ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କହିଲେ, ‘ବିଜେପିକୁ ହରାଇବା ମୁସ୍କିଲ, ସେତେବେଳେ ହରାଯାଇ ପାରିବ ଯେବେ…’

ନୂଆଦିଲ୍ଲୀ ୨୪/ ୦୩: ଲୋକସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ରହିଛି । ଏବେ ଠାରୁ କ୍ଷମତାସୀନ ବିଜେପି ସମେତ ବିରୋଧୀ ଦଳଗୁଡିକ ଜୋରଦାର କସରତ ଆରମ୍ଭ କରିଦେଲେଣି । ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକ କିନ୍ତୁ ଏକାଠି ହବେ କ’ଣ ନିଜ ନିଜର ଦୋଷ ଦୁର୍ବଳତା ଖୋଜିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଭବିଷ୍ୟବାଣୀ କରିଛନ୍ତି ।
ପ୍ରଶାନ୍ତ କିଶୋର ଓରଫ୍ ପି.କେ. କହିଛନ୍ତି, ୨୦୨୪ରେ ବିଜେପି ବିପକ୍ଷରେ ବିରୋଧୀ ଏକତା କେବେ ବି ସଫଳତା ପାଇପାରିବ ନାହିଁ । କାରଣ ବିରୋଧୀ ଦଳଗୁଡିକ ଅସ୍ଥିର ଏବଂ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରିବାରେ ବିଫଳ ହେଉଛନ୍ତି । ସମସ୍ତଙ୍କ ବିଚାରଧାର ଭିନ୍ନ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ଫାଇଦାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ବିରୋଧୀ ଏକତା କେବଳ ଉପରକୁ ଦେଖାଯାଉଛି କିନ୍ତୁ ଦଳ ଓ ନେତାଙ୍କୁ ଏକାଠି କରିବା ସମ୍ଭବପର ହେଉନାହିଁ ।
ପିକେ କହିଛନ୍ତି, ‘ଆପଣ କେବଳ ଦଳ କିମ୍ବା ନେତାଙ୍କୁ ନେଇ ବିଜେପିକୁ ଚେକ୍ ଦେଇପାରିବେ ନାହିଁ । ଭାରତୀୟ ଜନତା ପାର୍ଟିକୁ ଚେକ୍ ଦେବାକୁ ହେଲେ ଦଳର ତାକତ୍କୁ ପ୍ରଥମେ ବୁଝିବାକୁ ହେବ । ହିନ୍ଦୁତ୍ବ, ରାଷ୍ଟ୍ରବାଦ ଓ ଲାଭାର୍ଥୀ ହେଉଛନ୍ତି ବିଜେପିର ତାକତ୍ । ଯେଉଁମାନେ ବି ବିଜେପି ବିରୁଦ୍ଧରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ସେମାନଙ୍କୁ ଦୁଇଟି ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିବ । ପ୍ରଥମଟି ହେଉଛି ବିଜେପିକୁ ଭେଦିବାକୁ ପଡିବ ଓ ଦ୍ବିତୀୟଟି ହେଉଛି ଭାଜପାର ଦୁର୍ବଳତାକୁ ପଦାକୁ ଆଣି ଲୋକଙ୍କ ବିଶ୍ବାସ ଭାଜନ ହେବା ।
ସୂଚନାଯୋଗ୍ୟ ଯେ, ଭାରତୀୟ ଜନତା ପାର୍ଟି ୨୦୧୪ ଓ ୨୦୧୯ ମୋଟ ଦୁଇ ଥର କ୍ଷମତାକୁ ଆସିଛି । ୨୦୨୪ ଲୋକସଭା ନିର୍ବାଚନରେ ବି ଦଳର ପଲ୍ଲା ଭାରି ରହିଛି । ଗତ ନିର୍ବାଚନ ତୁଳନାରେ ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅଧିକ ସିଟ୍ ହାତେଇବା ନେଇ ଦୃଢୋକ୍ତି ପ୍ରକାଶ କରୁଛି । କିନ୍ତୁ ବିରୋଧୀ ଦଳଗୁଡିକ କିଭଳି ମୁକାବିଲା କରିବେ ସେ ନେଇ ରଣନୀତି ପ୍ରସ୍ତୁତ କରିବାରେ ବିଫଳ ହେଉଛନ୍ତି ।