ୍ମପୁର ଗାନ୍ଧିନଗର-୨ ଗଳି ବାସିନ୍ଦା ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ସହକାରୀ ରେଜିଷ୍ଟ୍ରାର୍ ଜଗନମୋହନ ମହାପାତ୍ର, ନୃସିଂହ ପାଢୀଙ୍କ ସମେତ ବହୁ ଭେଟେରାନ୍ ଖେଳାଳି ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗୋଲିଆରେ ନିକଟରେ ଅନୁଷ୍ଠିତ ଏସିଆ କ୍ଲାସିକ୍ ପାୱାର୍ଲିଫ୍ଟ ଚାମ୍ପିଅନ୍ସିପ୍ରେ ୧୨୨ କେଜି ଶକ୍ତି ଉତ୍ତୋଳନ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ରଞ୍ଜିତା । ଏସୀୟ ପଦାର୍ପଣରେ ସ୍ୱର୍ଣ୍ଣବିଜେତା ସାଜିଛନ୍ତି କୋଚ୍ ବିନୁତା ରଘୁନାଥଙ୍କ ଏହି ଶିଷ୍ୟା । ଭବିଷ୍ୟତରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ ।