ଏବେ ଯେଭଳି ପରିସ୍ଥିତିର ସମ୍ମୁଖୀନ ହେଉଛେ, ସେଥିମଧ୍ୟରେ ଗୋଟିଏପଟେ ରାଷ୍ଟ୍ରର ହିଂସା ଓ ଅନ୍ୟପଟେ ସମାଜର ହିଂସା ଭିତରେ ସାଧାରଣ ଲୋକଟି ଯେମିତି ପେଷି ହୋଇଯାଉଛି । ସେ ପରିପ୍ରେକ୍ଷୀରେ ତାକୁ ସମସ୍ୟା ସାଗରରୁ ଉଦ୍ଧାର କରିବ କିଏ? ତାକୁ ଉଦ୍ଧାର କରିବା ପାଇଁ କେହି ଉଦ୍ଧାରକାରୀ ଆସିବେ ନାହିଁ । ନିଜେ ହିଁ ନିଜର ଭାଗ୍ୟନିୟନ୍ତା ସାଜି ପରିସ୍ଥିତିରୁ କିଭଳି ମୁକୁଳିବ, ସେ ସଂକ୍ରାନ୍ତରେ ପ୍ରତ୍ୟେକ ବ୍ୟକ୍ତି ଉପାୟ ଚିନ୍ତା କରିବା ଆବଶ୍ୟକ ।
ବହୁବର୍ଷ ତଳେ ପିଲାଦିନେ ଶୁଣିଥିବା ଅନେକ ଗପ ଭିତରୁ ଦୁଇଟି । ସାମ୍ପ୍ରତିକ ପରିସ୍ଥିତିରେ ଏହାର ପ୍ରାସଙ୍ଗିକତା ଅନୁଭବ କରାଯାଉଥିବାରୁ ଗପ ହେଲେ ବି ଏହାର ମର୍ମ ଏବେ ସତ ଭାବେ ଫୁଟିଉଠୁଛି । ବ୍ୟବସ୍ଥାର ବଡ଼ପଣ୍ଡାମାନେ ଏହି ଗପ ଦୁଇଟି ପ୍ରତି କେତେ ଧ୍ୟାନଦେବେ ତାହା ଜଣାନାହିଁ, କିନ୍ତୁ ସାଧାରଣ ଲୋକେ ଏହାର ମର୍ମ ଅନୁଭବ କରି ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କଲେ ବଢ଼ିଚାଲୁଥିବା ବହୁ ସମସ୍ୟାର ସରଳ ସମଧାନ ଯେ ହୋଇପାରିବ ଏଥିରେ ସନ୍ଦେହ ନାହିଁ ।
ପ୍ରଥମ ଗଳ୍ପର କଥାବସ୍ତୁ- ବହୁବର୍ଷ ତଳେ ରାଜତନ୍ତ୍ର କାଳରେ ଗୋଟିଏ ରାଜ୍ୟରେ ଏକ ବିଚିତ୍ର ପ୍ରଥା ପ୍ରଚଳିତ ହେଉଥିଲା । ସେଠି କେହି ପୁରୁଷାନୁକ୍ରମେ ରାଜା ହେଉନଥିଲେ । ୫ବର୍ଷ ବ୍ୟବଧାନରେ ରାଜାଙ୍କ ପାଟହାତୀ ଯାହା ମୁଣ୍ଡରେ ସୁନା କଳସର ପାଣି ଢାଳୁଥିଲା ତାଙ୍କୁ ରାଜାଭାବେ ବରଣ କରିନିଆଯାଉଥିଲା । ରାଜଉଆସର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ ସେ ଉପଭୋଗ କରିବା ସହ ରାଜ୍ୟ ଶାସନ କରୁଥିଲେ । ଲୋକଙ୍କଠାରୁ ଟିକସ ଆଦାୟ କରାଇ ତାହାକୁ ରାଜ୍ୟର ହିତରେ ବିନିଯୋଗ କରୁଥିଲେ । ଯେଉଁମାନେ ଆଇନ ଉଲ୍ଲଙ୍ଘନ ସହ ଅପରାଧମାନ କରୁଥିଲେ ସେମାନଙ୍କୁ ବି କଠୋର ଦଣ୍ଡରେ ଦଣ୍ଡିତ କରୁଥିଲେ । ୫ବର୍ଷ ପୂରିବା ପରେ ଏହି ରାଜାଙ୍କୁ ରାଜଗାଦି ଛାଡ଼ିବାକୁ ପଡୁଥିଲା ଏବଂ ତାଙ୍କୁ ସସମ୍ମାନେ ପାଛୋଟି ନେଇ ସମୁଦ୍ରକୂଳରେ ଅପେକ୍ଷା କରିଥିବା ସୁସଜ୍ଜିତ ଡଙ୍ଗାରେ ବହୁ ଦୂରରେ ଥିବା ଏକ ନିର୍ଜନ ଦ୍ୱୀପରେ ଛାଡ଼ି ଦିଆଯାଉଥିଲା । ସେଠି ସେ ମଲେ କି ବଞ୍ଚିଲେ ତାହାର ହିସାବ କାହା ପାଖରେ ରହୁନଥିଲା । ପୁଣି ପାଟହାତୀ ଯାହା ମୁଣ୍ଡରେ ସୁନା କଳସର ପାଣି ଢାଳୁଥିଲା ସେ ରାଜା ହେଉଥିଲେ । ଏଭଳି ପରମ୍ପରା ଉକ୍ତ ରାଜ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ଚଳି ଆସୁଥିଲା ।
ଏହି କ୍ରମରେ ଥରେ ଜଣେ ଅତି ଚତୁର ଯୁବକଙ୍କ ମୁଣ୍ଡରେ ପାଟହାତୀ ସୁନା କଳସୀରୁ ପାଣି ଢାଳିବାରୁ ତାଙ୍କୁ ଉକ୍ତ ରାଜ୍ୟର ରାଜାଭାବେ ବରଣ କରିନିଆଗଲା । ଏହି ଚତୁର ବ୍ୟକ୍ତି ଜଣକ ଜାଣିଥିଲେ ଯେ, ତାଙ୍କ ପାଇଁ ରାଜସିଂହାସନ ଓ ରାଜସୁଖ ଭୋଗ କରିବାର ମିଆଦ ହେଉଛି ୫ବର୍ଷ । ଏହାପରେ ସେ ନିର୍ଜନ ଦ୍ୱୀପକୁ ନିର୍ବାସିତ ହୋଇ ଅକାଳ ମୃତ୍ୟୁବରଣ କରିବେ । ତେଣୁ ରାଜପଦରେ ଅଭିଷିକ୍ତ ହେବା ପରଠାରୁ ସେ ନିଜ ଭବିଷ୍ୟତ ପାଇଁ ଯୋଜନା କଲେ । ଯେଉଁ ନିର୍ଜନ ଦ୍ୱୀପକୁ ବିଦାୟୀ ରାଜାମାନଙ୍କୁ ନିର୍ବାସିତ କରାଯିବାର ପରମ୍ପରା ଥିଲା ସେଠାକୁ ଯାଇ ଆଗତୁରା ଦେଖି ଆସିଲେ । ଗୋପନରେ ସେହି ଦ୍ୱୀପରେ ତାଙ୍କ ପାଇଁ ଏକ ଭବ୍ୟ ଉଆସ ନିର୍ମାଣ କରାଇଲେ । ସେଠାକୁ କିଛି ଲୋକ ପଠାଇ ଚାଷବାସ ଆରମ୍ଭ କରିବା ସହ ବସତି ସ୍ଥାପନ ମଧ୍ୟ କରାଇଲେ ।
