ଭୁବନେଶ୍ୱର, ୧୮/୧୨: ଆପାର୍ଟମେଣ୍ଟ ହେଉ କି ଡୁପ୍ଲେକ୍ସ କିମ୍ବା ଘର। ଗତ କିଛି ମାସ ହେବ ସିନ୍ଧିଚୋରମାନେ ଆତଙ୍କ ଖେଳାଉଛନ୍ତି। ଯାହାକୁ ନେଇ କମିଶନରେଟ୍ ପୁଲିସ୍ର ଦକ୍ଷତା ଉପରେ ଆଙ୍ଗୁଳି ଉଠାଇଥିଲେ ସହରବାସୀ। ଏହି ସିନ୍ଧିଚୋରଙ୍କୁ ରୋକିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ୍ ପୁଲିସ୍ ଭୁବନେଶ୍ୱର ୟୁପିଡି। ଡିସିପି ପିନାକ ମିଶ୍ର ଗଠନ କରିଛନ୍ତି ‘ସିନ୍ଧିଚୋର ନିରୋଧି ସ୍କ୍ୱାଡ୍’। ଏହି ସ୍କ୍ୱାଡ୍ରେ ବନ୍ଧୁକଧାରୀ ଅଧିକାରୀଙ୍କ ସମେତ ୧୫୦ ପୁଲିସ ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି। ଉକ୍ତ ସ୍କ୍ୱାଡ୍ ଥାନାଠୁ ଦୂରରେ ଥିବା ଆପାର୍ଟମେଣ୍ଟ, ଡୁପ୍ଲେକ୍ସ ଓ ନିଛାଟିଆ ଅଞ୍ଚଳରେ ଥିବା ଘର ପାଖରେ ସାଦା ପୋଷାକରେ ବୁଲିବେ। ଯଦି କିଛି ସନ୍ଦିଗ୍ଧ ସେମାନଙ୍କୁ ନଜରକୁ ଆସିବେ ପୁଲିସ୍ ସେମାନଙ୍କୁ ଧରି ଥାନାକୁ ନେବେ।
ଅନ୍ୟପଟେ ଆପାର୍ଟମେଣ୍ଟ କମିଟି ଓ ସ୍କ୍ୱାଡ୍କୁ ନେଇ ଡିସିପି ଏକାଧିକ ହ୍ୱାଟ୍ସଆପ୍ ଗ୍ରୁପ୍ କରିଛନ୍ତି। କୌଣସି ସମସ୍ୟା ଥିଲେ ଉକ୍ତ ଗ୍ରୁପ୍ରେ ତୁରନ୍ତ ଜଣାଇବାକୁ ଡିସିପି ପରାମର୍ଶ ଦେଇଛନ୍ତି। ଗତ ୧୧ ମାସ ଭିତରେ ୧୦୦ରୁ ଅଧିକ ଫ୍ଲାଟ୍ରୁ ଚୋରି ହେଲାଣି। ଏ ସବୁ ଚୋରି ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶନାମା (ଆଡଭାଇଜରି) ଜାରି ହୋଇଛି । ଟୁଇନ୍ ସିଟି ଓ ଉପକଣ୍ଠରେ ଥିବା ସମସ୍ତ ଆପାର୍ଟମେଣ୍ଟରେ ଆଇପି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ବୋଲି ପୁଲିସ୍ କମିଶନର ଏସ୍. ଦେବଦତ୍ତ ସିଂହ କହିଛନ୍ତି । ଖାଲି ସେତିକି ନୁହେଁ ଆଇପି କ୍ୟାମେରା ଲଗାଇବା ପରେ ଉକ୍ତ କ୍ୟାମେରା ଫିଡ୍ କମିଶନରେଟ୍ର ପୁଲିସ୍ର ସିସିଟିଭି କଣ୍ଟ୍ରୋଲ୍ ରୁମ୍କୁ ଦେବାକୁ କମିଶନର ଶ୍ରୀ ସିଂହ କହିଛନ୍ତି । କ୍ୟାମେରା ଫିଡ୍ କମିଶନରେଟ୍ ପୁଲିସ୍ର ସିସିଟିଭି କଣ୍ଟ୍ରୋଲ୍ ରୁମ୍ରେ ରହିବ । ଫଳରେ ୨୪ ଘଣ୍ଟା ଉକ୍ତ ଆପାର୍ଟମେଣ୍ଟର ସୁରକ୍ଷା ପୁଲିସ୍ ଦେଖିବ । ଯେଉଁ ଆପାର୍ଟମେଣ୍ଟ ବାସିନ୍ଦା କ୍ୟାମେରା ବାବଦରେ ଅଧିକ ତଥ୍ୟ ଜାଣିବାକୁ ଚାହିଁବେ ସେମାନେ ୭୬୦୬୦୬୬୭୬୬ ନଂରେ ଯୋଗାଯୋଗ କରିପାରିବେ ବୋଲି ପୁଲିସ୍ କମିଶନର କହିଛନ୍ତି ।