ଭାରତର ସଂସ୍କୃତି, ଓଡ଼ିଶାର ଅସ୍ମିତା ଓ  ସ୍ୱାଭିମାନ, ଆର୍ôଥକ ସମ୍ଭାବନା, ଦେଶଭକ୍ତି,  ଅନ୍ତର୍ଜାତୀୟ ସଂଯୋଗୀକରଣ ଏବଂ  ପାରସ୍ପରିକ ଭାଇଚାରାକୁ ସୁଦୃଢ଼ କରିବାରେ  ଏହା ଏକ ମହାର୍ଘ୍ୟ ସୁଯୋଗ ସୃଷ୍ଟି କରିବ ।  ପ୍ରବାସରେ ଥିବା ଓଡ଼ିଆମାନଙ୍କର ନିଜ  ମୂଳମାଟି ସହ ଯୋଡ଼ିହେବା ଦିଗରେ ଏହି  ଭାବନାତ୍ମକ ଓ ଆବେଗିକ କାର୍ଯ୍ୟକ୍ରମ  ଅନେକାଂଶରେ ଫଳପ୍ରସୂ ହେବ ।

ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ  ତିନିଦିନ ଧରି ଓଡ଼ିଶାର ରାଜଧାନୀ  ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଅଷ୍ଟାଦଶ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ବିଗତ  ଦିନମାନଙ୍କରେ ସବୁ ଓଡ଼ିଆଙ୍କ ମୁହଁରେ ବହୁଳ ଭାବରେ  ଚର୍ଚ୍ଚିତ ଓଡ଼ିଆ ଅସ୍ମିତା ପରିପ୍ରେକ୍ଷୀରେ ଭୁବନେଶ୍ୱରରେ  ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ଓଡ଼ିଶା ପାଇଁ  ନିଶ୍ଚୟ ଗର୍ବ ଓ ଗୌରବର ବିଷୟ । ୨୦୦୩ରୁ ୨୦୧୪  ମସିହା ପର୍ଯ୍ୟନ୍ତ ଭାରତର ବିଭିନ୍ନ ସହରରେ ଏହା  ପ୍ରତିବର୍ଷ ପାଳିତ ହୋଇଆସୁଥିଲା, ମାତ୍ର ୨୦୧୫ ମସିହା  ପରେ ଏହା ପ୍ରତି ୨ବର୍ଷରେ ଥରେ ପାଳନ କରାଯାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗ୍ରହରେ  ଏବଂ ଓଡ଼ିଶା ସରକାରଙ୍କ ଐକାନ୍ତିକ ସହଯୋଗରେ  ପ୍ରବାସରେ ରହୁଥିବା ଭାରତୀୟମାନଙ୍କର ଏଥର  ଭୁବନେଶ୍ୱରରେ ଏକ ମହାମିଳନ ଅନୁଷ୍ଠିତ ହେବାକୁ  ଯାଉଛି । ଓଡ଼ିଶାର ଐତିହ୍ୟ, ପରମ୍ପରା, କଳା, ସଂସ୍କୃତିକୁ  ବିଶ୍ୱ ଦରବାରରେ ପ୍ରଚାର ଓ ପ୍ରସାରର ଏହା ଏକ ବଳିଷ୍ଠ  ମାଧ୍ୟମ ହେବ । ସବୁ ସମୟରେ ଭାରତୀୟମାନେ ସାତ ସମୁଦ୍ର  ତେର ନଈ ପାରି ହୋଇ ବିଦେଶ ମାଟିରେ ନିଜର ଅସ୍ତିତ୍ୱ  ଏବଂ ଦକ୍ଷତା ପ୍ରତିପାଦନ କରିଛନ୍ତି । 

ଭାରତୀୟମାନେ  ବର୍ତ୍ତମାନ ବହୁ ସଂଖ୍ୟାରେ ଆମେରିକା, ଇଂଲଣ୍ଡ,  ଫ୍ରାନ୍‌ସ, ଜର୍ମାନୀ, ଜାପାନ, କାନାଡ଼ା ଇତ୍ୟାଦି  ଦେଶରେ ବସବାସ କରୁଛନ୍ତି । ଶତାବ୍ଦୀ ଶତାବ୍ଦୀ  ପୂର୍ବରୁ ମଧ୍ୟ ଭାରତୀୟମାନେ ଫିଜି, ମରିସସ୍‌,  କାରବିୟାନ୍‌ ଦେଶମାନଙ୍କରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଓଡ଼ିଆ ସୌଦାଗରମାନେ ବୋଇତରେ  ସୁଦୂର ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଇତ୍ୟାଦି ସ୍ଥାନକୁ  ବାଣିଜ୍ୟିକ ଉଦ୍ଦେଶ୍ୟରେ ଯାଇ ନିଜ ରାଜ୍ୟରେ ପ୍ରସ୍ତୁତ  ଦ୍ରବ୍ୟ ବିକ୍ରୟ କରି ସେଠାରୁ ଆବଶ୍ୟକୀୟ ଦ୍ରବ୍ୟ ନିଜ  ରାଜ୍ୟ ଏବଂ ଦେଶକୁ ଆଣୁଥିଲେ । ସ୍ୱାଧୀନତା ପୂର୍ବରୁ ଯେତେ ସଂଖ୍ୟାରେ ଭାରତୀୟ  ବିଦେଶ ଯାତ୍ରା କରିଥିଲେ, ତାହାର ବହୁଗୁଣ ଭାରତୀୟ  ସ୍ୱାଧୀନତା ପରେ ବିଦେଶ ମାଟିକୁ ଉଚ୍ଚଶିକ୍ଷା, ବ୍ୟବସାୟ,  କର୍ମନିଯୁକ୍ତି ପାଇଁ ଯାଇଛନ୍ତି । ଏମିତି ଜଣେ ଗୁଜରାଟୀ  ବ୍ୟବସାୟୀଙ୍କ ପାଇଁ ଓକିଲାତି କରିବାକୁ ଦକ୍ଷିଣ ଆଫ୍ରିକା  ଯାଇଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ ୧୮୯୩  ମସିହାରେ । ଦୀର୍ଘ ୨୦ ବର୍ଷକାଳ ସେ ଦକ୍ଷିଣ ଆଫ୍ରିକାରେ  ଅବସ୍ଥାନ କରିଥିଲେ ଏବଂ ସେହିଠାରେ ହିଁ ତାଙ୍କର  ଅହିଂସା ଓ ସତ୍ୟାଗ୍ରହ ଆଦର୍ଶର ମୂଳଦୁଆ ପଡ଼ିଥିଲା ।  

ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତି ପ୍ରତି ସେ  ବୀତସ୍ପୃହ ହୋଇପଡ଼ିଥିଲେ । ଏକଦା ରେଳଯୋଗେ  ସେ ଏକ ପ୍ରଥମ ଶ୍ରେଣୀ କମ୍ପାର୍ଟମେଣ୍ଟରେ ଡରବାନ୍‌ରୁ  ପ୍ରିଟୋରିଆ ଯାତ୍ରା କରୁଥିବା ସମୟରେ କଳା-ଗୋରା  ଭେଦଭାବର ଶିକାର ହୋଇଥିଲେ । ପିଟର ମରିଜ୍‌ବର୍ଗ  ଷ୍ଟେସନରେ ଟ୍ରେନର ଟିଟିଇ ତାଙ୍କୁ ସେହି ପ୍ରଥମ ଶ୍ରେଣୀ  କମ୍ପାର୍ଟମେଣ୍ଟରୁ ବିତାଡ଼ିତ କରିଦେଇଥିଲେ । ଏହି  ଘଟଣାରେ ସେ ଭୀଷଣ ମ୍ରିୟମାଣ ହେବା ସଙ୍ଗେ ସଙ୍ଗେ  ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ  ସଂକଳ୍ପବଦ୍ଧ ହେଲେ ଏବଂ ୧୯୧୫ ମସିହା ଜାନୁଆରୀ  ୯ ତାରିଖରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ତା'  ପରଠାରୁ ଅହିଂସା ଓ ସତ୍ୟାଗ୍ରହ ମାଧ୍ୟମରେ ଆରମ୍ଭ  ହୋଇଥିଲା ତାଙ୍କ ସ୍ୱାଧୀନତା ସଂଗ୍ରାମର ଜୟଯାତ୍ରା ।  ସେହି ଅବିସ୍ମରଣୀୟ ଦିନକୁ ସ୍ମୃତିରେ ଉଜାଗର କରିବା  ପାଇଁ ଏହି ପ୍ରବାସୀ ଭାରତୀୟ ଦିବସର ପରିକଳ୍ପନା  ହୋଇଥିଲା ୨୦୦୧ ମସିହାରେ ତଦାନୀନ୍ତନ ପ୍ରଧାନମନ୍ତ୍ରୀ  ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ସରକାରଙ୍କ  ଅମଳରେ । 

ଭାରତ ସରକାରଙ୍କ ଦ୍ୱାରା ବିଶିଷ୍ଟ ଅଧିବକ୍ତା,  ନ୍ୟାୟବିତ୍‌, ସାଂସଦ, କୂଟନିତୀଜ୍ଞ ଡ. ଏଲ୍‌. ଏସ୍‌  ସିଙ୍ଗ୍‌ଭିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ  କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ଆଧାରରେ ପ୍ରଥମ  ବିଶ୍ୱ ପ୍ରବାସୀ ଦିବସ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ  ହୋଇଥିଲା । ବିଭିନ୍ନ ଦେଶରେ ବର୍ତ୍ତମାନ ପାଖାପାଖି ସାଢ଼େ  ୩କୋଟି ଭାରତୀୟ ବସବାସ କରୁଛନ୍ତି । ତନ୍ମଧ୍ୟରୁ ପ୍ରାୟ  କୋଟିଏ ଷାଠିଏ ଲକ୍ଷ ହେଉଛନ୍ତି ପ୍ରବାସୀ ଭାରତୀୟ  ଏବଂ ବଳକା ହେଲେ ଭାରତୀୟ ବଂଶୋଦ୍ଭବ । ସବୁଠାରୁ  ଅଧିକ ପ୍ରବାସୀ ଭାରତୀୟ ଯୁକ୍ତରାଷ୍ଟ୍ର ଆମେରିକାରେ  ବସବାସ କରନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ୫୪ଲକ୍ଷ,  ଯାହା ସମଗ୍ର ଆମେରିକା ଜନସଂଖ୍ୟାର ପ୍ରାୟ ୧.୬  ପ୍ରତିଶତ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରେ  ପାଠପଢ଼ି ଉଚ୍ଚଶିକ୍ଷା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାଇଛନ୍ତି ଏବଂ ପାଠପଢ଼ା ସମାପ୍ତ ପରେ ସେଠାରେ ବିଭିନ୍ନ  ବିଶ୍ୱବିଦ୍ୟାଳୟ ଓ କମ୍ପାନୀମାନଙ୍କରେ ଉଚ୍ଚ ପଦପଦବିରେ  ଅବସ୍ଥାପିତ ହୋଇଛନ୍ତି । ବ୍ୟବସାୟ ଉଦ୍ଦେଶ୍ୟରେ ମଧ୍ୟ  ଅନେକ ଭାରତୀୟ ଆମେରିକା, କାନାଡ଼ା, ଇଂଲଣ୍ଡ  ଇତ୍ୟାଦି ଦେଶରେ ବସବାସ କରିଆସୁଛନ୍ତି ।

ପ୍ରବାସୀ ଭାରତୀୟମାନଙ୍କୁ ମୂଳ ମାତୃଭୂମି ସହ  ଯୋଡ଼ିବାର ବଳିଷ୍ଠ ପଦକ୍ଷେପ ଭାରତ ସରକାର ବିଭିନ୍ନ  ସମୟରେ ନେଇଛନ୍ତି । ଉଦ୍ଦେଶ୍ୟ ହେଉଛି ଉଚ୍ଚଶିକ୍ଷିତ  ଏବଂ ପ୍ରଯୁକ୍ତିବିଦ୍ୟାରେ ଦକ୍ଷତା ଅର୍ଜନ କରିଥିବା  ଭାରତୀୟମାନଙ୍କୁ ଏକାଠି କରିବା ସହିତ ସେମାନଙ୍କ  ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି ଏକ  ସମୃଦ୍ଧ ଏବଂ ସଶକ୍ତ ଭାରତ ଗଠନ କରିବା । ଭାରତର  ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଯେତେବେଳେ  ଆମେରିକା କିମ୍ବା ଅନ୍ୟ ରାଷ୍ଟ୍ରକୁ ସରକାରୀ ଗସ୍ତରେ  ଯାଆନ୍ତି, ସେତେବେଳେ ପ୍ରବାସୀ ଭାରତୀୟମାନଙ୍କୁ  ସମ୍ବୋଧନ କରିବା ତାଙ୍କ କାର୍ଯ୍ୟସୂଚୀରେ ପ୍ରାଥମିକତା  ପାଇଥାଏ । ପ୍ରବାସୀ ଭାରତୀୟମାନେ ମଧ୍ୟ ଉପଲବ୍ଧି  କରନ୍ତି ଯେ ଜନ୍ମଭୂମି, ମାତୃଭୂମି ସେମାନଙ୍କୁ  ମନେପକାଉଛି ଓ ଲୋଡୁଛି ଏହାର ସାମାଜିକ ଓ  ଅର୍ଥନୈତିକ ପ୍ରଗତିରେ ।  

ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରବାସୀ  ଭାରତୀୟ ଦିବସର ବିଷୟବସ୍ତୁ ରହିଛି "ବିକଶିତ ଭାରତ  ଗଠନରେ ପ୍ରବାସୀଙ୍କ ଯୋଗଦାନ’ । ୨୦୪୭ରେ ଭାରତ  ତାହାର ସ୍ୱାଧୀନତାର ୧୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ  କରିବ । ସ୍ୱାଧୀନୋତ୍ତର ଭାରତରେ ବହୁ ରାଜନୈତିକ,  ଅର୍ଥନୈତିକ ପରିବର୍ତ୍ତନର ହାୱା ଆସିଛି ଏବଂ ସମୟକ୍ରମେ  ଭାରତ ଆଜି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ  ଶକ୍ତିଶାଳୀ ଦେଶ ଭାବରେ ନିଜକୁ ପ୍ରତିପାଦିତ କରିବା  ପାଇଁ ପ୍ରୟାସ ଜାରି ରଖିଛି । ବିଶ୍ୱ ପ୍ରେକ୍ଷାପଟ୍ଟରେ ଭାରତର  ଭୂମିକାକୁ ସମସ୍ତେ ଗୁରୁତ୍ୱ ଦେବା ସହିତ ପ୍ରଶଂସା ମଧ୍ୟ  କରୁଛନ୍ତି । ଭାରତୀୟ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ,  କମ୍ପ୍ୟୁଟର ବିଶେଷଜ୍ଞମାନେ ବିଦେଶର ସବୁ ରାଷ୍ଟ୍ରରେ  ସେମାନଙ୍କର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ପୃଥିବୀର  ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଅନେକ  ଭାରତୀୟ ବଂଶୋଦ୍ଭବ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ  ଅବସ୍ଥାପିତ ଯଥା- କାଶ ପଟେଲ ଫେଡେରାଲ୍‌ ବ୍ୟୁରୋ  ଅଫ୍‌ ଇନଭେଷ୍ଟିଗେସନ୍‌ (ଏଫ୍‌ବିଆଇ)ର ନିର୍ଦ୍ଦେଶକ  ଏବଂ ବିବେକ ରାମସ୍ୱାମୀ ସରକାରୀ ଦକ୍ଷତା ବିଭାଗର  ବରିଷ୍ଠ କର୍ମକର୍ତ୍ତା । ଯୁକ୍ତରାଷ୍ଟ୍ରର ସବୁ ବଡ଼ ବଡ଼  ବିଶ୍ୱବିଦ୍ୟାଳୟରେ ଭାରତୀୟମାନେ ପାଠ ପଢୁଛନ୍ତି  ଏବଂ ଅଧ୍ୟାପନା ମଧ୍ୟ କରୁଛନ୍ତି । ସିଲିକନ୍‌ ଭ୍ୟାଲିରେ  ଅବସ୍ଥିତ ସବୁ ଖ୍ୟାତନାମା କମ୍ପାନୀରେ ଭାରତୀୟ  ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ଏବେ କାର୍ଯ୍ୟରତ ।  ଲଘୁ ମନ୍ତବ୍ୟରେ କୁହାଯାଇପାରେ, ସିଲିକନ୍‌ ଭ୍ୟାଲିରେ  ଟେକାଟିଏ ପକାଇଲେ ତାହା ଜଣେ ଭାରତୀୟଙ୍କ  ଦେହରେ ବାଜିବ । 

