ଜାପାନୀ ଶବ୍ଦ "ସାତୋୟାମା'ର ଆକ୍ଷରିକ ଅର୍ଥ "ପର୍ବତ ପରିବେଷ୍ଟିତ ଗ୍ରାମ’ । ଜାପାନ ଭଳି ଗୋଟିଏ ଉନ୍ନତଶୀଳ ବିକଶିତ ଦେଶ ନିଜ ପରମ୍ପରାରେ ପ୍ରାକୃତିକ ସମ୍ବଳ ପରିଚାଳନାକୁ ପ୍ରାଧାନ୍ୟ ଦେଇପାରିଛି । ସୁତରାଂ, ଭାରତବର୍ଷ ଭଳି ପରମ୍ପରା ଭରା ଦେଶରେ ସାମାଜିକ ପରମ୍ପରାରେ ପ୍ରାକୃତିକ ସମ୍ବଳର ପରିଚାଳନା କରିବା ଆମ ପାଇଁ ନିଶ୍ଚିତ ଅତି ସହଜ ହେବ ।
ସାତୋୟାମା ପ୍ରକୃତ ପକ୍ଷେ ଗୋଟିଏ ଜାପାନୀ ଶବ୍ଦ, ଯାହାକୁ ଆମେ ଭାଙ୍ଗିଲେ ଆକ୍ଷରିକ ଅର୍ଥରେ ଜଣାପଡ଼ିବ "ପର୍ବତ ପରିବେଷ୍ଟିତ ଗ୍ରାମ’ । ଯେହେତୁ "ସାତୋ’ର ଅର୍ଥ "ଗ୍ରାମ’ ଏବଂ "ୟାମା’ର ଅର୍ଥ "ପର୍ବତ’ । ଏହି ଜାପାନୀ ଶବ୍ଦର ଆଲୋଚନା କାହିଁକି, ପରିଶେଷରେ ନିଶ୍ଚୟ ଅନୁଭବ କରିହେବ । ସାତୋୟାମା ମନୁଷ୍ୟ ଏବଂ ପ୍ରକୃତିର ମିଳିତ ସହାବସ୍ଥାନର ଏକ ବିଶ୍ୱସ୍ତରୀୟ ପରିଚୟ ଅଟେ । ଏହା ଶତାବ୍ଦୀ ଶତାବ୍ଦୀ ଧରି ସ୍ଥାନୀୟ ଜନସମୁଦାୟଙ୍କ ଦ୍ୱାରା ଜଙ୍ଗଲ, ଚାଷଜମି, ଗୋଚରଣ ଭୂଇଁ ଏବଂ ଜଳସ୍ରୋତଗୁଡ଼ିକର ଏକସଙ୍ଗରେ ପରିଚାଳନା କରି ଚିରନ୍ତନତା ଆଡ଼କୁ ଆଗକୁ ନେଇଯାଉଛି । ପ୍ରକାରାନ୍ତରେ, ଏହା ଆମ ଭାରତରେ ୫ଟି ଜ’ ଯଥା- ଜଳ, ଜମି, ଜଙ୍ଗଲ, ଜନ୍ତୁ ଏବଂ ଜନମାନଙ୍କ ସାମୂହିକ ବିକାଶ ହିଁ ସୂଚାଏ । ପରିଣାମ, ସାମୂହିକ ସମ୍ବଳ ପରିଚାଳନା ଯୋଗୁଁ ଜୀବନ ଜୀବିକା ସହ ପରିସଂସ୍ଥାନୀୟ ଭାରସାମ୍ୟ ରକ୍ଷା କରିହୁଏ ।
ସାତୋୟାମାର ମୂଳ ମନ୍ତ୍ର ହେଉଛି "ପ୍ରକୃତି ସହ ଚଳିବା’ । ପ୍ରକୃତି ସମସ୍ତ ଜୀବମଣ୍ଡଳକୁ ଖାଦ୍ୟ, ଜଳ, ବାୟୁ, ଜାଳେଣି, ପଶୁ, ଚାରା ଆଦି ଯୋଗେଇ ଦେଇପାରୁଛି ଏବଂ ମନୁଷ୍ୟର ସୁରକ୍ଷା ଯୋଗୁଁ ଜୈବବିବିଧତା ଏବଂ ପରିସଂସ୍ଥାନର ନିରାପତ୍ତା ସମ୍ଭବ । ମୁଖ୍ୟତଃ ସାତୋୟାମା ତିନିଟି ଚିରନ୍ତନ ଦର୍ଶନ ଉପରେ ଆଧାରିତ: ପ୍ରକୃତିର ସଂରକ୍ଷଣ, ପ୍ରକୃତି ସହ ସହାବସ୍ଥାନ ଏବଂ ବିପର୍ଯ୍ୟୟରୁ ପ୍ରକୃତିର ପ୍ରତ୍ୟାବର୍ତ୍ତନ ।
