ସମ୍ବଲପୁର, ୧୪/୦୨:  ପ୍ରମେୟ ଏବଂ  ନ୍ୟୁଜ୍‌-୭ ପକ୍ଷରୁ ସ୍ୱୟଂସିଦ୍ଧାଙ୍କ ସ୍ୱୀକୃତିର ପର୍ବ  ପ୍ରମେୟ ଓଜସ୍ୱିନୀ ସମ୍ମାନ-୨୦୨୪ ପାଇଁ ମତଦାନ ସରିବା ସହ ମତଗଣନା ମଧ୍ୟ ସରିଛି । ମତଗଣନାରେ ସବାଧିକ ଭୋଟ ପାଇଥିବା ପ୍ରତିଯୋଗୀଙ୍କୁ ଆସନ୍ତା ୧୬  ତାରିଖ ସମ୍ବଲପୁର ଗଙ୍ଗାଧର ମଣ୍ଡପ ଠାରେ ହେବାକୁ ଥିବା ପ୍ରମେୟ ଓଜସ୍ୱିନୀ ସମ୍ମାନ  ସମାରୋହରେ ସମ୍ବର୍ଦ୍ଧିତ କରାଯିବା ସହ  ଅନ୍ୟ ଦୁଇ ରନର୍ସ ଅପ୍‌ଙ୍କୁ ମଧ୍ୟ ସମ୍ମାନିତ  କରାଯିବ । 

ଗୁରୁବାର ସନ୍ଧ୍ୟାରେ ସମ୍ବଲପୁର  ପ୍ରମେୟ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ମତଗଣନା କରାଯାଇଥିଲା । ପ୍ରମେୟ ସମ୍ବଲପୁର ବ୍ୟୁରୋ ମୁଖ୍ୟ ଶ୍ୱେତକୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଗଙ୍ଗାଧର ମେହେର  ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗ  ପ୍ରଫେସର ପୁଷ୍ପାଙ୍ଗିନୀ ପଟ୍ଟନାୟକ, ଉଦ୍ୟାନ  ବିଭାଗ ଅଧିକାରୀ ଧନକଉଡ଼ା ମୌସୁମୀ ଏବଂ  ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ  ମତଗଣନା କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ  ଯୋଗଦେଇଥିଲେ । ପ୍ରମେୟ କାର୍ଯ୍ୟାଳୟର  ଅଧିକାରୀ ଏବଂ କର୍ମଚାରୀ ମତଗଣନାରେ  ସହଯୋଗ କରିଥିଲେ । 

ସୂଚନାଯୋଗ୍ୟ  ଆସନ୍ତା ୧୬ ତାରିଖ ସ୍ଥାନୀୟ ଗଙ୍ଗାଧର ମଣ୍ଡପ  ଠାରେ ପ୍ରମେୟ ଓଜସ୍ୱିନୀ ସମ୍ମାନ ସମାରୋହ  ଅନୁଷ୍ଠିତ ହେବ । ଏଥିରେ ଏହି ବିଜୟିନୀ ଓ  ରନର୍ସଅପ୍‌ଙ୍କ ନାମ ଘୋଷଣା ସହ ବିଜୟିନୀ  ଓ ରନର୍ସଅପ୍‌ଙ୍କୁ ପୁରସ୍କାର ରାଶି ଓ ଟ୍ରଫି  ସହ ସମ୍ବର୍ଦ୍ଧିତ କରାଯିବ । ସେହିପରି କଳା  ସଂସ୍କୃତିର ପ୍ରଚାର ପ୍ରସାରରେ ବ୍ରତୀ ବରିଷ୍ଠ  କଳାକାର ବର୍ଗରେ ସଞ୍ଚାର କଳାକାର  ଦୁଃଖନାଶନ ବେହେରା ଏବଂ ଉଦୀୟମାନ ବର୍ଗରେ ଜାତୀୟ ଫୁଟବଲ ଖେଳାଳି ପ୍ରିୟା ଓରାମଙ୍କୁ ‘ପ୍ରମେୟ’ ସମ୍ମାନରେ ସମ୍ବର୍ଦ୍ଧିତ  କରାଯିବା କାର୍ଯ୍ୟକ୍ରମ ରହିଛି ।