ପୁରୀ,୦୮/୦୮: ୪ ବର୍ଷର ପ୍ରେମ ସମ୍ପର୍କ ଥିଲା । ପ୍ରେମିକ ଘରେ ରହୁଥିଲା ପ୍ରେମିକା । ହେଲେ ୮ ଦିନ ତଳେ ପ୍ରେମିକ ଘରେ କଳାକନା ବୁଲାଇ ପ୍ରେମିକା ମାରିଲା ଚମ୍ପଟ । ସୁନା ଅଳଙ୍କାର ଓ ଏକ ମୋବାଇଲ୍ ଚୋରି କରି ପୁରୁଷ ବନ୍ଧୁ ସହ ପଳାଇଥିବା ନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହୋଇଛି । ବନ୍ଧୁତା ଦିବସରେ ପ୍ରେମିକାକୁ ପୁରୁଷ ବନ୍ଧୁ ସହ ଧରିଛି ପ୍ରେମିକ । ନିସ୍ତୁକ ଛେଚି ପୁଲିସ ଜିମା ଦେଇଛନ୍ତି ପ୍ରେମିକର ପରିବାର । ପ୍ରେମୀଯୁଗଳ ଚନ୍ଦନପୁର ଥାନା ଅଧୀନ ଉତ୍ତରଣାମଠସାହିର ଏବଂ ପୁରୁଷ ବନ୍ଧୁ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି ।
ମିଳିଥିବା ଖବର ଅନୁଯାୟୀ, ଯୁବକ ଓ ଯୁବତୀ ଗତ ୨୦୧୮ ମସିହାରେ ପ୍ରେମରେ ପଡ଼ିଥିଲେ । ସେହିବର୍ଷ ଯୁବତୀ ଘର ଛାଡ଼ି ପ୍ରେମିକଙ୍କ ଘରକୁ ଚାଲି ଆସିଥିଲେ । ଏହାପରେ ଯୁବତୀ ସଦାଶିବ କ୍ୟାମ୍ପ୍ସରେ ପାଠ ପଢ଼ୁଥିଲେ । ଯୁବତୀଙ୍କ ବାପଘର ଦାୟିତ୍ୱ ନ ନେବାରୁ ଯୁବକଙ୍କ ପରିବାର ତାଙ୍କ ପଡ଼ା ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ । ଯୁବତୀ ପୁରୀରେ ମେସ୍ରେ ରହି ପଢ଼ୁଥିବାବେଳେ ସହପାଠୀ ତଥା ଅଟକ ଥିବା ଗଞ୍ଜାମର ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । କିଛିଦିନ ତଳେ ଯୁବତୀଙ୍କୁ ତାଙ୍କ ପ୍ରେମିକ ମେସ୍ରେ ନରଖି ନିଜ ଘରକୁ ନେଇଯାଇଥିଲେ । ୮ ଦିନ ତଳେ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କୁ ଡାକି ଭୋର୍ରୁ ବାଇକ୍ ଯୋଗେ ପୁରୀ ପଳାଇ ଆସିଥିଲେ ।
ଆସିବାବେଳେ ପ୍ରେମିକଙ୍କ ଘରୁ ଏକ ମୋବାଇଲ୍ ଚୋରି କରି ଆଣିଥିଲେ । ପରେ ଜଣାପଡ଼ିଥିଲା ଯେ, ପ୍ରାୟ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି । ଏନେଇ ପ୍ରେମିକଙ୍କ ପରିବାର ଚନ୍ଦନପୁର ଥାନାରେ ଏତଲା ଦେଇଛନ୍ତି । ରବିବାର ରାତିରେ ଯୁବତୀ ରହୁଥିବା ମେସ୍କୁ ଆସି ଯୁବକଙ୍କ ଠାରୁ ଚୋରି ହୋଇଥିବା ମୋବାଇଲ୍ ମିଳିଥିଲା । ପରେ ଅନ୍ୟ ଏକ ନୂଆ ମୋବାଇଲ୍ ମଧ୍ୟ ବ୍ୟବହାର କରୁଥିଲେ ଯୁବତୀ । କେବଳ ମୋବାଇଲ୍ ଛଡ଼ା ଆଉ କିଛି ଚୋରି କରିନଥିବା କହିଥିଲେ ଯୁବତୀ । ପରେ ତାଙ୍କ ମାଧ୍ୟମରେ ପୁରୁଷ ବନ୍ଧୁଙ୍କୁ ପ୍ରେମିକଙ୍କ ପରିବାର ଡକାଇଥିଲେ । ବଡ଼ଦାଣ୍ଡ ମେଡିକାଲ୍ ଛକଠାରେ ପୁରୁଷ ବନ୍ଧୁକୁ କାବୁ କରି ନିସ୍ତୁକ ଛେଚିବା ପରେ ପୁଲିସ ଉଦ୍ଧାର କରିଥିଲା । ଯୁବତୀଙ୍କୁ ସ୍ୱଧାର ଗୃହକୁ ପଠାଯାଇଛି । କୁମ୍ଭାରପଡ଼ା ଥାନାରେ ପୁରୁଷ ବନ୍ଧୁକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।