ମୁଁ ଜୀବବିଜ୍ଞାନର ଛାତ୍ରୀ । ଆମ ଛାତ୍ରଛାତ୍ରୀଙ୍କ ପ୍ରିୟଶିକ୍ଷକ ସୌମେନ୍ଦ୍ର ଘୋଷ ସାର୍‌ ଯେପରି ଗମ୍ଭୀର, ସେପରି ନହସି ଖୁବ୍‌ ଶାନ୍ତ ସ୍ୱରରେ ମଜାଳିଆ କଥା କହି ପାଠ ସହିତ ଶାଠ ମିଶାଇ ଏପରି ପଢ଼ାନ୍ତି ଯେ ଆମର ସବୁ ପାଠ ସହଜରେ ମନେ ରହିଯାଏ । ସେଦିନ ସେ ଗୁଣସୂତ୍ର ବା କ୍ରୋମୋଜମ ବିଷୟରେ ପଢ଼ାହେଲା ବେଳେ କହିଲେ, ପୁରୁଷଙ୍କ ମଧ୍ୟରେ ଅନ୍ୟସବୁ କ୍ରୋମୋଜମ ସହିତ ଏକ୍ସ ୱାଇ ଓ ନାରୀଙ୍କଠାରେ ଏକ୍ସ ଏକ୍ସ କ୍ରୋମୋଜମ ଥାଏ । ପୁରୁଷଙ୍କ ଗୋଟିଏ ଏକ୍ସ କ୍ରୋମୋଜମ ସବୁ କାମ କରିଥିଲାବେଳେ ୱାଇ କ୍ରୋମୋଜମଟି କେବଳ ସନ୍ତାନ ଜନ୍ମ ସମୟରେ ସନ୍ତାନର ଲିଙ୍ଗ ନିରୂପଣ କରେ । ଅପରପକ୍ଷେ ନାରୀର ଦୁଇଟି ଏକ୍ସ କ୍ରୋମୋଜମରୁ ଗୋଟିଏ ଏକ୍ସ କ୍ରୋମାଜମ ସବୁ କାମ କଲାବେଳେ ଆଉ ଗୋଟିଏ ପ୍ରାୟ ଅବ୍ୟବହୃତ ରହେ । ସାର୍‌ଙ୍କ କଥା ଶୁଣି ମନରେ କୌତୁହଳ ଆସିଲା । ପଚାରିଲି, ସାର୍‌ ଯଦି ଆର ଏକ୍ସ କ୍ରୋମୋଜମଟି ବି ବ୍ୟବହାର ହେବ ତେବେ କ’ଣ ହେବ? ସାର୍‌ ତାଙ୍କ ଚିରାଚରିତ ମନମୁଗ୍‌ଧକର ହସଟି ହସି କହିଲେ, ତାହେଲେ ତୁମେ ସବୁ ଜଣେ ଜଣେ ଦଶଭୁଜା ହୋଇଯିବ, ହୋଇଯିବ ସୁପର ୱିମେନ । ସାର୍‌ଙ୍କ ଏହି କଥାରେ ଶ୍ରେଣୀରେ ହାସ୍ୟରୋଳ ସୃଷ୍ଟିହେଲା । କିନ୍ତୁ ଏହି କଥାଟି ଅନେକ ସମୟରେ ମୋ ମନକୁ ଘାରେ । ହଁ, ମହିଷାସୁର ଘୋର ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ଅମରତ୍ୱର ବର ମାଗିଲାବେଳେ ଗୋଟିଏ ଭୁଲ୍‌ କରିଦେଲା ଯେ, ହେୟଜ୍ଞାନ କରି ନାରୀକୁ ମନେକଲା ଅବଳା ଓ ଦୁର୍ବଳା । ସେହି ନାରୀ ହିଁ କାଳ ରୂପରେ ଉଭା ହୋଇ କଲେ ବିନାଶ । ଖାଲି ମହିଷାସୁର ନୁହେଁ, ସମଗ୍ର ସଂସାର ସହିତ ନିଜେ ନାରୀ ବି ନିଜକୁ ଦୁର୍ବଳା ଭାବିଆସିଛି । କିନ୍ତୁ ଯେଉଁ ଅଫୁରନ୍ତ ଶକ୍ତିର ଭଣ୍ଡାର ତା’ ଭିତରେ ଅଛି, ତାହାକୁ ଯେବେ ସେ ଆବିଷ୍କାର କରେ ସେ ପାଲଟିଯାଏ ମହାଶକ୍ତିଶାଳୀ ଦଶଭୁଜା ।

