ପ୍ରତ୍ୟେକ ବ୍ୟକ୍ତି ଜୀବନର ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଧ୍ୟରୁ ଖାଦ୍ୟ ବିନା ଆଦୌ ବଞ୍ଚିବା ସମ୍ଭବ ନୁହେଁ । କେବଳ ମଣିଷ ନୁହେଁ, ବରଂ ସମସ୍ତ ଜୀବଜନ୍ତୁ ଓ କୀଟପତଙ୍ଗଙ୍କ ପାଇଁ ଖାଦ୍ୟ ଅପରିହାର୍ଯ୍ୟ ଅଟେ । ଖାଦ୍ୟ ଖାଇବାର ଆବଶ୍ୟକତା ବା ଇଚ୍ଛାକୁ ଭୋକ ଏବଂ ଖାଦ୍ୟ ବିହୁନେ ଭୋକିଲା ରହିବାକୁ କ୍ଷୁଧା କୁହାଯାଏ । ବିଶ୍ୱର ଜନସଂଖ୍ୟା କ୍ରମେ ବୃଦ୍ଧିପାଇ ବାର୍ଷିକ ୦.୮୯% ହାରରେ ୮.୩ ବିଲିୟନରେ ପହଞ୍ଚିଗଲାଣି । ଭାରତର ଜନସଂଖ୍ୟା ଚୀନ୍‌ ଦେଶକୁ ପଛରେ ପକାଇ ୨୦୨୫ ବର୍ଷ ମଧ୍ୟରେ ୧.୪୬ ବିଲିୟନରେ ପହଞ୍ଚିଗଲାଣି । ତେଣୁ ଏତେବଡ଼ ଜନସଂଖ୍ୟା ପେଟପୂରା ଖାଦ୍ୟ ପାଇବାରେ ସମସ୍ୟାମାନ ଦେଖାଯାଉଅଛି । ଆମେ କହିପାରିବା ଯେ, ବହୁଲୋକ କ୍ଷୁଧାରେ କାଳାତିପାତ କରୁଥିଲେ ମଧ୍ୟ ଖାଦ୍ୟ ନଷ୍ଟକୁ ରୋକାଯାଇ ପାରୁନାହିଁ । ଖାଦ୍ୟ ନଷ୍ଟ ଦେଖିଲେ ବିଭିନ୍ନ ସ୍ତରରେ ଉତ୍ପାଦନ ଠାରୁ ଭକ୍ଷଣ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ମୁଖ୍ୟତଃ ଅତ୍ୟଧିକ ଉତ୍ପାଦନ, କୁ-ପରିଚଳନା, ବଜାର ଅସୁବିଧା ଓ ପରିବେଶଜନିତ ସମସ୍ୟା ପାଇଁ ଖାଦ୍ୟ ନଷ୍ଟ ହୋଇଥାଏ । ଆଧୁନିକ ଯୁଗରେ ଯେତେ ଜ୍ଞାନ ଓ ବିଜ୍ଞାନର ବିକାଶ ହେଲେ ମଧ୍ୟ ସଚେତନତାର ଅଭାବ ଏବଂ କୁ-ଅଭ୍ୟାସ ଯୋଗୁଁ ଖାଦ୍ୟ ଅପଚୟ ହେଉଅଛି । ଖାଦ୍ୟର ଉତ୍ପାଦନ, ସଂରକ୍ଷଣ ଓ ବ୍ୟବହାର ଇତ୍ୟାଦିର ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଖାଦ୍ୟ ଅପଚୟ ନିଶ୍ଚୟ ଘଟିବ । ତେଣୁ ଖାଦ୍ୟ ଅପଚୟକୁ ରୋକିବା ସହ କେହି ଯେପରି କ୍ଷୁଧାରେ ନରହିବେ ସେଥିପ୍ରତି ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ଅଟେ ।

କ୍ଷୁଧା ମେଣ୍ଟାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର କାମଧନ୍ଦା କରି ଅର୍ଥ ଉପାର୍ଜନ କରିଥାଆନ୍ତି । ଖାଦ୍ୟ ଅଭାବରୁ ଜୀବନ ହାନି ମଧ୍ୟ ଘଟୁଅଛି । ଦେଖିବାକୁ ଗଲେ, ବିଶ୍ୱର ଅନେକ ସ୍ଥାନରେ ଖାଦ୍ୟାଭାବ ଥିଲାବେଳେ ଅନ୍ୟ ସ୍ଥାନମାନଙ୍କରେ ଖାଦ୍ୟ ଅପଚୟ ହେଉଅଛି । ସାରାବିଶ୍ୱରେ ଯେତିକି ଖାଦ୍ୟ ଅପଚୟ ହେଉଅଛି ହିସାବକୁ ନେଲେ ଆଶ୍ଚର୍ଯ୍ୟ ଲାଗେ । ଯଦି ସେହି ଖାଦ୍ୟ ସବୁକୁ ନଷ୍ଟ ନକରି ବୁଭୁକ୍ଷୁ ଜନତାଙ୍କୁ ଆବଣ୍ଟନ ହୋଇପାରନ୍ତା, ତେବେ ଲୋକମାନେ ଭୋକିଲା ରହନ୍ତେ ନାହିଁ । ଜାତିସଂଘ ପରିବେଶ କାର୍ଯ୍ୟସୂଚୀ (ୟୁ. ଏନ୍‌.ଇ.ପି) ୨୦୨୪ ବର୍ଷର ରିପୋର୍ଟ ଅନୁସାରେ, ବିଶ୍ୱର ମୋଟ୍‌ ଉତ୍ପାଦିତ ଖାଦ୍ୟର ଏକ-ପଞ୍ଚମାଂଶ ନଷ୍ଟ ହେଉଅଛି । ଏହିଠାରେ ଉଲ୍ଲେଖଥାଉ କି, ଖାଦ୍ୟ ଅପଚୟରେ ଚୀନ ଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନ ନେଉଛି । ତଥ୍ୟ ଅନୁଯାୟୀ, ଭାରତରେ ପ୍ରତିବର୍ଷ ୭୦୮୧୦୦ ଟନ୍‌ରୁ ଅଧିକ ଖାଦ୍ୟ ଫିଙ୍ଗା ବା ନଷ୍ଟ ହୋଇଥାଏ ଏବଂ ପ୍ରତ୍ୟେକ ଭାରତୀୟ ବାର୍ଷିକ ହାରାହାରି ୫୫କେ.ଜି.ରୁ ଅଧିକ ଖାଦ୍ୟ ନଷ୍ଟ କରିଥାନ୍ତି ।

ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଭାରତର ଦାରିଦ୍ର‌୍ୟ ହାର ୧୧.୨୮% ଅଟେ । ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ଖାଦ୍ୟାଭାବକୁ ନେଇ ଚିନ୍ତା ବଢ଼ାଇବା ସ୍ୱାଭାବିକ ଅଟେ । ପୁଣି କ୍ଷୁଧାର୍ତ୍ତ ଲୋକଙ୍କ ସଂଖ୍ୟା ଅଧିକ ଥିବାବେଳେ ଖାଦ୍ୟ ଅପଚୟ ନିଶ୍ଚିତ ଚିନ୍ତାର ବିଷୟ । ବାର୍ଷିକ ଭାରତରେ ପ୍ରାୟ ୨୦୦ ମିଲିୟନ ଲୋକ ଭୋକିଲା ରୁହନ୍ତି ଏବଂ ଖାଦ୍ୟନଷ୍ଟ ଦେଶ ଅର୍ଥନୀତିକୁ ପ୍ରଭାବିତ କରିଥାଏ, କାରଣ ବହୁକୋଟି ଟଙ୍କା କ୍ଷତି ହୁଏ ଯାହା ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜି.ଡି.ପି)ର ୧% ଅଟେ । ଖାଦ୍ୟ ଅପଚୟର ମୂଳ କାରଣଗୁଡ଼ିକ ମଧ୍ୟରେ ଉପଯୁକ୍ତ ଭାବରେ ଖାଦ୍ୟ ସଂରକ୍ଷଣ ନହେବା, ରୋଷେଇ ପରେ ଠିକ୍‌ ସମୟରେ ନଖାଇବା, ଆବଶ୍ୟକ ଠାରୁ ଅଧିକ ପରିମାଣରେ ଖାଦ୍ୟ ପାତ୍ରରେ ଧାରଣ କରିବା ଏବଂ ଖାଇବା ଶେଷ ହେଲାପରେ ବଳକା ଖାଦ୍ୟକୁ ଫିଙ୍ଗିଦେବା ଇତ୍ୟାଦି । ବିଶ୍ୱରେ ଖାଦ୍ୟ ଅପଚୟ କରୁଥିବା ପ୍ରଥମ ୧୦ଗୋଟି ଦେଶ ମଧ୍ୟରୁ ଚୀନ ଓ ଭାରତ ବ୍ୟତୀତ ପାକିସ୍ତାନ, ନାଇଜେରିଆ, ଆମେରିକା, ବ୍ରାଜିଲ, ମିଶର, ଇଣ୍ଡୋନେସିଆ, ବାଂଲାଦେଶ ଓ ମେକ୍ସିକୋ ଦେଶ ଅଟନ୍ତି । ଚୀନ ଓ ଆମେରିକା ଉନ୍ନତ ରାଷ୍ଟ୍ର ହେଲେ ମଧ୍ୟ ଚୀନ ବାର୍ଷିକ ୧କୋଟି ୮ଲକ୍ଷ ଟନ୍‌ରୁ ଅଧିକ ଏବଂ ଆମେରିକା ୨କୋଟି ୪୦ଲକ୍ଷ ଟନ୍‌ରୁ ଅଧିକ ଖାଦ୍ୟ ଅପଚୟ କରିଥାନ୍ତି । ଆଫ୍ରିକା ମହାଦେଶର ନାଇଜେରିଆରେ ବାର୍ଷିକ ୨କୋଟି ୪୮ଲକ୍ଷ ଟନ୍‌ ଖାଦ୍ୟ ନଷ୍ଟ ହୋଇଥାଏ । ଗବେଷଣା ତଥ୍ୟ ଅନୁଯାୟୀ, ନାଇଜେରିଆରେ ଫସଲ ଅମଳ ପରେ ସଂରକ୍ଷଣର ଅସୁବିଧା ଯୋଗୁଁ ଏବଂ ସହରାଞ୍ଚଳ ବଜାରରେ ଖାଦ୍ୟ ପହଞ୍ଚାଇବାର ସମସ୍ୟା ପାଇଁ ଖାଦ୍ୟ ନଷ୍ଟ ହୋଇଥାଏ । ଇଜିପ୍‌ଟରେ ମଧ୍ୟ ଆଫ୍ରିକୀୟ ଦେଶ ହିସାବରେ ବାର୍ଷିକ ୧କୋଟି ୮୦ଲକ୍ଷ ଟନ୍‌ରୁ ଅଧିକ ଖାଦ୍ୟ ନଷ୍ଟ ହୋଇଥାଏ ।

ଖାଦ୍ୟ ନଷ୍ଟ ବା ଅପଚୟ କେବଳ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ବା ଦେଶ ନୁହେଁ, ବରଂ ସମଗ୍ର ପୃଥିବୀର ଏକ ପ୍ରମୁଖ ସମସ୍ୟା, ଯାହା କ୍ଷୁଧା ସହିତ ପ୍ରତ୍ୟକ୍ଷ ଭାବରେ ସଂଶ୍ଳିଷ୍ଟ ଅଟେ । ପରିସଂଖ୍ୟାନ ଅନୁସାରେ, ପୃଥିବୀରେ ଦୈନିକ ୧ ବିଲିୟନ ମିଲ୍‌ ନଷ୍ଟ ହେଉଅଛି ଏବଂ ୭୮୩ ମିଲିୟନ ଲୋକ, ଅର୍ଥାତ୍‌ ପ୍ରତି ୧୦ଜଣରେ ଜଣେ ଲୋକ କ୍ଷୁଧାର୍ତ୍ତ ଅଟନ୍ତି । ଉଭୟ ଶିଳ୍ପସମୃଦ୍ଧ ଓ ବିକାଶମୁଖୀ ଦେଶଗୁଡ଼ିକରେ ଖାଦ୍ୟ ନଷ୍ଟ ସମସ୍ୟା ବଳବତ୍ତର ରହିଅଛି । ଶିଳ୍ପସମୃଦ୍ଧ ଦେଶଗୁଡ଼ିକରେ ଖାଉଟିମାନେ ଖୁଚୁରା କ୍ରୟ ସମୟରେ ଆବଶ୍ୟକତା ଠାରୁ ଅଧିକ କ୍ରୟ, ଏକ୍ସପାରୀ ତାରିଖର ସନ୍ଦେହ, ଖାଇବାର ଦୁର୍ବଳ ଯୋଜନା ଓ ନୂତନ ଭାବରେ ଗଢ଼ି ଉଠୁଥିବା ମଲ୍‌ ବା ସୁପରବଜାର ଇତ୍ୟାଦି ଖାଦ୍ୟ ଅପଚୟକୁ ବୃଦ୍ଧି କରୁଥିବାବେଳେ ଶିଳ୍ପ-ବିକାଶନ୍ମୁଖୀ ଦେଶମାନଙ୍କରେ କ୍ଷେତ-ଅମଳ ସମୟରେ ଅଣକୁଶଳୀ ଶ୍ରମିକଙ୍କ ଦ୍ୱାରା ଅମଳ ପଦ୍ଧତି, ଶୀତଳ ଭଣ୍ଡାର ସୁବିଧା ନପାଇବା, ଉତ୍ପାଦିତ ଖାଦ୍ୟ ସାମଗ୍ରୀକୁ ବିଭିନ୍ନ ସ୍ଥାନକୁ ପଠାଇବାର ଗମନା-ଗମନ ଅସୁବିଧା ଏବଂ ଗୋଦାମ ଆଦି ଭିତ୍ତିଭୂମିର ଅଭାବ ଯୋଗୁଁ ଖାଦ୍ୟ ନଷ୍ଟ ହୋଇଥାଏ । ସମୟ ଓ ସ୍ଥାନ ବିଶେଷରେ ଖାଦ୍ୟ ବଳକା ରହୁଥିବାବେଳେ କେତେକ ଲୋକ କ୍ଷୁଧା ବା ଭୋକିଲା ରହିବା ଏକ ସାମାଜିକ ଅବିଚାର ଅଟେ । ଖାଦ୍ୟ ନଷ୍ଟଗୁଡ଼ିକ ମାଟିରେ ପୋତିବା ଯୋଗୁଁ ମିଥେନ୍‌ ଗ୍ୟାସ୍‌ ଉତ୍ପନ୍ନ ହେତୁ ପରିବେଶ କଳୁଷିତ ହୁଏ ଏବଂ ସବୁଜିମା ନଷ୍ଟ ସହ ଜଳବାୟୁ ପରିବର୍ତ୍ତନକୁ ଇନ୍ଧନ ଯୋଗାଇଥାଏ । କ୍ଷୁଧା ଦରିଦ୍ରତା ସୃଷ୍ଟି କରେ ଏବଂ ନିଜ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ଖାଦ୍ୟ ବିହୁନେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଅଭାବରୁ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ ।

ଖାଦ୍ୟ ଅପଚୟକୁ ରୋକିବା ଅତ୍ୟନ୍ତ ଜରୁରି ମନେକରି ବିଶ୍ୱର ଅନେକ ଦେଶ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଶେଷଜ୍ଞ ଓ ବୁଦ୍ଧିଜୀବୀ ଚିନ୍ତା ବ୍ୟକ୍ତ କରନ୍ତି ଏବଂ କେତେକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥାନ୍ତି । ପ୍ରଥମେ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସୁଷମ ଖାଦ୍ୟ ଯୋଜନା ତିଆରି କରି ବଜାରରୁ କ୍ରୟ କରିବା ଉଚିତ୍‌ ଅଟେ । କ୍ରୟ ସମୟରେ ଏକ୍ସପାରୀ ତାରିଖକୁ ପରୀକ୍ଷା କରାଯିବା ଜରୁରି । ବଳକା ଖାଦ୍ୟକୁ ନଷ୍ଟ ନକରି ଅନ୍ୟମାନଙ୍କୁ ବିତରଣ କରିବା ଦ୍ୱାରା କ୍ଷୁଧା ନିବାରଣ ହୋଇପାରିବ । ଯେଉଁ ଖାଦ୍ୟ ଆଗ କ୍ରୟ ହୋଇଥିବ ତାର ବ୍ୟବହାର ପ୍ରଥମେ ହେବା ଆବଶ୍ୟକ । ଖାଦ୍ୟକୁ ସାଇତି ରଖିବାର ସମସ୍ତ ଭିତ୍ତିଭୂମି ପ୍ରତି ଯଥେଷ୍ଟ ଦୃଷ୍ଟିଦେବା ଦରକାର ଅଟେ । ଗୋଦାମ ଘର, ଶୀତଳ ଭଣ୍ଡାର ଓ ପରିବହନର ସୁବିଧା ସମସ୍ତଙ୍କ ନିକଟରେ ଉପଲବ୍ଧ ହେବା ପାଇଁ ଦୃଷ୍ଟି ରହିବା ଦରକାର । ଆଧୁନିକ ଜ୍ଞାନ-କୌଶଳ ସହ ଡିଜିଟାଲ ଭିତ୍ତିଭୂମିର ବିକାଶ ଘଟିଲେ କୃଷକ, ବଜାର ଓ ଖାଉଟିଙ୍କ ମଧ୍ୟରେ ଉତ୍ତମ ଶୃଙ୍ଖଳ ରକ୍ଷା ସହିତ ଭବିଷ୍ୟତର ଚାହିଦାକୁ ମଧ୍ୟ ନିର୍ଣ୍ଣୟ କରାଯାଇପାରିବ । ଖାଦ୍ୟ ନିରାପତ୍ତା ଯୋଜନାକୁ ଦୃଢ଼ୀଭୂତ କରିବା ସହ ନାଶଶୀଳ ଖାଦ୍ୟଦ୍ରବ୍ୟ ପ୍ରତି ଯଥେଷ୍ଟ ଯତ୍ନଶୀଳ ହେବା ଆବଶ୍ୟକ । ଖାଦ୍ୟ ପ୍ରକ୍ରିୟାକରଣକୁ ଦୃଢ଼ୀଭୂତ କରିବା ସଙ୍ଗେ ଖାଉଟିମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ଉତ୍ତମ ଯୋଜନା ଏବଂ ଅତ୍ୟଧିକ ଖାଦ୍ୟ ବ୍ୟବହାର ପ୍ରତି ଦୃଷ୍ଟିଦେବା ଉଚିତ ହେବ । ପନିପରିବା କିମ୍ବା ଫଳ ଇତ୍ୟାଦି ଯାହା ଆଖିକୁ ଅସୁନ୍ଦର ଲାଗେ ମାତ୍ର ମାନ ଠିକ୍‌ ଥାଏ, ସେସବୁକୁ ନଷ୍ଟ ନକରି ସାଇତି ରଖି ବ୍ୟବହାର କରିବା ଉଚିତ୍‌ ଅଟେ । ଖାଦ୍ୟ ପଦାର୍ଥକୁ ଅଳ୍ପ ବା କ୍ଷୁଦ୍ର ଅଂଶ ଭାବରେ ଘରେ ଏବଂ ବେଶି ହୋଟେଲ କିମ୍ବା ଭୋଜନାଳୟମାନଙ୍କରେ କ୍ରୟ କରି ସାଇତି