ଭାରତୀୟ ଦୃଷ୍ଟିଭଙ୍ଗୀରେ ଜଳ, ଜମି, ଜଙ୍ଗଲ, ଜନ୍ତୁ ଆଦିଙ୍କ ସୁରକ୍ଷା ଆମେ ଗ୍ରାମ୍ୟ ଜାହିରା, ଗ୍ରାମ୍ୟ ଜଙ୍ଗଲ ତଥା ଗୋଷ୍ଠୀଭିତ୍ତିକ ସଂରକ୍ଷଣ ଅଞ୍ଚଳ ମାଧ୍ୟମରେ କରିଆସୁଥିଲୁ, ତାହା ପରିସଂସ୍ଥାନର ଭାରସାମ୍ୟ, ସାମାଜିକ ସମାନତା ତଥା ପ୍ରାକୃତିକ ସମ୍ବଳ ସହ ପରମ୍ପରାର ସୁରକ୍ଷା ଅନେକ ଶତାବ୍ଦୀ ଧରି ତୁଲେଇ ଆସିଥିଲା । କିନ୍ତୁ ସେଗୁଡ଼ିକର ସୁରକ୍ଷା ଅଧୁନା ପ୍ରଶ୍ନବାଚୀ ।
ଜାପାନ ଇଣ୍ଟରନ୍ୟାସନାଲ କୋ- ଅପରେସନ ଏଜେନ୍ସି, ଯାହାକୁ ଆମେ ସଂକ୍ଷିପ୍ତରେ ‘ଜାଇକା’ ହିସାବରେ ଜାଣୁ, ସେହି ସଂସ୍ଥା ଅନେକ ଦେଶ ସହ ଭାରତକୁ ମଧ୍ୟ ଜଙ୍ଗଲ ଓ ପରିବେଶ ଅବସ୍ଥିତିର ଉନ୍ନତି ନିମନ୍ତେ ଅଳ୍ପ ସୁଧରେ ଋଣ ପ୍ରଦାନ କରେ । ଓଡ଼ିଶା ଏହା ମଧ୍ୟରୁ ଅନ୍ୟତମ । ୨୦୧୦ ମସିହା ପରଠାରୁ ଯେଉଁ ଦେଶକୁ ଜାଇକା ଋଣ ପ୍ରଦାନ କରିଛି ସେଠାରେ ସାତୋୟାମା କାର୍ଯ୍ୟକଳାପକୁ "ସାତୋୟାମା ପ୍ରୟାସ’ ମାଧ୍ୟ୍ୟମରେ କାର୍ଯ୍ୟକ୍ଷମ କରାଯାଉଛି । ଜାପାନର ପରିବେଶ ମନ୍ତ୍ରାଳୟ ଏବଂ "ଚିରନ୍ତନତାର ଉନ୍ନତ ଅଧ୍ୟୟନ ପାଇଁ ମିଳିତ ଜାତିସଂଘ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାନ’ ଦ୍ୱୟର ମିଳିତ ଉଦ୍ୟମରେ ସାତୋୟାମା ପ୍ରୟାସ ଏହି ମସିହାରୁ ଆରମ୍ଭ ହୋଇଥିଲା । ସେପରି ପ୍ରତ୍ୟକ୍ଷ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲ୍ୟାଣ୍ଡ ଏବଂ ପରୋକ୍ଷରେ ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ହରିଆଣା, ତାମିଲନାଡୁ, କର୍ଣ୍ଣାଟକ, ସିକ୍କିମ, ଉତ୍ତର ପ୍ରଦେଶ, ଗୁଜରାଟ, କେରଳ ଆଦି ସାତୋୟାମା ପ୍ରୟାସ ମଧ୍ୟରେ ଅନ୍ତର୍ଭୁକ୍ତ ।
ସଗର୍ବରେ ଲେଖୁଛି, ଭାରତରେ ଆମ ଓଡ଼ିଶା ହିଁ ସାତୋୟାମା କାର୍ଯ୍ୟକଳାପକୁ ଅଗ୍ରସର କରାଇବାରେ ସର୍ବପ୍ରଥମ ରାଜ୍ୟ । ସମ୍ବଲପୁର ଜିଲ୍ଲାର ବାମଡ଼ା ଫରେଷ୍ଟ ଡିଭିଜନର ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟରେ "ସାତୋୟାମା ପ୍ରୟାସ’ କାର୍ଯ୍ୟକ୍ଷମ ହେଉଛି । ଏହି କାର୍ଯ୍ୟକ୍ରମକୁ ୧୦ଟି ଗାଁରେ "ଇକୋ ଡେଭେଲପ୍ମେଣ୍ଟ କମିଟି’ ମାଧ୍ୟମରେ କରାଯାଉଛି । "ଅଣୁ ଯୋଜନା’ର ପ୍ରସ୍ତୁତି ପରେ ଗ୍ରାମସଭାରେ ଅନୁମୋଦନ କ୍ରମେ ଜଙ୍ଗଲ ନିଆଁର ପ୍ରତିରୋଧ, ପାଣି ଅଟକ ବନ୍ଧ ମାଧ୍ୟମରେ ମୃତ୍ତିକା ଏବଂ ଜଳ ସଂରକ୍ଷଣ, ଜଳସ୍ରୋତ ଦିଗରେ ଉଚିତ ଜଳପ୍ରବାହ, ଆକ୍ରମଣଶୀଳ ଅବାଞ୍ଛିତ ଉଦ୍ଭିଦଗୁଡ଼ିକର ଆୟତ୍ତ, ରାସ୍ତାକଡ଼ ତଥା ଔଷଧୀୟ ବୃକ୍ଷରୋପଣ, ସ୍ଥାନୀୟ ଦେଶୀ ଉଦ୍ଭିଦର ପ୍ରୋତ୍ସାହନ ସହ ଇନ୍ଧନ ଦକ୍ଷ ଧୂମ୍ରହୀନ ଚୁଲାର ବ୍ୟବହାର, ସୋଲାର ବାଡ଼, ବନ୍ୟଜନ୍ତୁ ଏବଂ ପକ୍ଷୀଙ୍କ ଜଳାଶୟ, କୃତ୍ରିମ ପକ୍ଷୀ ବସା ତଥା ପ୍ଲାଷ୍ଟିକମୁକ୍ତ ଗ୍ରାମ ଅଭିଯାନରେ ଜୈବିକ ବ୍ୟାଗ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଆଦି ପ୍ରକୃତି ସଂରକ୍ଷଣରେ ଅନ୍ତର୍ଭୁକ୍ତ । ଜୀବିକା ପାଇଁ ପାରମ୍ପରିକ "ଭଜନା’ ଧାନର ପୁନରୁତ୍ଥାନ, ଜୈବିକ ଏବଂ କ୍ଷୁଦ୍ର ଜାତୀୟ ଶସ୍ୟର ଚାଷ, ସୋରିଷ ଚାଷ, ନିଜ ବାଡ଼ିରେ ବଗିଚା, ଆତ, ଛତୁ, ମହୁଚାଷ ଏବଂ ଛୋଟ ନର୍ସରୀ ସୃଷ୍ଟି ଆଦି ଅନ୍ତର୍ଭୁକ୍ତ । ଏହା ସହ ସ୍ୱାସ୍ଥ୍ୟ ଓ ପଶୁମାନଙ୍କ ପାଇଁ ଶିବିର, ସରକାରୀ ଯୋଜନାର ସଂଯୋଗୀକରଣ, ଶିକ୍ଷାତ୍ମକ ଭ୍ରମଣ ଆଦି ମଧ୍ୟ କରାଯାଇଛି । ଏଥିଯୋଗୁଁ ଜୀବାଶ୍ମ ଇନ୍ଧନର କମ୍ ବ୍ୟବହାର, ଜଳ, ଜମି, ଜଙ୍ଗଲ, ଜନ୍ତୁ ଏବଂ ଜନମାନଙ୍କ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନ ନିରୋଧୀ କାର୍ଯ୍ୟକ୍ରମ ଅତି ସୁଚାରୁ ରୂପେ କରାଯାଇପାରିଛି ।
ହିମାଚଳ ପ୍ରଦେଶରେ ଦୁଇଟି ଯଥା-କୁଲ୍ଲୁ ଏବଂ ସ୍ପିତି ଫରେଷ୍ଟ ଡିଭିଜନରେ ବାନ୍ଦିଲି, ଖୋଖଣ, କାଇସ, ମନାଲି, କାଜା ଏବଂ ତାବୋ ବନ୍ୟଜନ୍ତୁ ଅଭୟାରଣ୍ୟରେ ସମୁଦାୟ ୨୦ଟି ସ୍ଥାନୀୟ ଜୈବବିବିଧତା ପରିଚାଳନା କମିଟି ମାଧ୍ୟମରେ ସାତୋୟାମା ପ୍ରୟାସ କାର୍ଯ୍ୟକାରୀ କରାଯାଉଛି । କାର୍ଯ୍ୟକ୍ରମ ମଧ୍ୟରେ ଅଭୟାରଣ୍ୟରେ ଚାରଣ ଚାପ କମେଇବା ନିମନ୍ତେ ଗୁହାଳ ମଧ୍ୟରେ ଗା-ଚାରା ପରିବେଷଣ, ପଶୁଚାରଣ ନିମନ୍ତେ ନାପିଆର ଘାସଚାଷ, ବିକଳ୍ପ ଚାରଣ ବ୍ୟବସ୍ଥା, ଚୌଡ଼ା