ମୋର ମନେପଡୁଥିଲା, ଯେତେବେଳେ ଆମ ଘରେ କାମ କରୁଥିବା ମାଳତୀର ତିନିଟିଯାକ ପୁଅ ଓ ଝିଅଙ୍କୁ ଜ୍ୱର ହେଲା, ମାତ୍ର ଛୋଟ ଝିଅଟିକୁ ଛାଡ଼ି ପୁଅ ଦୁଇଟି ମରିଗଲେ, ମୋ ଆଈ କହିଲା- ଝିଅଗୁଡ଼ାକ ପରା ଅଝାଡୁଆ ତାଙ୍କୁ ଧୋଇ ଅଛି ନା ମରୁଡ଼ି । ସେତେବେଳେ ମୁଁ ତା’ ସହିତ ଝଗଡ଼ା କରିଥିଲି, କାଇଁ ଝିଅର ଜୀବନ କ’ଣ ଜୀବନ ନୁହେଁ, ତାର ବଞ୍ଚିବାର କ’ଣ ଅଧିକାର ନାହିଁ, ସେ ମରିଯାଇ, ଖାଲି ପୁଅ ବଞ୍ଚିଥିଲେ ତୁ ଖୁସି ହୋଇଥାନ୍ତୁ, ନିଜେ ଝିଅ ହୋଇ ଏପରି କହିପାରୁଛୁ! ଆଈ କହିଥିଲା- ଆଲୋ, ଝିଅଗୁଡ଼ାକ ପା ପରଘରି, ସେମାନେ ବଞ୍ଚିଲେ କେତେ ମରିଲେ କେତେ । ଆଈ ମୋର ଥିଲା ପୁରୁଣାକାଳିଆ । କିନ୍ତୁ ସତ କହିବାକୁ ଗଲେ ଆଜି ବି ଏପରି ଚିନ୍ତାଧାରାରୁ ସମାଜ ମୁକ୍ତନୁହେଁ । ହେଲେ ମଜାର କଥା କ’ଣ ଜାଣନ୍ତି, ଝିଅମାନଙ୍କୁ ଧୋଇ ନାହିଁ କି ମରୁଡ଼ି ନାହିଁ କହିବା ପଛରେ ଗୋଟିଏ ବଳିଷ୍ଠ କାରଣ ରହିଚି । ଡାକ୍ତର କୁହନ୍ତି ଡାକ୍ତରଖାନାରେ ଝିଅ ଓ ପୁଅ ଜନ୍ମ ହେଲେ ଆମେ ଝିଅ ତୁଳନାରେ ପୁଅର ଅଧିକ ଯତ୍ନ ନେଉ, କାରଣ ପୁଅ ତୁଳନାରେ ଝିଅମାନଙ୍କର ରୋଗପ୍ରତିରୋଧକ ଶକ୍ତି ଅଧିକ । ସେହିପରି ଅସ୍ଥିମଜ୍ଜା ସମ୍ପର୍କିତ ଓ ମାନସିକ ଅବସାଦ ପରି କେତେକ ବେମାରୀ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଥିଲେ ବି ପୁରୁଷମାନେ ହୃଦଘାତ ଏବଂ କର୍କଟ ପରି ଗମ୍ଭୀର ବେମାରୀରେ ଅଧିକ ହୁଅନ୍ତି ଆକ୍ରାନ୍ତ । ଯେଉଁଥିପାଇଁ ମଜାରେ ଏକଥା ବି କୁହାଯାଏ ଯେ, ମହିଳାମାନେ ହୃଦୟହୀନା । ପୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ସତ ହେଉଛି ଯେ, କରୋନାରେ ମୃତକଙ୍କ ମଧ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ହଁ, ଆପଣ କହିପାରନ୍ତି, ପୁରୁଷମାନେ ବାହାରକୁ ବେଶି ଯାଉଥିଲେ, ତେଣୁ ଅଧିକ ଆକ୍ରାନ୍ତ ହେଲେ । ତେବେ ସେହି ପୁରୁଷଙ୍କ ସେବାଶୁଶ୍ରୂଷା କରୁଥିବା ମହିଳାମାନେ ଆକ୍ରାନ୍ତ ହେଲେନାହିଁ କାହିଁକି? ପ୍ରକୃତ କଥା କ’ଣ ଜାଣନ୍ତି, ପୁରୁଷର ଶାରୀରିକ କ୍ଷମତା ଅଧିକ ହୋଇଥିଲେ ବି ନାରୀର ମାନସିକ ଶକ୍ତି ଅଧିକ ।

