କଟକ,୨୧/୧୦: ସମ୍ଭାବ୍ୟ ବାତ୍ୟା  ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା  ଜାରି ହେବା ପରେ ସିଏମ୍‌ସିରେ ମଧ୍ୟ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ସବୁ ତଳିଆ  ଅଞ୍ଚଳରେ ପମ୍ପ ସେଟ୍‌ ପ୍ରସ୍ତୁତ ରଖିବା ସହିତ ପମ୍ପ ଡ୍ରାଇଭର୍‌ମାନଙ୍କୁ ନିୟୋଜିତ କରିବାକୁ ମେୟର୍‌ ଓ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ  ସୋମବାର ଦିନ ସବୁ ଅଧିକାରୀ ଓ କର୍ପୋରେଟରଙ୍କୁ  ନେଇ ଉଚ୍ଚସ୍ତରୀୟ ମୁକାବିଲା ପ୍ରସ୍ତୁତ ବୈଠକ  ପାଇଁ ନିଷ୍ପତ୍ତି ହୋଇଛି । ଏମିତିକି ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି କୌଣସି ଅଧିକାରୀ କଟକ ନ ଛାଡିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । 


ସେହିଭଳି ୮୧ ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି । କଟକ ମହାନଗର ଅଞ୍ଚଳରେ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଏମ୍ ସି ପକ୍ଷରୁ ୨୮୩ ଟି ପମ୍ପ ସେଟ୍ ମହଜୁଦ ରଖା ଯାଇଛି । ଏହା ସହ ଅଧିକ ୧୦୦ଟି ମଟର ଅଧିକ ରଖାଯାଇଛି।

ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ପମ୍ପ ସେଟ୍ ଓ ତେଲ ଗୁଡ଼ିକୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଭେଟିନାରୀ ପକ୍ଷରୁ ୧୪ ଟି ଆର୍‌ଆର୍‌ପିଟିମ୍ ରଖାଯାଇଛି । ମୁଖ୍ୟାଳୟ ସହ ୪ ଟି ଫାୟାର ଷ୍ଟେସନରେ ୧୦ ଟିମ୍ ପ୍ରସ୍ତୁତ ଅଛନ୍ତି । ଗଛ ସଫା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୱାଟକୋ ପକ୍ଷରୁ ଅଧିକ ୯୪ ଟି ଡି ଜି ସେଟ୍ ପ୍ରସ୍ତୁତ ରଖାଯାଇଛି। 

ପାଣିପାଗ ବିଭାଗର ସୂଚନାନୁସାରେ ଆସନ୍ତା  ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା  ପ୍ରଭାବ ଦେଖିବାକୁ ମିଳିବ । ଏହାକୁ ଦୃଷ୍ଟିରେ ରଖି  ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏସବୁ ମଧ୍ୟରେ କଟକ ପାଇଁ ମଧ୍ୟ ଚିନ୍ତା ରହିଛି । ଯାହାଫଳରେ ସିଏମ୍‌ସି  ପକ୍ଷରୁ ଆଜି ପ୍ରସ୍ତୁତି ଆରମ୍ଭ ହୋଇଛି । ମେୟର୍‌  ସୁବାସ ସିଂହ ଓ କମିସନର ଅନାମ ଚରଣ  ପାତ୍ର ବିଭିନ୍ନ ବିଭାଗ ସହ ସମନ୍ୱୟ ରଖାଯାଇ  କିଭଳି ମୁକାବିଲା ହେବ ସେଥିପାଇଁ ଆଲୋଚନା କରାଯାଇଥିଲା । ପମ୍ପ ସ୍ଥିତି ସମ୍ପର୍କରେ ବିଭାଗୀୟ  ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା  ପାଇଁ କଟକ ବାହାରେ ରହୁଥିବା ଅଧିକାରୀମାନେ  କଟକରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି  ବୋଲି ମେୟର ସୁବାସ ସିଂହ କହିଛନ୍ତି ।  ଏହାସହ ସବୁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇ  ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ  ବୋଲି କମିସନର ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।