ନୂଆଦିଲ୍ଲୀ: ଦୁବାଇରେ ରବିବାର ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪   ଓ୍ବିକେଟରେ ହରାଇ ଇତିହାସ ରଚିଛି ଭାରତ । ଭାରତୀୟ ଟିମ୍‌ ଆଇସିସି ଇଭେଣ୍ଟରେ ଲଗାତାର ଦ୍ବିତୀୟ ଥର ଜିତି ଟ୍ରଫି ନିଜ ନାଁରେ କରିଛି । ସେପଟେ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଏବେ ଦଳକୁ ଛୁଟିଛି ଶୁଭେଚ୍ଛାର ସୁଅ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । 




ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ହାର୍ଦ୍ଦିକ ଅଭିନନ୍ଦନ । ତିନିଥର ଟ୍ରଫି ଜିତିବାରେ ଭାରତ ଏକମାତ୍ର ଦଳ ହୋଇପାରିଛି । କ୍ରିକେଟ୍ ଇତିହାସ ସୃଷ୍ଟି ପାଇଁ ଖେଳାଳି, ପରିଚାଳନା ଏବଂ ସହାୟକ କର୍ମଚାରୀମାନେ ସର୍ବାଧିକ ପ୍ରଶଂସା ପାଇବାକୁ ଯୋଗ୍ୟ । ମୁଁ ଭାରତୀୟ କ୍ରିକେଟ୍ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।’







 ପ୍ରଧାନମନ୍ତ୍ରୀ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଏକ ଅସାଧାରଣ ଖେଳ ଏବଂ ଅସାଧାରଣ ପରିଣାମ ! ଆଇସିସି ଚାମ୍ପିଅନ୍ସ ଟ୍ରଫି ଘରକୁ ଆଣିଥିବାରୁ ଆମ କ୍ରିକେଟ ଟିମ୍‌ ଉପରେ ଆମେ ଗର୍ବିତ। ସମସ୍ତେ ପୂରା ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଶୁଭେଚ୍ଛା।’




ସେହିଭଳି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ଏହି ବିଜୟ ଇତିହାସ ରଚିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଉଲ୍ଲେଖନୀୟ ବିଜୟ ହାସଲ କରିଥିବାରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା।’ ସେ ଆହୁରି କହିଛନ୍ତି ଆପଣମାନେ ଦେଶକୁ ଗର୍ବିତ କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ।




ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ‘ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଉଲ୍ଲେଖନୀୟ ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଉତ୍ତମ ପ୍ରଦର୍ଶନ, କୌଶଳ, ଦୃଢ଼ ସଂକଳ୍ପ ଏବଂ ଖେଳ ଭାବନାକୁ ଦର୍ଶାଉଛି। ଆଜି ପୂରା ଦେଶ ଗର୍ବିତ।’