ପ୍ରତ୍ୟେକ କଥାକୁ ସେ ଚଳେଇ ନେବା ଜାଣେ, ପ୍ରତିଟି ପରିସ୍ଥିତିରେ ନିଜକୁ ଢଳେଇ ନେବା ଜାଣେ । ଯେଉଁଠି ପୁରୁଷଟିଏ ପ୍ରତିକୂଳ ପରିସ୍ଥିତିରେ ଲଢ଼ିବ ଅବା ଛାଡ଼ିବର ମାନସିକତା ରଖେ, ସେଇଠି ନାରୀଟିଏ ଖାପଖୁଆଇ ନେବାର ମାନସିକତାରେ ପରିସ୍ଥିତି ସହିତ ବୁଝାମଣା କରିନିଏ । ଅଧିକ ସହନଶୀଳ, ଧୈର୍ଯ୍ୟଶୀଳ, କ୍ଷମାଶୀଳ ଆଦି ଗୁଣ ନାରୀର ପ୍ରକୃତିଦତ୍ତ ଓ ସହଜାତ । ଏଇ ଅଧିକ ବୁଝାମଣା କରିପାରିବାର ଦକ୍ଷତା ଥିବାରୁ ହିଁ ସେ ନିଜ ଘର ନିଜ ପରିବାର ଛାଡ଼ି ଆଉ ଗୋଟିଏ ଅଜଣା ଘରକୁ ଆସି ଅଜଣା ବ୍ୟକ୍ତିଟିଏ ସହିତ ମିଶି ସଂସାର ଗଢ଼େ । କଷ୍ଟସହିଷ୍ଣୁ ବୋଲି ପ୍ରକୃତି ହିଁ ନାରୀକୁ ଗର୍ଭଧାରଣର କ୍ଷମତା ପ୍ରଦାନ କରିଛନ୍ତି । କୁହାଯାଏ- ଦଶଟି ହାଡ଼ ଭାଙ୍ଗିବା କଷ୍ଟଠାରୁ ଅଧିକ କଷ୍ଟ ହେଉଛି ଗର୍ଭବେଦନା । ଯେଉଁଥିପାଇଁ ସନ୍ତାନଟିଏ ଜନ୍ମ କରିବା, ମୃତ୍ୟୁମୁଖରୁ ଫେରିବା ବା ନବଜନ୍ମ ସହିତ ତୁଳନା କରାଯାଏ । ସେହିପରି ପୁରୁଷମାନେ ପ୍ରାୟତଃ କେବଳ ରୋଜଗାର କରି ଆଣିବାର ଚିନ୍ତାକୁ ପ୍ରାଧାନ୍ୟ ଦେଉଥିଲାବେଳେ, ନାରୀଟିଏ ରୋଜଗାର କରିବାକୁ ଗଲେ ବି ଘରର ଯାବତୀୟ ଜଞ୍ଜାଳକୁ ମୁଣ୍ଡେଇଥାଏ । କୁହାଯାଏ ପୁରୁଷ ଘର ବାହାରକୁ ଗୋଡ଼ କାଢ଼ିଲେ ମୁଣ୍ଡରୁ ଘର ଚିନ୍ତା ଓହ୍ଲାଇ ଦେଉଥିଲାବେଳେ ନାରୀଟିଏ ବଞ୍ଚିଥିବା ପର୍ଯ୍ୟନ୍ତ, ଏପରିକି ନିଘୋଡ଼ ନିଦରେ ଶୋଇଥିଲାବେଳେ ବି ଘର ଓ ପରିବାର ଚିନ୍ତାରୁ ମୁକ୍ତ ରହିପାରେନା । କେତେବେଳେ କାହାକୁ ଔଷଧ ଦେବାକୁ ହେବ, କିଏ ଅଫିସରୁ ଆସିବ ତା’ପାଇଁ ଖାଦ୍ୟ ପ୍ରସ୍ତୁତ ହେବ, କାହାର ପରୀକ୍ଷା ଅଛି ତାକୁ ପଢ଼ାଇବାକୁ ହେବ, ଛାତରେ କପଡ଼ା ଶୁଖିଚି ତାକୁ ତୋଳିବାକୁ ହେବ, ବଗିଚାରେ ପାଣିଦେବାକୁ ହେବ ଇତ୍ୟାଦି କଥା ଅବଚେତନ ମନରେ ଏପରି ସଜାଗ ରହିଥାଏ ଯେ ନିଧାର୍ଯ୍ୟ ସମୟ ପୂର୍ବରୁ ଏହା ତା’ ନିଦ ଭାଙ୍ଗିଦିଏ । ଛୋଟ ପ୍ରଶ୍ନଟିଏ ପଚାରୁଛି- ସ୍ୱାମୀ-ସ୍ତ୍ରୀ ଉଭୟ ଚାକିରି କରନ୍ତି, କୌଣସି କାରଣରୁ ଯଦି ପିଲା ବା ଶାଶୂ ଶଶୁର କେହି ବେମାର ପଡ଼ନ୍ତି ତେବେ କିଏ ଛୁଟିରେ ରହୁ ବୋଲି ସମସ୍ତେ ଆଶା କରନ୍ତି?

ପ୍ରକୃତରେ ନାରୀଟିଏ ଦଶଭୁଜା । ଯେଉଁ ହାତରେ ସେ ରାନ୍ଧିବାଢ଼ି ପାଞ୍ଚ ପ୍ରକାର କରି ଖାଇବାକୁ ଦିଏ, ସେଇ ହାତରେ ସେ ରୋଗୀର ଅପରେସନ କରେ । ଯେଉଁ ହାତରେ ସେ ବନ୍ଧୁକ ଧରି ସମାଜକୁ ଦିଏ ସୁରକ୍ଷା, ସେଇ ହାତରେ ସେ ଶାଶୂ ଶଶୁର ଓ ପିଲାଙ୍କ ଗୁହମୂତ ବିନା ବିକାରରେ ପରିଷ୍କାର କରେ । ଯେଉଁଥିପାଇଁ ଆଜିବି ପିଲା ସମ୍ଭାଳିବାକୁ ଓ ରୋଗୀସେବା ପାଇଁ ଆମେ ମହିଳା ସହାୟକଟିଏ ଆବଶ୍ୟକ କରୁ ଓ ତାକୁ ଅଧିକ ଭରସାଯୋଗ୍ୟ ମନେକରୁ । ଆହୁରି ମଧ୍ୟ ପିଲା, ସ୍ୱାମୀ ତଥା ଘର ଉପରକୁ କୌଣସି ବିପଦର ସମ୍ଭାବନା ଥିଲେ ନାରୀ ନିଜ କମନୀୟ ରୂପକୁ ବର୍ଜନ କରି ଧରେ ଚଣ୍ଡିକା ରୂପ । ନିଜ ଭିତରେ ଥିବା ସେହି ଅଫୁରନ୍ତ ଶକ୍ତିକୁ ଚିହ୍ନି ଯଥାସ୍ଥାନରେ ସେ କରେ ପ୍ରୟୋଗ । ସ୍ଥାନବିଶେଷରେ ସେ ଯେତିକି କଠୋର ସେତିକି କୋମଳ ମଧ୍ୟ । ଯଥାର୍ଥରେ କୁହାଯାଇଛି- ଯା ଦେବୀ ସର୍ବ ଭୂତେଷୁ ଦୟା ରୂପେଣ.. କ୍ଷମା.. ଶାନ୍ତି.. କାନ୍ତି.. ବୁଦ୍ଧି.. ବିଦ୍ୟା.. ଶ୍ରଦ୍ଧା.. ଶକ୍ତି.. ଲକ୍ଷ୍ମୀ.. କ୍ଷୁଧା.. ତୁଷ୍ଟି.. ନିଦ୍ରା.. ଲଜ୍ଜା... । ଅପରପକ୍ଷେ ନାରୀ ମଧ୍ୟ ସହଜାତ ପ୍ରବୃତ୍ତି ଭାବେ ପାଇଚି ହିଂସା, ଈର୍ଷା, ଲାଭ ପରି ଅବଗୁଣ ଗୁଡ଼ିଏ, ଯେଉଁଗୁଡ଼ିକ ଅନେକ ସମୟରେ ତାକୁ ନିଜ ମହନୀୟତା ଭୁଲାଇ ଦେଉଛି । ସେ ଭୁଲିଯାଉଛି ଯେ, ନାରୀତ୍ୱ କହିଲେ ନିର୍ଲଜ୍ଜତା ନୁହେଁ, ବରଂ ସମ୍ଭ୍ରମବୋଧ । ସ୍ୱାଧୀନତା ଓ ସ୍ୱେଚ୍ଛାଚାରିତା ଭିତରେ ଥିବା ପାର୍ଥକ୍ୟକୁ ସେ ପାସୋରି ଦେଉଛି । କେବଳ ପୁରାଣରେ ନୁହେଁ, ଆଜିବି ଘରେ ଘରେ କୌଶଲ୍ୟା , କୈକେୟୀ, ସୀତା, ସୂର୍ପଣଖା , ମନ୍ଦୋଦରୀ, ମନ୍ଥରା, ଯଶୋଦା, ପୁତନା, ଲକ୍ଷ୍ମୀବାଈ ଓ ଧାଇପନ୍ନାମାନେ ରହିଛନ୍ତି । କାହାକୁ ଆମେ ଆଦର୍ଶ ମାନିବା ଓ ପ୍ରଭୁଙ୍କ ପ୍ରଦତ୍ତ ଶକ୍ତିକୁ କାହା ପରି ହେବାପାଇଁ ପ୍ରୟୋଗ କରିବା ସେ ନିଷ୍ପତ୍ତି ଆମର ଏକାନ୍ତ ବ୍ୟକ୍ତିଗତ ।

hb​​​​​​​