ରଖାଯାଇପାରିବ । ଖାଦ୍ୟ ଖାଇବାରେ ଯଦି ବଳକା ରହିଯାଏ, ସେସବୁକୁ ସଞ୍ଚୟ କରି ପରେ ବ୍ୟବହାର କରାଯାଇପାରେ । ଖାଦ୍ୟ ଖାଇବାବେଳେ ଯେଉଁ ଖଦଡ଼ା ବା ନଷ୍ଟ ଉତ୍ପନ୍ନ ହୁଏ, ଯାହା ବ୍ୟବହାରଯୋଗ୍ୟ ନୁହେଁ ତାକୁ ଜୈବସାରରେ ପରିଣତ କରି ମାଟିର ଉର୍ବରତା ବୃଦ୍ଧି କରାଯାଇପାରିବ । ସର୍ବଦା ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କୁ ସାହାଯ୍ୟ କରନ୍ତୁ ଏବଂ ଟ୍ରକ ବା ଅନ୍ୟ ମାଧ୍ୟମରେ ଖାଦ୍ୟ ପରିବହନକୁ ସର୍ବନିମ୍ନ ଭାବରେ ବ୍ୟବହାର କରି ପରିବେଶ ସୁସ୍ଥ ରଖନ୍ତୁ । ଖାଦ୍ୟ ନଷ୍ଟରୁ ବଞ୍ଚିବା ପାଇଁ ଅଳ୍ପ ପରିମାଣର ଜଳକୁ ବ୍ୟବହାର କରନ୍ତୁ । ମୃତ୍ତିକା ଏବଂ ଜଳକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ପୁରୁଣା ବ୍ୟାଟେରୀ, ରଙ୍ଗ, ମୋବାଇଲ୍‌ ଫୋନ୍‌, ଔଷଧ, ରାସାୟନିକ ପଦାର୍ଥ, ସାର ଓ ଟାୟାର ଇତ୍ୟାଦିକୁ ମାଟିରେ ମିଶିବାକୁ ବାରଣ କରିବା ଆବଶ୍ୟକ କାରଣ ଏହା ମାଟିକୁ ବିଷାକ୍ତ କରି ପ୍ରାକୃତିକ ସମ୍ପଦକୁ ନଷ୍ଟ ଯୋଗୁଁ ଖାଦ୍ୟ ଉତ୍ପାଦନ ଖରାପ ଏବଂ ନଷ୍ଟ କରିଥାଏ ।

ବିଶ୍ୱ ଜନସଂଖ୍ୟାର ଏକ-ତୃତୀୟାଂଶ, ଅର୍ଥାତ୍‌ ୮୦କୋଟି ବୁଭୁକ୍ଷୁ ଜନତା ଖାଦ୍ୟ ନିରାପତ୍ତାହୀନତାର ଶିକାର ହୋଇଥାନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ଅପଚୟ ଚିନ୍ତାର ବିଷୟ ଅଟେ । ଖାଦ୍ୟ ଆମ ସମସ୍ତଙ୍କୁ ଯୋଡ଼ିଥାଏ । ତେଣୁ ସମସ୍ତେ ଖାଦ୍ୟ ତିଆରିର କାର୍ଯ୍ୟଧାରା ଓ ବ୍ୟବହାର ସହିତ ଚାଷୀ ଏବଂ ଉତ୍ପାଦନକାରୀଙ୍କୁ ଜାଣିବା ଉଚିତ୍‌ ଅଟେ । ବର୍ତ୍ତମାନକୁ ଅନୁଶୀଳନ କରି ଭବିଷ୍ୟତରେ ଖାଦ୍ୟ ସଂକଟକୁ କିପରି ରୋକାଯାଇପାରିବ ଏବଂ ଅପଚୟକୁ ନିୟନ୍ତ୍ରଣ କରିହେବ, ସେଥିପ୍ରତି ଯଥେଷ୍ଟ ଦୃଷ୍ଟିଦେବା ଆବଶ୍ୟକ । 

​​​​​​​