ଭାରତରେ ଜନ୍ମିତ ସତ୍ୟ ନାଦେଲା ବର୍ତ୍ତମାନ  ପୃଥିବୀ ପ୍ରସିଦ୍ଧ ମାଇକ୍ରୋସଫ୍‌ଟର ମୁଖ୍ୟ କାର୍ଯ୍ୟନିର୍ବାହୀ  ଅଧିକାରୀ । ସୁନ୍ଦର ପିଚାଇ ବିଶ୍ୱପ୍ରସିଦ୍ଧ ଗୁଗୁଲ୍‌ର  ସିଇଓ । ସେହିପରି ଶାନ୍ତନୁ ନାରାୟଣ ଓ ପଦ୍ମାଶ୍ରୀ  ୱାରିଅର୍‌ ଯଥାକ୍ରମେ ଆଡୋବ୍‌ ଏବଂ ଫାବଲ୍‌ କମ୍ପାନୀର  ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ଅବସ୍ଥାପିତ । ଏହିଭଳି  ଉଲ୍ଲେଖ କଲେ ତାଲିକା ବହୁତ ଲମ୍ବା ହେବ । ଏହି  ପ୍ରବାସୀ ଭାରତୀୟମାନେ ଭାରତରେ ଜନ୍ମ ହୋଇ  ଏହାର ପାଣିପବନରେ ବଢ଼ିଛନ୍ତି ଏବଂ ଭାରତୀୟ  ଶିକ୍ଷାନୁଷ୍ଠାନରେ ପାଠପଢ଼ି ଆଜି ଉଚ୍ଚପଦରେ ବସିଛନ୍ତି ।  ସେମାନଙ୍କୁ ପୁଣି ଜନ୍ମଭୂମି ଭାରତମନସ୍କ କରାଇବାର  ପ୍ରେରଣା ଏବଂ ମାର୍ଗ ଉନ୍ମୁକ୍ତ ହେବ ଏହି ପ୍ରବାସୀ  ଭାରତୀୟ ସମ୍ମେଳନରେ । ବିକଶିତ ଭାରତ ଗଠନରେ  ଏହି ପ୍ରବାସୀ ଭାରତୀୟମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା  ଗ୍ରହଣ କରିବେ । 

ପ୍ରବାସୀ ଭାରତୀୟମାନଙ୍କର ଜ୍ଞାନ,  ପ୍ରଜ୍ଞା, ଅନୁଭବ, କୌଶଳ ଏବଂ ପ୍ରଭାବରେ ଭାରତର  ଅଭିବୃଦ୍ଧି ଘଟିବ ନିଶ୍ଚୟ । ପ୍ରବାସୀ ଭାରତୀୟ ସମ୍ମେଳନ  ନିଜ ମାତୃଭୂମିର ଋଣ ଶୁଝାଇବାର ଏକ ସୁବର୍ଣ୍ଣ ସୁଯୋଗ  ଆଣିଦେଇଛି । ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି, ଦକ୍ଷତା  ବିକାଶ, ବିଦେଶୀ ପୁଞ୍ଜିନିବେଶ, ଶିକ୍ଷା, ସଂସ୍କୃତି ଇତ୍ୟାଦି  କ୍ଷେତ୍ରରେ ପ୍ରବାସୀ ଭାରତୀୟମାନେ ମାର୍ଗଦର୍ଶକ ହେବେ  ଏହା ନିଃସନ୍ଦେହ । ଭାରତରେ କିପରି ଅଧିକ ସଂଖ୍ୟକ  ଷ୍ଟାର୍ଟଅପ୍‌ ହେବ, ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ କୃଷିରେ  କିପରି ଅଭିବୃଦ୍ଧି ଘଟିବ, ବେରୋଜଗାରୀ ଦୂରହେବ,  ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ଉନ୍ନତି ଘଟିବ, ଦେଶର  ସଂସ୍କୃତିର କିପରି ପ୍ରଚାର ପ୍ରସାର ହେବ ଇତ୍ୟାଦି  ବିଷୟରେ ପ୍ରବାସୀ ଭାରତୀୟମାନେ ସହାୟତାର ହାତ  ବଢ଼ାଇବେ । ପ୍ରବାସୀ ଭାରତୀୟ ଦିବସ ଏହି ଆକାଂକ୍ଷାକୁ  ଚରିତାର୍ଥ କରିବାର ପ୍ରକୃଷ୍ଟ ସମୟ ।

