କଳକାରଖାନା ବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି ପ୍ରକୃତିର ଅନନ୍ୟ ଉପହାର ଭିତରକନିକା । ଏହାର ଅପରୂପ ସୌନ୍ଦର୍ଯ୍ୟ, ପ୍ରାକୃତିକ ଦୃଶ୍ୟ, ବାତାନୁକୂଳିତ ପରିବେଶ ଭାରତର ଅନ୍ୟତ୍ର କେଉଁଠି ଦେଖିବାକୁ ମିଳେନି । ପଶ୍ଚିମବଙ୍ଗର ସୁନ୍ଦରବନ ପରେ ଏଠାରେ ଘନ ହେନ୍ତାଳ ବଣ ନଜରକୁ ଆସିଥାଏ । ଏଠାରେ ରହିଛି ପ୍ରକୃତିର ସମ୍ଭାର ଏକକୁଳା, ହବେଳିଖଟି, ଗହୀରମଥା, ହ୍ୱିଲର ଦ୍ୱୀପ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ । ପର୍ଯ୍ୟଟକମାନେ ନଦୀ ପଥରେ ବୋଟ୍ରେ ଏଠାକୁ ଯିବା ସମୟରେ କୁମ୍ଭୀର, ବିଭିନ୍ନ ପକ୍ଷୀ, ହରିଣ ପଲ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଦେଖିବାକୁ ପାଆନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୮୬ କିଲୋମିଟର ଯାତ୍ରା କଲେ ପଡ଼େ ଏହି ନୈସର୍ଗିକ ଭୂମି । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କ ଗହଳି ମଧ୍ୟ ଜମିବାକୁ ଲାଗିଲାଣି । ଯିଏ ଥରେ ଭିତରକନିକାକୁ ବୁଲି ଆସେ, ବାର ବାର ଏଠାକୁ ସେ ଆସିବାକୁ ମନ କରିଥାଏ ।
ରିପୋର୍ଟ: ଜୀବନ ସିଂହ ଓ ବସନ୍ତ କୁମାର ହାତୀ
ସ୍କାଏ ୱାକ୍ ଓ ୱାଚ୍ ଟାୱାର୍ ନୂଆ ଆକର୍ଷଣ
ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢ଼ି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକୀୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଆସିଛି । ୧୯୬୧ ମସିହା ଅକ୍ଟୋବର ମାସ ୪ ତାରିଖରେ ଭିତରକନିକାକୁ ସଂରକ୍ଷିତ ଜଙ୍ଗଲ ଘୋଷଣା କରାଯାଇଥିଲା । ୧୯୭୫ ମସିହା ଅକ୍ଟୋବର ୨୨ ତାରିଖରେ ୬୭୨ ବର୍ଗ କିଲୋମିଟର ଅଞ୍ଚଳ ପରିମିତ ଅଭୟାରଣ୍ୟ ଘୋଷିତ ହୋଇଥିଲା । ୧୯୮୮ ମସିହା ଅକ୍ଟୋବର ମାସ ୩ ତାରିଖରେ ଜାତୀୟ ଉଦ୍ୟାନ ଓ ୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖରେ ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ମିଳିଥିଲା । ଏହା ପରେ ୨୦୦୨ ମସିହାରେ ଭିତରକନିକାକୁ ଆନ୍ତର୍ଜାତିକ ରାମସାର୍ ସାଇଟ୍ର ମାନ୍ୟତା ମିଳିଥିଲା । ବଉଳା କୁମ୍ଭୀର, ୬ ପ୍ରଜାତିର ଡଲଫିନ୍, ବିରଳ ଅଲିଭ୍ରିଡ୍ଲେ କଇଁଛ, ହେନ୍ତାଳ ବଣ, ୬୩ ପ୍ରକାରର ଲୁଣା ଜଙ୍ଗଲ ଭିତରକନିକାକୁ ଅଧିକ ସ୍ୱାତନ୍ତ୍ର୍ୟ ଦେଇଛି । ପାପୁଆ ନିଉଗିନିଆ ପରେ ଏହା ବିଶ୍ୱର ଦ୍ୱିତୀୟ ବିସ୍ତାରିତ ବୃହତ୍ତମ ଲୁଣା ଜଙ୍ଗଲ । ଏଠାରେ ଲବଣ ଜଳ କୁମ୍ଭୀର ସଂଖ୍ୟା ୧୮୨୬ରେ ପହଞ୍ଚିଲାଣି ।
