ପ୍ରଖ୍ୟାତ ଗୀତିକାର ଜାଭେଦ୍ ଅଖ୍ତର ନିକଟରେ "ସୋଆ-ପ୍ରାଚୀନ'ର ସାହିତ୍ୟାନୁଷ୍ଠାନରେ ଯୋଗଦେବା ଅବସରରେ ମହତ୍ତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି । ଅନୁଷ୍ଠାନ ପକ୍ଷରୁ ସୋଆ ସାହିତ୍ୟ ସମ୍ମାନ ଗ୍ରହଣପୂର୍ବକ ଅଖ୍ତର କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସୃଜନଶୀଳତା ପାଇଁ ବିପଦ କିମ୍ବା ବାଧକ ହେବନାହିଁ । ଏ.ଆଇ. ସୃଜନଶୀଳତା ପାଇଁ ପରିପୂରକ ବ୍ୟବସ୍ଥା ହୋଇପାରିବ ସିନା, ପ୍ରତିବନ୍ଧକ ହେବାର ସମ୍ଭାବନା ନାହିଁ କହିଛନ୍ତି ପ୍ରଖ୍ୟାତ ଅଖ୍ତର । ଏ.ଆଇ. କଥା କହିବା ବେଳକୁ ଆମ ଦେଶର ଗୋଟିଏ ରୋବଟ୍ ବା ଯନ୍ତ୍ରମାନବ କିଭଳି ପ୍ରଶ୍ନ-ଉତ୍ତର କରୁଛି, ତାହା ମନକୁ ଚାଲି ଆସୁଛି । ଏମିତିରେ ଦେଶ ବିଦେଶରେ ଗଣ୍ଡା ଗଣ୍ଡା ରୋବଟ୍ ଘର ଝାଡ଼ୁମରା, ଲୁଗା ଇସ୍ତ୍ରି ଦେବା ଠାରୁ ଭଳି କେତେ କ'ଣ କରିପାରୁଥିବାର ଆମେ ଶୁଣୁଥାଇଁ, ଦେଖୁଥାଇଁ । ଏପରିକି ଗୁଡ଼ିଏ ରୋବଟ୍ ବୋଲ ନମାନି ଇଆଡ଼େ-ସିଆଡ଼େ ପଳାଉଥିବାର ଦେଖାଯାଉଛି ।
ଜଣେ ଛାତ୍ର ଏହା ଭିତରେ ରୋବଟ୍ ସହ ଏକ ପ୍ରଶ୍ନ-ଉତ୍ତର ସେସନ୍ କରି ଉପସ୍ଥିତ ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲେ । ଯାହା ପ୍ରଶ୍ନ କଲେ ତାର ଜବାବ ଫଟାଫଟ୍ ଦେଇପାରୁଥିଲା ଯନ୍ତ୍ରମାନବ । ମାତ୍ର ଫରକ ଏତିକି ଯେ, ଯାହା ଓ ଯେମିତି ତଥ୍ୟ ଫିଡ୍ କରାଯାଇଥିବ ସେତିକି ଜବାବ ମିଳିବ । ଏ.ଆଇ. ଏବେ ବହୁତ ବଡ଼ ଲମ୍ଫ ଦେଇଛି । ରୋବଟ୍ ଠାରୁ ଏହା ଶକ୍ତିଶାଳୀ କେବଳ ନୁହେଁ, ଯୋଗ୍ୟତା ତଥା ଦକ୍ଷତାରେ ଏ.ଆଇ. ବହୁ ଆଗରେ । ମାତ୍ର ଅସଲ କଥା ହେଉଛି, ଆତ୍ମିକ ବିକାଶକୁ ସମସ୍ତେ ଭୁଲିଗଲେଣି । ଏ.ଆଇ. ସବୁକିଛି ଦେଇପାରିବ ସିନା, କଥିତ ଆତ୍ମିକ ପ୍ରଗତିକୁ ସୁନିଶ୍ଚିତ କରିପାରିବ କି? କଳକାରଖାନା ବସାଇଦେଇ ହେବ, ମହାଶକ୍ତିଶାଳୀ ବ୍ରହ୍ମୋସ୍ ଖଞ୍ଜି ପ୍ରତିପକ୍ଷକୁ ଡରାଇ ଥରାଇ ଦେଇହେବ, ସେଥି ଭିତରେ ରହିଯାଇଛି ମସ୍ତବଡ଼ କେଁ । ନିରସତା ଭିତରେ କୁତ୍ରାପି ସରସତା ସଂଚରିତ କରିଦେଇପାରିବ କି? ନାହିଁ, କଦାପି ନୁହଁ । ଏ.ଆଇ. ବଡ଼ ବଡ଼ ସଫଳତାର ଶିଖର ଛୁଇଁଥିବାର ଦାବି କରୁଛି । ହେଲେ ଚୋରି-ଡକାୟତି-ଠକେଇ ରୋକିବାର କିଛି ଉପାୟ ଏ.ଆଇ. ପାଖରେ ଅଛି କି? ଅଳ୍ପଦିନ ତଳର ଗୋଟିଏ ଘଟଣା ।