ପତ୍ରବାଲା ବୃକ୍ଷରୋପଣ ଏବଂ ଗୋରୁଙ୍କ ପାଇଁ ଖଣିଜ ଲବଣଯୁକ୍ତ ପଥର ଚଟାର ବ୍ୟବସ୍ଥା ସହ ଔଷଧୀୟ ବୃକ୍ଷରୋପଣ ଓ ପ୍ରକ୍ରିୟାକରଣ, ଉଚିତ ଭାବରେ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ, ଘରପଛ ଔଷଧୀୟ ବଗିଚାର ପ୍ରୋତ୍ସାହନ, କମି ଯାଉଥିବା କାଷ୍ଠ ଏବଂ ଲଘୁ ବନଜାତ ବୃକ୍ଷର ପୁନରୁଦ୍ଧାର ଏବଂ ହିମାଳୟ ଅଞ୍ଚଳର ଉଚ୍ଚଭୂମି ଚାରା କ୍ଷେତ୍ରର ସଂରକ୍ଷଣ ସହ ଜୀବଜନ୍ତୁମାନଙ୍କ ପାଇଁ ସୋଲାର ବାଡ଼, ଜଙ୍ଗଲରେ ବନ୍ୟଫଳର ଚାରା ରୋପଣ, ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ "ଗୁଛି’ ଜଙ୍ଗଲୀ ଛତୁର ସଂରକ୍ଷଣ ତଥା ପ୍ରୋତ୍ସାହନ ଏବଂ ମୟୂର ମୟୂରୀମାନଙ୍କ ସୁରକ୍ଷା ଆଦି ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଜୀବିକା ନିମନ୍ତେ ଜଙ୍ଗଲୀ ବାଉଁଶ ଓ ପାଇନ ଗଛର ଛୁଞ୍ଚି ଭଳି ପତ୍ରରୁ ହସ୍ତଶିଳ୍ପ ସହ ସେଠାକାର କ୍ଷୁଦ୍ରଶସ୍ୟ, ଯେପରି କାଦରା, କାଉଣି, ଶିରିୟାରା ଆଦିର ପୁନରୁତ୍ଥାନ ଏବଂ ଜିଆଖତର ଉତ୍ପାଦନ ମାଧ୍ୟମରେ ଜୈବିକ କୃଷିର ପ୍ରସାର କରାଯାଉଛି ।
ସ୍ପିତି ଅଞ୍ଚଳ ଯାହା "ହିମ ମରୁଭୂମି’ ନାମରେ ପରିଚିତ, ସେଠାରେ ଜଳର ନିଅଣ୍ଟକୁ ପୂରଣ କରିବାପାଇଁ ତୁଷାରକୁ ବନ୍ଧ ବାନ୍ଧି ରଖାଯାଇଛି । ସେହିପରି "ସିବକଥର୍ନ ଗୁଳ୍ମ’ ଯାହା ଗୋଟିଏ ମହାର୍ଘ୍ୟ ଔଷଧ, ତା'ର ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ପାଇଁ ପ୍ରଚେଷ୍ଟା କରାଯାଉଛି ।
ତ୍ରିପୁରାରେ ଭୂଖଣ୍ଡ କ୍ଷେତ୍ରର ପୁନରୁତ୍ଥାନ ସହ କୃଷି-ଜଙ୍ଗଲ ମଡେଲ, ବାଉଁଶର କୃଷି ଏବଂ ଲଘୁ ବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଦ୍ୱାରା ଜୀବିକାର ବୃଦ୍ଧି ଅନ୍ତର୍ଭୁକ୍ତ । ନାଗାଲ୍ୟାଣ୍ଡରେ ଝୁମ ବା ପୋଡ଼ୁଚାଷ ଅଞ୍ଚଳର ଉତ୍ପାଦିକା ଶକ୍ତିର ବୃଦ୍ଧି, ଝୁମ-କୃଷି-ଜଙ୍ଗଲ ମଡେଲର ଚିନ୍ତନ ଏବଂ କାର୍ଯ୍ୟକ୍ଷମ, ଜଳ ସଂରକ୍ଷଣ ତଥା ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର, ଗ୍ରାମ୍ୟ ନର୍ସରୀ ସହ ଜଙ୍ଗଲ ଭିତ୍ତିକ ଗ୍ରାମୀଣ ଅର୍ଥନୀତିର ଉନ୍ନତି ଆଦି ସାତୋୟାମା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ । ପଶ୍ଚିମବଙ୍ଗରେ ବନ୍ୟ ଅଭୟାରଣ୍ୟ ଭିତର ତଥା ବାହାରେ ସ୍ଥାନୀୟ ବୃକ୍ଷଲତା ଆଦି ଜୀବଜନ୍ତୁଙ୍କ ଚାହିଦା ପୂରଣ ସହ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ନିମନ୍ତେ ଯୋଜନା କରାଯାଇଛି । ଉପରୋକ୍ତ ତାଲିକାଭୁକ୍ତ ଅନ୍ୟ ରାଜ୍ୟଗୁଡ଼ିକ ଯଦିଓ ସିଧାସଳଖ ସାତୋୟାମା ନାଁରେ ପ୍ରକଳ୍ପ ଚଲାଉ ନାହାନ୍ତି, କିନ୍ତୁ ପରୋକ୍ଷରେ ସାତୋୟାମା ଢାଞ୍ଚାକୁ ନିଶ୍ଚୟ ଅନୁସରଣ କରୁଛନ୍ତି ।
ସୂଚନାଯୋଗ୍ୟ, ଯଦିଓ ଉପରୋକ୍ତ ସାତୋୟାମା କାର୍ଯ୍ୟକ୍ରମ ପାଇଁ ବୈଜ୍ଞାନିକ ପଦ୍ଧତି ମଧ୍ୟ ଆପଣା ଯାଇଛି, ସବୁଠି ପାରମ୍ପରିକ ଜ୍ଞାନକୁ ପ୍ରାଧାନ୍ୟ ସହ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପରେ କରାଯାଉଛି । ଶିକ୍ଷାତ୍ମକ ଭ୍ରମଣ ମାଧ୍ୟମରେ ଭାରତୀୟ ସମୁଦାୟରୁ ଜାପାନ ନେଇ ସେଠାରୁ ମଧ୍ୟ ଶିକ୍ଷା ଦେଇ ଅଣାଯାଉଛି ।
ଭାରତ ଜୈବବିବିଧତାର ମୁଖ୍ୟ ଭୂଖଣ୍ଡ ସମୂହ ପାରମ୍ପରିକ ଜ୍ଞାନ ଦ୍ୱାରା ହିଁ ସମୃଦ୍ଧ ହୋଇଛନ୍ତି । ଭାରତର ଜାତୀୟ ଜୈବବିବିଧତା ପ୍ରାଧିକରଣ ଏବଂ ରାଜ୍ୟ ଜୈବବିବିଧତା ପରିଷଦ ସବୁ ପାରମ୍ପରିକ ଜ୍ଞାନକୁ ଲୋକ ଜୈବବିବିଧତା ରେଜିଷ୍ଟର ମାଧ୍ୟମରେ ସ୍ୱୀକୃତି ଦେଉଛନ୍ତି ଏବଂ ଏହା ପ୍ରକାରାନ୍ତରେ ସାତୋୟାମା ସହ ତୁଳନୀୟ । କିନ୍ତୁ କାମ ଅଳ୍ପ ହୋଇଛି ଏବଂ ଅନେକ କାମ ବାକି ଅଛି ଏହି ଦିଗରେ ।
ଜାପାନ ଭଳି ଉନ୍ନତଶୀଳ ଓ ବିକଶିତ ଦେଶ ଯଦି ପରମ୍ପରାକୁ ଜାବୁଡ଼ି ଧରି ନିଜ ଦେଶ ସହ ଅନ୍ୟ ଦେଶଗୁଡିକରେ ପରମ୍ପରାଗତ ଭାବେ ପ୍ରାକୃତିକ ସମ୍ବଳ ପରିଚାଳନାର ପ୍ରଚାର ଓ ପ୍ରସାର କରିପାରୁଛି, ତେବେ ଆମ ଭାରତବର୍ଷ ଭଳି ପରମ୍ପରା ଭରା ଦେଶରେ ପରମ୍ପରାକୁ ପ୍ରାକୃତିକ ସମ୍ବଳର ପରିଚାଳନା ନିମନ୍ତେ ଆପଣେଇବାରେ ଅସୁବିଧା ରହିବା ଉଚିତ କି?