ଭୁବନେଶ୍ଵର, ୨୧/୦୩ : ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କୁ ବିଜେପିର କାଉଣ୍ଟର। ବିଧାୟକ ନଥାଇ ପ୍ରତାପ ଜେନା କିଭଳି ସରକାରୀ କ୍ଵାର୍ଟର୍ସରେ ରହିଲେ ସେନେଇ ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ସେ କହିଛନ୍ତି ଯେ, ପ୍ରତାପ ଜେନା ଏବେ ବିଧାୟକ କି ମନ୍ତ୍ରୀ ନାହାଁନ୍ତି। ହେଲେ ସେ ସରକାରୀ କ୍ଵାର୍ଟର୍ସ କାହିଁକି ମାଡ଼ିବସିଛନ୍ତି ? ତାହାର ତଦନ୍ତ ହେବା ଆବଶ୍ୟକ। ବହୁ ଲୋକ ବେଆଇନ ଭାବେ ସରକାରୀ ବାସଭବନ ମାଡ଼ି ବସିଥିଲେ। ସେମାନେ ଏବେ ବିଦା ହୋଇଛନ୍ତି। ବିଜେଡିରେ ଏବେ ଅନ୍ତଃକନ୍ଦଳ ଚାଲିଛି। ବିଜୁ ଜନତା ଦଳ ପତ୍ରଝଡ଼ା ଦେଉଛି। ଦଳ ତାସ୍ ଘର ଭଳି ଭୁଶୁଡ଼ିଯିବ। ଯାହାର ପ୍ରତିଫଳନ ଗତକାଲି ଦେଖିବାକୁ ମିଳିଛି। ଦଳୀୟ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି। ଯଦୁବଂଶ ଭଳି ବିଜେଡି ଧ୍ଵଂସ ହେବ। 

ମନୋଜ ମହାପାତ୍ର ପୁଣି କହିଛନ୍ତି ଯେ, ବିଜେପିର ଗୁଣ୍ଡାମାନେ ଆସି ଆକ୍ରମଣ କରିଥିବା ନେଇ ପ୍ରତାପ ଜେନାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ବିଜେଡିର ଦଳୀୟ କନ୍ଦଳ। ମୋହନ ସରକାରରେ କାହାକୁ ବି ଛଡ଼ାଯିବନି। ଦୋଷୀ ଯିଏ ହୋଇଥିବ ନିଶ୍ଚୟ ଦଣ୍ଡ ପାଇବ। ପୁଲିସ ଉପଯୁକ୍ତ ତଦନ୍ତ କରିବ। ଉଭୟ ପକ୍ଷରୁ ଦୋଷୀ ସାବ୍ୟସ୍ତ ହେଲେ ଉଭୟ ଦଣ୍ଡ ପାଇବେ। 

ସୂଚନା ଥାଉକି, ଗତକାଲି ରାତି ଅଧରେ ୧୫ ରୁ ୨୦ ଜଣ ଯୁବକ ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ। ଏହା ସହ ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ। ଘର ଆଗରେ ବାଣ ଫୁଟାଇ ପାଟିତୁଣ୍ଡ କରିଥିଲେ। ଏହି ଘଟଣାରେ ପ୍ରତାପ ଜେନା ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ହାର୍ଟ ଅଫ ଦ ସିଟିରେ ଏଭଳି ଘଟଣା ଦୁଃଖଦ ବୋଲି କହିଥିଲେ। ଏହା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। 
 

ଏହି ଖବରଟିକୁ ପଢନ୍ତୁ- ଘର ଆଗରେ ହଙ୍ଗାମା ଘଟଣାରେ ବର୍ଷିଲେ ପ୍ରତାପ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