ଗୁଜରାଟର ଗୋଟିଏ ଜାଲ୍ ଆଇ.ଡି, ନକଲି ପାସ୍ୱାର୍ଡ ଏବଂ ଇ-ମେଲ୍ ବନାଇ ଜଣେ ଚିକିତ୍ସକ ପାଖାପାଖି ୫୦୧ ସୁସ୍ଥ ଲୋକଙ୍କ ଠାରେ ଷ୍ଟଣ୍ଟ ପକାଇ ଅର୍ଥ ରୋଜଗାର କରି ଧରାପଡ଼ିଛନ୍ତି । ଭଦ୍ର ଲୋକଙ୍କ ନାମ ଡ. ପଶ୍ୱର୍ ବାଶା । ସମୁଦାୟ ଏହିଭଳି ୮୦୦ ଜଣଙ୍କ ଠାରେ ଅପରେସନ୍ କରିଛନ୍ତି ବାଶା । ଆୟୁଷ୍ମାନ ଭାରତ କାର୍ଡର ଦୁରୁପଯୋଗ କରି ସେ ସରକାରୀ ତହବିଲ୍ରୁ ୬କୋଟି କ୍ଲେମ କରିପାରିଥିଲେ ସେ । ପୂରାପୂରି ସୁସ୍ଥ ସବଳ ଯୁବକଙ୍କୁ ହୃଦ୍ରୋଗୀ ଦର୍ଶାଇ ସୋମନଙ୍କ ଠାରେ ଷ୍ଟଣ୍ଟ ଲଗାଇ ରାଧେ ରାଧେ ନ୍ୟାୟରେ ଧନ ରୋଜଗାର କରୁଥିଲେ ସେ ଓ ତାଙ୍କ ଟିମ୍ । ଆୟୁଷ୍ମାନ ଟିମ୍ ଟିକିନିଖି ତଦନ୍ତ କରି ଅସଲିୟତ୍ ଧରି ବାଶା ଓ ତାକୁ ସାହାଯ୍ୟ କରୁଥିବା ଟିମ୍କୁ ଜେଲ୍ ପଠାଇ ଦେଇଛନ୍ତି, ସେମାନେ ଏବେ ସେଠାରେ ହାୱା ଖାଉଛନ୍ତି । ପୂରା ସୁସ୍ଥ ସବଳ ଲୋକଠାରେ ଷ୍ଟଣ୍ଟ ଲଗାଇବା କିଭଳି ଧୃଷ୍ଟତା, କଥିତ କୁଖ୍ୟାତମାନେ ଯେତିକି ବିସ୍ମୟ କର, ତା’ଠାରୁ କାର୍ଡର ଦୁରୁପଯୋଗ ସେତିକି ଚିନ୍ତାଜନକ । ଏହାକୁ କୋଉ ଏ.ଆଇ. ରୋକି ପାରିବ! ମାଫିଆମାନେ ଯେମିତି ମାତିଛନ୍ତି ତା’ର ହିସାବ ନାହିଁ । ଯୁଆଡ଼େ ଦେଖିବ ବାଲି-ଖଣି ମାଫିଆ ।
ସେମିତି ସାଇବର କ୍ରାଇମ୍ କରି ଲକ୍ଷ ନୁହେଁ, କୋଟି କୋଟି ଲୁଟୁଛନ୍ତି । ସେଭଳି ଅପରାଧ କେଉଁ ଏ.ଆଇ. ରୋକିବାରେ ସକ୍ଷମ ହେବ? ଏ.ଆଇ. ଭଳି ବିଶ୍ୱ ବ୍ୟବସ୍ଥାରେ ସୁଦ୍ଧା କିଛିନା କିଛି ଦୁର୍ବଳତା ଓ ତ୍ରୁଟିବିଚ୍ୟୁତି ଅବଶ୍ୟ ରହିଛି । ଏହାକୁ ତ୍ରୁଟିମୁକ୍ତ କରାଯିବା ଯେତିକି ଦରକାର, ସେତିକି ଦରକାର ଯାନ୍ତ୍ରିକତାରୁ ମୁକ୍ତ କରାଯିବା । ଏ.ଆଇ. ମାନବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ସୁତରାଂ, ତାହାର ସାର୍ବଜନୀନ ସକାରାତ୍ମକ ପ୍ରୟୋଗ ଦିଗରେ ପ୍ରୟାସ ଜାରି ରହିବା ଚାହି ।