ଭୁବନେଶ୍ବର, ୦୪|୦୪: ନୂତନ ଶିକ୍ଷା ବର୍ଷ ଆରମ୍ଭ । ପାଠପଢ଼ା ପୂର୍ବରୁ ପିଲାଙ୍କ ହୋଇଛି ଖଡ଼ିଛୁଆଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦ୍ୟାଳୟରେ ପହଞ୍ଚି ନୂଆ କରି ପାଠପଢ଼ିବାକୁ ଆସିଥିବା କୁନି କୁନି ପିଲାଙ୍କୁ ଖଡ଼ିଛୁଆଁ, ଶ୍ରେଣୀ ଗୃହରେ ପ୍ରବେଶ କରାଯାଇଛନ୍ତି । ଏହା ସହିତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍  ପ୍ରଦାନ କରିଛନ୍ତି ।

ମା’-ବାପା ଲେଖା ଶିଖାଇଲେ:

ଶନିବାର ରାଜ୍ୟସ୍ତରୀୟ  ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି  ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି କୁନି କୁନି ପିଲାଙ୍କମାନଙ୍କୁ ଖଡ଼ିଛୁଆଁଇ ଥିଲେ । ସିଲଟରେ ମା’ ଓ ବାପା ଶବ୍ଦ ଲେଖାଇ ପାଠପଢା ଆରମ୍ଭ କରାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଅନୁଭବୀ ଶିକ୍ଷକ ଓ ମୁରବି ଭଳି ପିଲାଙ୍କ ବୌଦ୍ଧିକ ଜ୍ଞାନ ଟେଷ୍ଟ କରିଥିଲେ । ସିଏମ ମୋହନ ମାଝୀ ପିଲାଙ୍କ ମନ ଜିଣିଲା ଭଳି ପିଲାଙ୍କୁ ପଚାରିଥିଲେ ‘ମା’ଙ୍କ ନାଁ କ’ଣ ? ବାପାଙ୍କ ନାଁ କ’ଣ? ମାମୁ ଘର କେଉଁଠି ? କ’ଣ ଖାଇକି ଆସିଛ ? ଇତ୍ୟାଦି’। ଏହିପରି ମନକୁ ଛୁଇଁଲା ପରି କଥାବାର୍ତ୍ତା ଜରିଆରେ ସେମାନଙ୍କର ଉତ୍ସାହ ବୃଦ୍ଧି କରି ବିଦ୍ୟାରମ୍ଭକୁ ସହଜ କରିଥିଲେ ।

ନିପୁଣ ଓଡିଶା’ ଓ ‘ପଢିବା, ଗଢିବା ଓଡିଶା’:

ପ୍ରଥମେ ମୁଖ୍ୟମନ୍ତ୍ରୀ ‘ନିପୁଣ ଓଡିଶା’ ଓ ‘ପଢିବା, ଗଢିବା ଓଡିଶା’ ଅଭିଯାନରେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ପିଲାଙ୍କ ପାଇଁ ବିକଶିତ କରାଯାଇଥିବା ବିଷୟବସ୍ତୁ ଆଧାରିତ ଶିକ୍ଷଣୀୟ ସାମଗ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହାୟତା ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପିଲାଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ଚିତ୍ରାଙ୍କନ ଷ୍ଟଲକୁ ବୁଲି ଦେଖିବା ସହିତ ପିଲାମାନଙ୍କୁ ପ୍ରଶଂସା କରିଥିଲେ। ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କ ସ୍ୱଅଙ୍କିତ ଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ।

୫ ଲକ୍ଷ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଛି:

ପିଲାମାନଙ୍କୁ ତଥା ଉପସ୍ଥିତ ଅଭିଭାବକମାନଙ୍କୁ ଶୁଭକାମନା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା। ଗତ ବର୍ଷଠାରୁ ଏହି ପରମ୍ପରାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଇଛି । ପିଲାଙ୍କ ନାମଲେଖା ହାରକୁ ବ୍ୟାପକ କରିବା ଲକ୍ଷ୍ୟରେ ସରକାର ରାଜ୍ୟରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୫ ଲକ୍ଷ ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍ତି । ରାଜ୍ୟରେ କୌଣସି ବି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତୁ, ତାକୁ ସୁନିଶ୍ଚିତ କରିବା ପାଇଁ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଶିଶୁର ମନରେ ଶିକ୍ଷାପ୍ରତି ଯେପରି ଭୟ ନରହିବ, ଆଗ୍ରହ ଓ ଶ୍ରଦ୍ଧା ସୃଷ୍ଟି ହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଶହେ ପ୍ରତିଶତ ନାମଲେଖା । ନୂତନ ଶିକ୍ଷାନୀତି ଅନୁଯାୟୀ ଅଙ୍ଗନବାଡି ଗୁଡିକ ପର୍ଯ୍ୟାୟକ୍ରମେ ଶିଶୁବାଟିକାରେ ମିଶିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଲେ ଆହ୍ବାନ:

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରିଥାନ୍ତି। ଓଡିଶାର ପ୍ରତିଟି ଶିଶୁ ହେଉଛି ଆମର ଭବିଷ୍ୟତ। ତେଣୁ ଶିକ୍ଷା ହିଁ ପ୍ରକୃତ ସମ୍ପଦ ବୋଲି ଜନସଚେତନତା ସୃଷ୍ଟି କରନ୍ତୁ। ଆମର ଏହି ଶିକ୍ଷା ଅଭିଯାନକୁ ଆପଣମାନେ ବିଭିନ୍ନ ଗଣମାଧ୍ୟମ ଜରିଆରେ ରାଜ୍ୟବ୍ୟାପୀ ଏକ ଆନ୍ଦୋଳନରେ ପରିଣତ କରନ୍ତୁ। ଶିକ୍ଷକ ଶକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇ କହିଲେ ଯେ, ପିଲାମାନଙ୍କୁ ନିଜ ପିଲାଭଳି ସ୍ନେହ କରନ୍ତୁ, ସେମାନଙ୍କ ପ୍ରତିଭାକୁ ସଠିକ୍ ଭାବେ ନିରୁପଣ କରି ତା’ର ବିକାଶ ପ୍ରତି ଯତ୍ନବାନ ହୁଅନ୍ତୁ।

​​​​​​​

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମାଜସେବୀ ଜଗନ୍ନାଥ ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏନ୍. ଥିରୁମାଲା ନାୟକ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ।