ନୂଆଦିଲ୍ଲୀ, ୦୯/୦୬: ଦୁଇ ଅବିବାହିତ ଯୁବକ ଯୁବତୀ ପରସ୍ପର ସହମତିରେ ଶାରୀରିକ ସମ୍ପର୍କ ରଖିଲେ ତାହା କାହାରି ଚରିତ୍ରକୁ ପ୍ରତିଫଳିତ କରେ ନାହିଁ କିମ୍ବା ଏହା କୌଣସି ବ୍ୟକ୍ତିଙ୍କ ଚରିତ୍ର ଉପରେ ଦାଗ ନୁହେଁ । ଏହାକୁ ଆଧାର କରି କାହାରି ଚରିତ୍ର ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି, ଏପରି କୌଣସି ଆଇନ ନାହିଁ ଯାହା ଦୁଇ ପ୍ରାପ୍ତ ବୟସ୍କ ଏବଂ ଅବିବାହିତ ଲୋକଙ୍କୁ ନିଜ ପସନ୍ଦରେ ସମ୍ପର୍କ ରଖିବାକୁ ରୋକିପାରିବ । ଏଥିସହ ସେମାନଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଲେ ତାହାକୁ ପ୍ରତାରଣା ବୋଲି ମଧ୍ୟ କୁହାଯାଇପାରିବ ନାହିଁ ।
ଜଷ୍ଟିସ୍ ମନମୋହନ ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ତେଲଙ୍ଗାନା ରାଜ୍ୟ ପୁଲିସ ନିଯୁକ୍ତି ବୋର୍ଡର ଏକ ମାମଲାର ଶୁଣାଣି ବେଳେ ଦେଇଛନ୍ତି । ବୋର୍ଡ ଜଣେ ପ୍ରାର୍ଥୀଙ୍କୁ ନୈତିକତା ଦୃଷ୍ଟିରୁ ବିଚାର କରି କନଷ୍ଟେବଳ ଭାବେ ତାଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ । ସୁପ୍ରିମକୋର୍ଟ ଏହି ନିଯୁକ୍ତି ବାତିଲ ପ୍ରକ୍ରିୟାକୁ ଖାରଜ କରି ସେହି ପ୍ରାର୍ଥୀଙ୍କୁ ପୁଲିସ ବିଭାଗରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ସମୟରେ ବିବାହ ପୂର୍ବରୁ ସମ୍ପର୍କ ବେଶ୍ ସାଧାରଣ କଥା । ତେଣୁ ଏହାକୁ ଆଧାର କରି ସେମାନଙ୍କ ଚରିତ୍ର ବାବଦରେ ନକରାତ୍ମକ ରାୟ ବନାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।
ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରାର୍ଥୀ ଜଣକ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଉଭୟେ ୪ ବର୍ଷ ଧରି ସମ୍ପର୍କରେ ରହିଥିଲେ । ତେବେ ସେ ମିଛ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ନେଇ ଯୁବତୀ ଜଣକ ୨୦୧୪ରେ ଅଭିଯୋଗ ଆଣିଥିଲେ । ଫଳରେ ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା ଏବଂ ୨୦୧୫ରେ ଲୋକ ଅଦାଲତ ଏହି ମାମଲାକୁ ଶେଷ କରିଥିଲେ । ତେବେ ପୂର୍ବ ଅଭିଯୋଗ ଆଧାରରେ ନିଯୁକ୍ତି ବୋର୍ଡ ଅଭିଯୁକ୍ତଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଅଭିଯୁକ୍ତ ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ । ତେଲଙ୍ଗାନା ହାଇକୋର୍ଟ ମଧ୍ୟ ଯୁବକଙ୍କ ନିଯୁକ୍ତି ବାବଦରେ ପୁନଃ ବିଚାର କରିବାକୁ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ ।
ଅଧିକ ପଢ଼ନ୍ତୁ :- Solar Storm: ମାଡ଼ିଆସୁଛି ଭୟଙ୍କର ସୌରଝଡ଼, ଭାରତରେ ଦିଶିବ ଅଦ୍ଭୁତ ଆଲୋକ
ସୁପ୍ରିମକୋର୍ଟ କହିଥିଲେ, ଯେ ପର୍ଯ୍ୟନ୍ତ ଅଦାଲତରେ ଜଣେ ଦୋଷୀ ସାବ୍ୟସ୍ତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆଇନ ଆଗରେ ସେ ନିର୍ଦ୍ଦୋଷ ବୋଲି ସିଦ୍ଧାନ୍ତ ଲାଗୁ ହୋଇଥାଏ । ଏହି ମାମଲାରେ ପ୍ରତାରଣା ଅଭିଯୋଗ ରହିଥିଲା । କିନ୍ତୁ ଠକେଇ ବା ପ୍ରତାରଣା ପ୍ରମାଣ ହେବାର ବି ଆବଶ୍ୟକତା ରହିଥିଲା । କାରଣ ଅଭିଯୋଗ ବେଳେବେଳେ ମିଛ ବି ହୋଇଥାଏ । ଅନ୍ୟପକ୍ଷରେ ଅଭିଯୋଗକାରୀ ମଧ୍ୟ ମାମଲା ଆଗକୁ ବଢ଼ାଇ ନ ଥିଲେ ଏବଂ ବୁଝାମଣା କରିନେଇଥିଲେ । ତେଣୁ ବୋର୍ଡ ସେହି ବ୍ୟକ୍ତିଙ୍କ ବାବଦରେ ନକାରାତ୍ମକ ନିଷ୍କର୍ଷ ବାହାର କରିବାର କୌଣସି ଆଧାର ନ ଥିଲା ।