 ଭୁବନେଶ୍ୱରରେ ଏହା ପାଳିତ ହେବା ଓଡ଼ିଶାର  ଜାତୀୟ ସ୍ତରରେ ପ୍ରସିଦ୍ଧି ଏବଂ ପରିଚିତିକୁ ସାବ୍ୟସ୍ତ  କରୁଛି । ବିଗତ କେତେ ମାସରେ ଜାତୀୟ ସ୍ତରର  ଅନେକ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ  ହୋଇଯାଇଛି । ଓଡ଼ିଶା ଆଜି ସର୍ବଭାରତୀୟ ସ୍ତରରେ  ପ୍ରଗତି ପଥରେ ଦ୍ରୁତ ଅଗ୍ରସର ହେଉଛି । ଓଡ଼ିଆମାନେ  ଆଜି ପୃଥିବୀର ସବୁ ଦେଶରେ ଅବସ୍ଥାନ କରି ଉତ୍କଳୀୟ  ସଂସ୍କୃତିର ବାନା ଉଡ଼ାଉଛନ୍ତି । ପ୍ରବାସୀ ଓଡ଼ିଆମାନଙ୍କ  ସହାୟତାରେ ଭୁବନେଶ୍ୱରରେ ଅନେକ ଶିକ୍ଷାନୁଷ୍ଠାନ,  ହସ୍ପିଟାଲ, ଷ୍ଟାର୍ଟଅପ୍‌ ଇତ୍ୟାଦି ଗଢ଼ିଉଠିଛି । ପ୍ରବାସୀ  ଓଡ଼ିଆମାନେ ଦେଶ ବାହାରେ ଜଗନ୍ନାଥ ମନ୍ଦିର ସ୍ଥାପନ  କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି ।  ଦିନ ଥିଲା ଓଡ଼ିଶାର ନିଜସ୍ୱ ଭୂଖଣ୍ଡ ନଥିଲା, ‘ତିନି  ଥେଣ୍ଟିଆ କାକୁଡ଼ି ବାଡ଼ି ପରି' ଏହା ବିଭିନ୍ନ ଅଞ୍ଚଳ  ସହିତ ଯୋଡ଼ିହୋଇ ରହିଥିଲା । 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ  ଗଠନର ସ୍ୱପ୍ନ ନେଇ ଉତ୍କଳ ଗୌରବ ମଧୁସୂଦନ  ୧୮୯୭ ମସିହାରେ ଇଂଲଣ୍ଡ ଗସ୍ତ କରିଥିଲେ ଏବଂ ଏକ ସୁଟ୍‌କେସରେ ନେଇଥିବା ଓଡ଼ିଶାର ସୂକ୍ଷ୍ମକଳା  ତାରକସୀ କାମରେ ନିର୍ମିତ ଜିନିଷଗୁଡ଼ିକର ପ୍ରଦର୍ଶନୀ  ସେଠାରେ କରିଥିଲେ । ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଚାରୁ  ଓ କାରୁକଳାକୁ ଭାରତ ବାହାରେ ପରିଚିତ କରାଇବା  ଏବଂ ଓଡ଼ିଶାର ଅସ୍ତିତ୍ୱକୁ ସାବ୍ୟସ୍ତ କରିବା । ତେବେ  ସମୟ ଆଜି ବଦଳିଯାଇଛି ଅସ୍ତିତ୍ୱ ସହ ଅସ୍ମିତା ପ୍ରଦର୍ଶନ  କରୁଛି ଓଡ଼ିଶା । ପ୍ରବାସୀ ଭାରତୀୟ ଦିବସ ପାଳନ  ସଶକ୍ତ ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନର  ହେବ ଏକ ମହାମଞ୍ଚ । ଏହି ସାମାଜିକ ସମ୍ମେଳନ ଯାହା  ଆର୍ôଥକ, ବୈଷୟିକ ଏବଂ ସାଂସ୍କୃତିକ ବିକାଶର ଏକ  ଅତୁଟ ସେତୁପରି କାର୍ଯ୍ୟ କରିବ । ଭାରତୀୟ ସଂସ୍କୃତିର  ମୂଳମନ୍ତ୍ର ‘ଅତିଥି ଦେବୋ ଭବ'ର ଶ୍ରେଷ୍ଠ ଉଦାହରଣ  ସୃଷ୍ଟି କରିବାରେ ମଧ୍ୟ ଏହା ହେବ ଏକ ଅନନ୍ୟ  ସମ୍ଭାବନା । ସରକାରୀ ଏବଂ ବେସରକାରୀ ସ୍ତରରେ  ଏହାକୁ ସଫଳ କରିବା ଆମ ସମସ୍ତଙ୍କର ପ୍ରୟାସ ହେବା  ଉଚିତ । ବନ୍ଦେ ଉତ୍କଳ ଜନନୀ