ଓଡ଼ିଶା ଉପକୂଳରେ ମୁଖ୍ୟତଃ ୪ଟି ନଦୀ ଅବବାହିକାରେ ଲୁଣା ଜଙ୍ଗଲ ଦେଖିବାକୁ ମିଳେ । ମହାନଦୀ ଅବବାହିକା, ବ୍ରାହ୍ମଣୀ ଓ ବୈତରଣୀ ନଦୀ ଅବବାହିକା (ଭିତରକନିକା), ଦେବୀ ନଦୀ ମୁହାଣ ଓ ବାଲେଶ୍ୱର ଉପକୂଳରେ ଲୁଣା ଜଙ୍ଗଲ ଦେଖା ଯାଇଥାଏ । ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ଲୁଣା ଜଙ୍ଗଲ ରହିଛି । ପଶ୍ଚିମବଙ୍ଗର ସୁନ୍ଦରବନ ପରେ ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ହେଉଛି ଭିତରକନିକା । ସାରା ବିଶ୍ୱରେ ୯୨ ପ୍ରଜାତିର ହେନ୍ତାଳ ବଣ ଦେଖା ଯାଉଥିବା ବେଳେ ଭାରତରେ ୬୩ ପ୍ରଜାତିର ଓ ଭିତରକନିକାରେ ସମସ୍ତ ୭୩ ପ୍ରଜାତିର ହେନ୍ତାଳ ବଣ ଦୃଷ୍ଟିଗୋଚର ହୋଇଥାଏ । ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ଉପକୂଳର ସୁରକ୍ଷା କବଚ । ଝଡ଼ବାତ୍ୟା ସମୟରେ ଲୁଣା ଜଙ୍ଗଲ ଉପକୂଳ ଇଲାକାକୁ ସୁରକ୍ଷା ଦେଇ ଆସୁଛି । ଲୁଣା ଜଙ୍ଗଲରେ ଦେଖା ଯାଉଥିବା ୭୨ ପ୍ରଜାତିର ହେନ୍ତାଳ ଚାରା ଏଠାରେ ପ୍ରସ୍ତୁତ କରାଯାଉଛି । ଲୁଣା ଜଙ୍ଗଲ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ, ଅଧ୍ୟାପକମାନଙ୍କ ପାଇଁ ବହୁ ଉପାଦେୟ ଏହି ନର୍ସରୀ । ପୂର୍ବରୁ ଥିବା ୱାଚ୍ ଟାୱାରଟି ଭାଙ୍ଗିଯିବା ପରେ ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଭିତରେ ସୁଆଜୋର ଘାଟ ନିକଟରେ ୩୫ ଫୁଟ୍ ଉଚ୍ଚର ୱାଚ୍ ଟାୱାର ନିର୍ମାଣ କରାଯାଇଛି । ପର୍ଯ୍ୟଟକମାନେ ଏହା ଉପରେ ଚଢ଼ି ଭିତରକନିକାର ଜଙ୍ଗଲ ଓ ଜୀବଜନ୍ତୁଙ୍କୁ ଦେଖିବାର ମଜା ନେଇପାରିବେ ।
ପ୍ରଥମ ଥର ପାଇଁ ପର୍ଯ୍ୟଟକମାନଙ୍କୁ ଏକ ନୂଆ ଅନୁଭୂତି ଦେବା ପାଇଁ ବନ ବିଭାଗ ପକ୍ଷରୁ କାଠରେ ନିର୍ମିତ ସ୍କାଏ ୱାକ୍ ରହିଛି । ୧୫ ଫୁଟ୍ ଉଚ୍ଚତା ବିଶିଷ୍ଟ ୬୦୦ ମିଟର ଲମ୍ବ (କାଠପୋଲ) ଉପରେ ପର୍ଯ୍ୟଟକମାନେ ଘଞ୍ଚ ଲୁଣା ଜଙ୍ଗଲ ଉପରେ ଚାଲି ଚାଲି ଯିବା ବେଳେ ତଳେ ଦଳ ଦଳ ହରିଣ ଚରୁଥିବାର ଦୃଶ୍ୟ, ମାଙ୍କଡ଼ ପଲ ଓ ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ଶୁଣିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ମଜା ନେଇପାରିବେ । ଏବେ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସେଲ୍ଫି ପଏଣ୍ଟ । ଡାଙ୍ଗମାଳ ଜେଟି ନିକଟରେ ଏହି ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଛି । ଭାସମାନ ଜେଟି ନିର୍ମାଣ ହେବା ପରେ ଭାଙ୍ଗି ଯାଇଥିବା ପୁରୁଣା ଜେଟିକୁ ନୂଆ ରୂପ ଦିଆଯାଇ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଛି । କଂକ୍ରିଟ୍ରେ କାଠଗଣ୍ଡିର ରୂପ ଦିଆଯାଇ ସେଲ୍ଫି ପଏଣ୍ଟ ନିର୍ମିତ ହୋଇଛି । ଭିତରକନିକାରେ ୩୮ଟି ବେସରକାରୀ ବୋଟ୍ ଚଳାଚଳ କରୁଛି । ବନ ବିଭାଗ ତରଫରୁ ମୋଟ୍ ୭ଟି ବୋଟ୍ ବ୍ୟବହାର ହେଉଥିବା ବେଳେ ସେଥିରୁ ୨ଟି ସ୍ପିଡ୍ ବୋଟ୍ ମଧ୍ୟ ରହିଛି ।
ପକ୍ଷୀଙ୍କ ଅନ୍ତୁଡ଼ିଶାଳ
ଭିତରକନିକାର ଅନ୍ୟତମ ବୈଭବ ପକ୍ଷୀମାନଙ୍କର ଅନ୍ତୁଡ଼ିଶାଳ ମଠଆଡିଆ । ଯେଉଁଠାରେ ବର୍ଷା ଋତୁ ଆରମ୍ଭରେ ଦେଶୀୟ ପକ୍ଷୀମାନେ ଦେଶର କୋଣ ଅନୁକୋଣରୁ ଆସି ଭିଡ଼ ଜମାଇଥାନ୍ତି । ୫ ଏକର ବିଶିଷ୍ଟ ଏହି ମଠଆଡିଆରେ ଗୁଆଁବନି ଓ କେରୁଆଁ ଗଛରେ ଗେଣ୍ଡାଳିଆ, ରାଣୀବଗ, ମଝିଆ ବଗ, ଖଇରା ବଗ, ଦା-ବେଣ୍ଟିଆ, ଅଞ୍ଜନା, କାପରଖାଇ, ପାଣି କୁଆ, ଛୋଟ ବଗ, ମାଟିଆ ବଗ ପ୍ରଭୃତି ନିଜର ବଂଶବିସ୍ତାର ପାଇଁ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି । ସେହିପରି ଶୀତଋତୁ ଆରମ୍ଭରେ ବିଦେଶାଗତ ପକ୍ଷୀ ନିଜର ବଂଶ ବିସ୍ତାର ପାଇଁ ବସା ବାନ୍ଧି ଏଥିରେ ଅଣ୍ଡା ଦେଇ ଆସୁଛନ୍ତି ।
ଗହୀରମଥା ବେଳାଭୂମି
ଭିତରକନିକା ବୁଲିବାକୁ ଆସୁଥିଲେ ଗହୀରମଥା ବେଳାଭୂମି ଅନ୍ୟତମ ପ୍ରମୁଖ ଆକର୍ଷଣ । ଏହି ବେଳାଭୂମି ଭିତରକନିକା ହେନ୍ତାଳ ଜଙ୍ଗଲଠାରୁ ବଙ୍ଗୋପସାଗରକୁ ପୃଥକ୍ କରୁଛି । ଅଲିଭ୍ରିଡ୍ଲେଙ୍କ ସାମୂହିକ ଅଣ୍ଡାଦାନ ପାଇଁ ଏହି ସ୍ଥାନ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଗହୀରମଥା ବେଳାଭୂମି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକ ଅଂଶବିଶେଷ । ବହୁ ସଂଖ୍ୟକ ଅଲିଭ୍ରିଡ୍ଲେ ପ୍ରତିବର୍ଷ ନଭେମ୍ବର ମାସରେ ଏହି ସ୍ଥାନକୁ ଗଣଅଣ୍ଡାଦାନ ପାଇଁ ଆସିଥାନ୍ତି । ଅଣ୍ଡାଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କେମିତି ଯିବେ, କେଉଁଠି ରହିବେ
ବୋଟ୍ ଯୋଗେ ଭିତରକନିକା ବୁଲିବାକୁ ଚାହୁଁଥିଲେ ଖୋଳା ଡଙ୍ଗାଘାଟରେ ପହଞ୍ଚିବାକୁ ପଡ଼ିବ । ଯାହା ପଟ୍ଟାମୁଣ୍ଡାଇ ପାଖରୁ ପ୍ରାୟ ୪୪ କିଲୋମିଟର ହେବ । କଟକ ଅବା ଭୁବନେଶ୍ୱରରୁ ଆସୁଥିଲେ ସ୍ଥଳପଥରେ କେନ୍ଦ୍ରାପଡ଼ା ଜିଲ୍ଲା ସହର ମହକୁମା ଅତିକ୍ରମ କରି ପଟ୍ଟାମୁଣ୍ଡାଇ ଦେଇ ରାଜନଗର ବ୍ଲକ୍ର ଖୋଳାଠାରେ ପହଞ୍ଚିବାକୁ ପଡ଼ିବ । ଭଦ୍ରକ ପଟୁ ଆସୁଥିଲେ ଚାନ୍ଦବାଲି ଦେଇ ରାଜକନିକା ଛକରେ ପହଞ୍ଚିବେ । ରାଜକନିକା ଛକରୁ ଜୟନଗର ଘାଟ ଓ ପରେ ଖୋଳା ଘାଟରେ ବୋଟ୍ ଯୋଗେ ପହଞ୍ଚି ଭିତରକନିକା ବୁଲିପାରିବେ । ଏଠାରେ ଗାଡ଼ି ପାର୍କିଂ ପାଇଁ ସୁବିଧା ରହିଛି । ଏଠାରେ ରହିବା ପାଇଁ ମଧ୍ୟ ସୁବିଧା କରାଯାଇଛି । କନିକା ରେଞ୍ଜ୍ ପରିସରରେ ପର୍ଯ୍ୟଟକମାନେ ରାତ୍ରିଯାପନ କରିପାରିବେ । ଏଥିପାଇଁ ନିର୍ଦ୍ଧାରିତ ୱେବ୍ସାଇଟ୍ ଭିତରକନିକା ଡଟ୍ କମ୍ରେ ପର୍ଯ୍ୟଟକମାନେ ବୁକିଂ କରିପାରିବାର ବ୍ୟବସ୍ଥା କରାଯାଇଛି ।