ହିଞ୍ଜିଳିକାଟୁ/ବ୍ରହ୍ମପୁର, ୦୭/୦୫: ନ୍ୟାୟଦାବିରେ ପୁରୁଷବନ୍ଧୁଙ୍କ ଘର ଆଗରେ ଧାରଣାରେ ବସିଥିବା ଗର୍ଭବତୀ ମହିଳାଙ୍କୁ ଟାଙ୍ଗିଆ ହାଣି ହତ୍ୟା ଘଟଣା । ଯାହାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ବ୍ରହ୍ମପୁର ଏମକେସଜି ମେଡିକାଲରେ ମହିଳାଙ୍କ ମୃତଦେହ ରହିଛି । ତେବେ ଏଯାଏ ତାଙ୍କ ମୃତଦେହ ନେବାକୁ ପରିବାରର କେହି ଆସୁନାହାନ୍ତି । ମହିଳାଙ୍କର ବାପା- ମାଆ ନଥିବା ବେଳେ ତାଙ୍କର କେହି ନିଜର ନଥିବା ଜଣାପଡିଛି। କେହି ନଆସିଲେ ପୁଲିସ ପ୍ରଶାସନ ପକ୍ଷରୁ ଶବସତ୍କାର କରିବା ନେଇ ସୂଚନା ମିଳିଛି ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖରିଡ଼ା ଗାଁରେ ପୁରୁଷବନ୍ଧୁଙ୍କ ଘର ବାରଣ୍ଡାରେ ପତ୍ନୀର ଅଧିକାର ଦାବିରେ ଧାରଣା ଦେଇଥିବା ୪ ମାସର ଗର୍ଭବତୀ ପୂଜା ସ୍ୱାଇଁ (୨୧) ଙ୍କୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ନାବାଳକ ଦିଅର ଓ ତାଙ୍କ ସହଯୋଗୀଙ୍କୁ ଛତ୍ରପୁର ଜେଜେବି (ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ)ରେ ହାଜର କରିଥିଲା । ପରେ ଉଭୟଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୁଲିସ ।
ସୂଚନା ଅନୁଯାୟୀ, ଗଞ୍ଜାମ ଥାନା ଅଗସ୍ତି ନୂଆଗାଁରେ ପୂଜାଙ୍କ ଘର । ପତ୍ନୀ ଅଧିକାର ଦାବିରେ ସେ ଖରିଡ଼ାଗ୍ରାମ ଜିଣ୍ଟୁ ଓରଫ୍ ଚିଣ୍ଟୁ ଗୌଡ଼ଙ୍କ ଘର ଆଗରେ ସୋମବାର ସନ୍ଧ୍ୟାରୁ ଧାରଣା ଦେଇଥିଲେ । ଚିଣ୍ଟୁଙ୍କ ସାନଭାଇ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।
ଅଢ଼େଇ ବର୍ଷ ପୂର୍ବେ ହିଞ୍ଜିଳି ଥାନା ଖରିଡ଼ା ଗାଁର ଚିଣ୍ଟୁ ଗୌଡ଼(୨୪) ଏବଂ ଅଗସ୍ତି ନୂଆଗାଁର ପୂଜାଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ସମ୍ପର୍କ ନିବିଡ଼ ହେବା ପରେ ଚିଣ୍ଟୁ ପୂଜାଙ୍କୁ ନେଇ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲା ଡେଲାଙ୍ଗର ଏକ ଶିବ ମନ୍ଦିରରେ ବିବାହ କରିଥିଲେ ।
ଗତ ୧୮ ତାରିଖରେ ଚିଣ୍ଟୁ ଗାଁକୁ ଯିବାକୁ କହି ବ୍ରହ୍ମପୁରରେ ପହଞ୍ଚିବା ପରେ କୌଶଳକ୍ରମେ ପୂଜାଙ୍କୁ ଛାଡ଼ି କେଉଁଆଡ଼େ ପଳାଇଥିଲେ । ଏ ସମ୍ପର୍କରେ ପୂଜା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆବଶ୍ୟକ ସହଯୋଗ ଯୋଗାଇ ଦେଇ ନ ଥିବା ଅଭିଯୋଗ କରି ପୂଜା ଗତ ୩ ତାରିଖରେ ପୁଣି ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ ।
ସୋମବାର ସନ୍ଧ୍ୟାରେ ଖରିଡ଼ା ଗାଁର କେତେକ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ପୂଜା, ଚିଣ୍ଟୁଙ୍କ ଘର ବାରଣ୍ଡାରେ ଧାରଣା ଦେଇଥିଲେ । ମଙ୍ଗଳବାର ବ୍ରହ୍ମପୁର ମହିଳା ଥାନା ପୁଲିସ ଓ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପୂଜାଙ୍କୁ ବୁଝାସୁଝା କରି ଫେରିବାର କିଛି ସମୟ ପରେ ଚିଣ୍ଟୁଙ୍କ ସାନଭାଇ ଏକ ଧାରୁଆ ଟାଙ୍ଗିଆରେ ପୂଜାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ପୂଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପୂଜାଙ୍କ ୨ ବର୍ଷର ଝିଅକୁ ପୁଲିସ ଉଦ୍ଧାର କରି ବୁଧବାର ବ୍ରହ୍ମପୁର ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି । ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି । ତେବେ ମୃତ ପୂଜାଙ୍କ ପୋଷ୍ଟମର୍ଟମ ସରିଥିବା ବେଳେ ଶବ ନେବାକୁ କେହି ଆସୁନାହାନ୍ତି। ଯାହକୁ ନେଇ ପୁଲିସ ପ୍ରଶାସନ ଦ୍ବନ୍ଦ୍ବରେ ପଡିଛି। ଯଦି କେହି ମୃତଦେହ ନେବାକୁ ନ ଆସନ୍ତି, ପୁଲିସ ପକ୍ଷରୁ ପୂଜାଙ୍କ ଶବ ସତ୍କାର କରାଯିବ ।