ତାଙ୍କର ୫ବର୍ଷର କାର୍ଯ୍ୟକାଳ ସରିଯିବାରୁ ନୂଆ ରାଜା ଅଭିଷିକ୍ତ ହେଲେ ଏବଂ ତାଙ୍କୁ ପ୍ରଚଳିତ ପରମ୍ପରା ଅନୁଯାୟୀ ସେହି ଦ୍ୱୀପକୁ ନିର୍ବାସିତ କରାଗଲା । ସେତେବେଳକୁ ସେହି ଦ୍ୱୀପରେ ସମୃଦ୍ଧ ନୂଆ ଜନବସତି ଗଢ଼ିଉଠିଥିଲା । ଉକ୍ତ ଦ୍ୱୀପରେ ସେ ପହଞ୍ଚିବା ମାତ୍ରେ ସେଠାକାର ଅଧିବାସୀମାନେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରି ପାଛୋଟି ନେଲେ ଏବଂ ସେଠାରେ ସେ ରାଜା ହେଲେ ଏବଂ ପୁରୁଷାନୁକ୍ରମେ ତାଙ୍କ ଉତ୍ତର ପୁରୁଷମାନେ ମଧ୍ୟ ଏହି ସମୃଦ୍ଧ ଦ୍ୱୀପକୁ ଶାସନ କଲେ ।
ବହୁବର୍ଷ ତଳେ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଜଣେ ରାଜନେତା ଏକଦା କଥା ପ୍ରସଙ୍ଗରେ ଏହି ପୁରୁଣା ଗପଟିର ପୁନରାବୃତ୍ତି କରିଥିଲେ । ତାଙ୍କର ସ୍ପଷ୍ଟ ମତ ଥିଲା ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁମାନେ ନିର୍ବାଚିତ ହୋଇ ଶାସନ କ୍ଷମତାରେ ରହୁଛନ୍ତି ସେମାନେ ପରବର୍ତ୍ତୀ ଥର ନିର୍ବାଚିତ ହୋଇନପାରନ୍ତି ଏବଂ ଯଦି ବି ନିର୍ବାଚିତ ହୁଅନ୍ତି, ତାହା ହେଲେ ସେମାନେ ଯେ ମନ୍ତ୍ରୀ ପଦ ପାଇବେ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ତେଣୁ ବ୍ୟୟବହୁଳ ନିର୍ବାଚନ ପଦ୍ଧତିରେ କୌଣସି ପ୍ରକାରେ ଥରେ ଜିଣିଗଲା ପରେ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେବା ଅପେକ୍ଷା ୭ ପୁରୁଷ ଓ ପରବର୍ତ୍ତୀ ନିର୍ବାଚନ ଲାଗି ସମ୍ପତ୍ତି ସଞ୍ଚିବା ହିଁ ତାଙ୍କପରି ବୁଦ୍ଧିମାନ ନେତାମାନଙ୍କର କାମ । ଏହି ଧାରା ବହୁବର୍ଷ ଧରି ସାଧାରଣ ଲୋକେ ଅନୁଭବ କରିଆସୁଛନ୍ତି । ଦ୍ୱିତୀୟ ଗଳ୍ପଟି ବି ବହୁ ପୁରୁଣା । ଏହି ଗଳ୍ପର ବିଷୟବସ୍ତୁ- ଗୋଟିଏ ରାଜ୍ୟରେ ରାଜା ସୁଶାସନ ଦେଉଥିଲେ । ତାଙ୍କ ରାଜ୍ୟରେ ଲୋକେ ଆଇନଶୃଙ୍ଖଳା ମାନି ଚଳୁଥିଲେ । ଚୋରି, ଡକାୟତି, ହତ୍ୟା, ଧର୍ଷଣ, ଦୁର୍ନୀତି ଆଦି ଏକପ୍ରକାର ଲୋପ ପାଇଯାଇଥିଲା । ତେବେ ହଠାତ୍ ବାରମ୍ବାର ଅଭିଯୋଗ ଆସିଲା ଯେ, କୌଣସି କୌଣସି ଗାଁରେ ଚୋର ଉତ୍ପାତ କରୁଛି । ଏହା ରାଜାଙ୍କୁ ବ୍ୟଥିତ କଲା । ଚୋରକୁ ଧରିବା ପାଇଁ ସେ ବହୁସଂଖ୍ୟକ ରକ୍ଷୀଙ୍କୁ ନିଯୁକ୍ତି କଲେ ଏବଂ ଶେଷରେ ଚୋରି କରୁଥିବାବେଳେ ସେମାନଙ୍କ ହାତରେ ଜଣେ ଯୁବକ ଧରାପଡ଼ିଲା ।
ଖୋଲା ରାଜଦରବାରରେ ସର୍ବସମ୍ମୁଖରେ ଏହି ଚୋରର ବିଚାର ହେଲା । ତାଙ୍କ ରାଜ୍ୟର ବ୍ୟବସ୍ଥା ଅନୁଯାୟୀ ଚୋରକୁ ଫାଶୀଦଣ୍ଡରେ ଦଣ୍ଡିତ କରାଯିବା କଥା । ଚୋର ବି ନିଜର ଅପରାଧ ସ୍ୱୀକାର କଲା । ମୃତ୍ୟୁଦଣ୍ଡ ପାଇବା ପୂର୍ବରୁ ତା'ର ଶେଷ ଇଚ୍ଛା ପଚରାଗଲା । ଚୋରଟି ଚାହିଁଲା ମା'ଙ୍କୁ ଭେଟି ତା' ଜୀବନର ଶେଷ କଥା କେଇପଦ କହିବ ବୋଲି । ତଦନୁଯାୟୀ ରାଜସଭାକୁ ଚୋରର ମା'ଙ୍କୁ ବି ଅଣାଗଲା । ରାଜାଙ୍କ ଅନୁମତିକ୍ରମେ ଚୋର କ୍ରନ୍ଦନରତା ମା'ଙ୍କ ପାଖକୁ ଯାଇ ତାଙ୍କ କାନରେ କିଛି କହିବାର ଅଭିନୟ କଲା । ହଠାତ୍ ମା' ଚିତ୍କାର କରି ଉଠିଲେ । ସେତେବେଳକୁ ଚୋରଟି ମା'ଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା ଏବଂ ସେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲେ । ତେବେ ଆଉ କିଛି ଅଘଟଣ ଘଟାଇବା ପୂର୍ବରୁ ରାଜାଙ୍କ ଆରକ୍ଷୀମାନେ ଦୋଷୀ ଚୋରଟିକୁ ନିୟନ୍ତ୍ରଣକୁ ନେଇଥିଲେ ।
ଏହି ଘଟଣାରେ ବିବ୍ରତ ରାଜା ଚୋରକୁ ଧିକ୍କାର କରିବା ସହ ତାହାର ଜନ୍ମଦାତ୍ରୀ ମା'ଙ୍କ କାନ କାହିଁକି ସେ କାମୁଡ଼ି ଛିଣ୍ଡାଇଲା ବୋଲି ପ୍ରଶ୍ନ କରିଥିଲେ । ନମ୍ରତାର ସହ ଚୋରଟି କହିଲା ଯେ ତା' ମା' ତାକୁ ବହୁତ ଶ୍ରଦ୍ଧା କରୁଥିଲେ । ସେ ତାଙ୍କୁ ଏତେ ଭଲପାଉଥିଲେ ଯେ ପିଲାଦିନେ ସେ ଯେତେ ଭୁଲ୍ଭଟକା କଲେ ବି ତାକୁ ପ୍ରଶ୍ରୟ ଦେଉଥିଲେ । ଏମିତିକି ଚାଟଶାଳୀରେ ପଢ଼ିବାବେଳେ ସେ କୌଣସି ସାଙ୍ଗର ଖଡ଼ି ଚୋରି କରିନେଇଛି ବୋଲି ଅଭିଯୋଗ ଆସିଲେ ଓଲଟା ତାଙ୍କ ମା' ଅଭିଯୋଗ କରୁଥିବା ପିଲାକୁ ଗାଳି ଦେଉଥିଲେ । ଏହି ଅଭ୍ୟାସ ବଢ଼ିବଢ଼ି ସେ କ୍ରମଶଃ ଅନ୍ୟମାନଙ୍କ ବାଡ଼ିରୁ କଖାରୁ, କାକୁଡ଼ି ଆଦି ଚୋରି କରିବାରେ ଲାଗିଲା ଏବଂ ସେତେବେଳେ ତା'ର ମା' ତାକୁ ଆକଟ କରୁନଥିଲେ । ଏହି ଅଭ୍ୟାସ ବଢ଼ିବଢ଼ି ସେ ଶେଷରେ ଏକ ବଡ଼ ଚୋରରେ ପରିଣତ ହୋଇଗଲା । ପିଲାଦିନୁ ମା' ଯଦି ତା'ର ଭୁଲ୍ ସଂଶୋଧନ କରାଇ ତାକୁ ଦଣ୍ଡ ଦେଇଥାନ୍ତେ ତେବେ ତାକୁ ଆଜି ରାଜାଙ୍କ ଦରବାରରେ ମୃତ୍ୟୁ ଦଣ୍ଡାଦେଶ ଶୁଣିବାକୁ ପଡ଼ିନଥାନ୍ତା । ଚୋରି କରିବା ଅପରାଧ ଏବଂ ଚୋରିକୁ ଯେଉଁମାନେ ପ୍ରଶ୍ରୟ ଦେଇଛନ୍ତି, ଉତ୍ସାହିତ କରିଛନ୍ତି ଏବଂ ଚୋରି ମାଲ୍ର ଅଂଶୀଦାର ହୋଇଛନ୍ତି ତା' ବିଚାରରେ ସେମାନେ ମଧ୍ୟ ଅନୁରୂପ ଭାବେ ଅପରାଧୀ । ଚୋରଟି ପୁଣି କହିଲା ଯେ, ଅପରାଧ କରିବା ନିଶ୍ଚିତ ଭାବେ ପାପ ଏବଂ ଏହି ଅପରାଧକୁ ଯେଉଁମାନେ ବିରୋଧ କରନ୍ତି ନାହିଁ କିମ୍ବା ନିରବ ସମର୍ଥନ ଦିଅନ୍ତି ସେମାନେ ମଧ୍ୟ ସମଅନୁପାତରେ ପାପୀ ।
ଏବେ ଯେଭଳି ପରିସ୍ଥିତିର ସମ୍ମୁଖୀନ ହେଉଛେ, ସେଥିମଧ୍ୟରେ ଗୋଟିଏ ପଟେ ରାଷ୍ଟ୍ରର ହିଂସା ଓ ଅନ୍ୟପଟେ ସମାଜର ହିଂସା ଭିତରେ ସାଧାରଣ ଲୋକଟି ଯେମିତି ପେଷି ହୋଇଯାଉଛି । ସେ ପରିପ୍ରେକ୍ଷୀରେ ତାକୁ ସମସ୍ୟା ସାଗରରୁ ଉଦ୍ଧାର କରିବ କିଏ? ତାକୁ ଉଦ୍ଧାର କରିବା ପାଇଁ କେହି ଉଦ୍ଧାରକାରୀ ଆସିବେ ନାହିଁ । ନିଜେ ହିଁ ନିଜର ଭାଗ୍ୟନିୟନ୍ତା ସାଜି ପରିସ୍ଥିତିରୁ କିଭଳି ମୁକୁଳିବ, ସେ ସଂକ୍ରାନ୍ତରେ ପ୍ରତ୍ୟେକ ବ୍ୟକ୍ତି ଉପାୟ ଚିନ୍ତା କରିବା ଆବଶ୍ୟକ ।