ଫୋନ୍ କଲ୍ର ରହସ୍ୟ ଖୋଲିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ: ପାସ୍ ଖୋଜୁଥିଲି, ମନ୍ତ୍ରୀ ପଦ ପାଇଲି

ଭୁବନେଶ୍ୱର,୮ ।୬(ବ୍ୟୁରୋ): କେନ୍ଦ୍ରର ମନ୍ତ୍ରୀ ପଦ ପାଇଁ ଅମିତ ଶାହଙ୍କ ଫୋନ କଲ୍ର ରହସ୍ୟ ଫିଟାଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଆଜି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ସେ ସେ ଦିନର କଥାକୁ ସେ ମନଖୋଲି ପ୍ରକାଶ କରିଛନ୍ତି ।
ପ୍ରତାପ କହିଛନ୍ତି, କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଦେଖିବାକୁ ମୋ ସଂସଦୀୟ କ୍ଷେତ୍ରର କିଛି ସମର୍ଥକ ଆସି ଦିଲ୍ଲୀରେ ପହଞ୍ଚିଥିଲେ । ସେମାନଙ୍କ ପାଇଁ ପାସ୍ ଯୋଗାଡ଼ କରିବାକୁ ପଡ଼ିଥିଲା । ପାସ୍ ପାଇଁ ଅରୁଣ ସିଂ, ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡାଙ୍କ ସମେତ ବିଜେପିର ଆଉ କିଛି ବରିଷ୍ଠ ନେତାଙ୍କ ପାଖରୁ ପାସ୍ ଯୋଗାଡ଼ କରିବାରେ ବ୍ୟସ୍ତ ଥିଲି । କଷ୍ଟେମଷ୍ଟେ ଦୁଇଟି ପାସ୍ ମିଳିଲା । ସେତେବେଳକୁ ମୋ ଫୋନ୍ ଜଣେ ସହଯୋଗୀଙ୍କ ପାଖରେ ଥାଏ । ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମୋ ଫୋନ୍କୁ ଦୁଇ ଥର କଲ୍ କରି ସାରିଥାଆନ୍ତି । କିନ୍ତୁ ମୋ’ ସହଯୋଗୀ କଲ୍ ଦେଖିନଥିଲେ । ସେ ଆଣି ମୋତେ ଫୋନ୍ ଦେବା ଭିତରେ ଶାହଙ୍କର ଆଉ ଥରେ ଫୋନ୍ ଆସିଲା । ଶାହ କଥା ହେବେ ବୋଲି ସେ ପାଖରୁ ଫୋନ୍ରେ ଜଣେ କହିଲେ । ଶାହ ତୁରନ୍ତ ହେଲୋ କହିଥିଲେ । ମୋତେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳୁଛି ଓ ଶପଥ ନେବାକୁ ଆସି ପହଞ୍ଚିବାକୁ କହିଥିଲେ ।
ଶାହଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟଚକିତ ହୋଇଗଲି । ମୁଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବି ବୋଲି ଭାବିନଥିଲି । ମୁଁ ତାଙ୍କୁ ହସି ହସି ପଚାରିଥିଲି, ସଂସଦରେ ତର୍କ କରିବାକୁ ମୋର ବହୁତ ଇଚ୍ଛା ଥିଲା । ଆପଣ ମୋତେ ମନ୍ତ୍ରିମଣ୍ଡଳରେ କାହିଁକି ସ୍ଥାନ ଦେଉଛନ୍ତି? ସେପଟୁ ଶାହ ହସି ହସି କହିଥିଲେ, ଆପଣ କ’ଣ ବିରୋଧୀ ଦଳରେ ରହିବାକୁ ଚାହୁଁଛନ୍ତି କି? ଆପଣଙ୍କୁ ପ୍ରଶ୍ନ ନୁହେଁ ସଂସଦରେ ଉତ୍ତର ରଖିବାକୁ ପଡ଼ିବ । ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆସିବାକୁ ଶାହ ମୋତେ କହିଥିଲେ ।
ଫୋନ୍ ରଖିବା ପରେ ମୁଁ କ’ଣ କରିବି ଭାବି ପାରୁନଥିଲି । ଏ ସବୁ ନିୟତିର ନିର୍ଦ୍ଦେଶରେ ହେଉଛି ବୋଲି ମନେ ହେଲା । ଦଳ ମୋତେ ଏଭଳି ଭାବେ ପୁରସ୍କୃତ କରିବ ତା, ମୁଁ କେବେ ଚିନ୍ତା ବି କରିନଥିଲି ବୋଲି ପ୍ରତାପ କହିଥିଲେ । ସେ ଏ କଥା ବି କହିଥିଲେ, ଆଜି ଯଦି ଆମେ ସମସ୍ତେ ଜଣେ ଜଣେ ବିଧାୟକ ବା ସାଂସଦ ହୋଇଛି ତା ପଛରେ ଅନେକ ଅଦୃଶ୍ୟ ଶକ୍ତି ରହିଛି । ସେହି ଅଦୃଶ୍ୟ ଶକ୍ତି ହେଉଛନ୍ତି ଆମ ଦଳର ନିଷ୍ଠାପର କର୍ମୀ ଓ ସମର୍ଥକ । ଆମ ଅଜାଣତରେ ବି ସେମାନେ ଦଳ ପାଇଁ ଅନେକ ତ୍ୟାଗ କରୁଛନ୍ତି । ଅନେକ ଆକ୍ରୋଶର ଶିକାର ହୋଇ ମୋକଦ୍ଦମାରେ ଫସିଛନ୍ତି । ଅନେକ ରକ୍ତ ଦେଇଛନ୍ତି । ଦଳ ପାଇଁ ନିଜର ସର୍ବସ୍ୱ ଦେଇଛନ୍ତି । ସେମାନଙ୍କ ବଳିଦାନ ଓ ଅବଦାନ ଯୋଗୁ ଆଜି ଆମେ ଏହି ସ୍ଥାନରେ ପହଞ୍ଚି ପାରିଛେ ବୋଲି ପ୍ରତାପ କହିଥିଲେ ।