ୱାଶିଂଟନ୍‌, ୩୦/୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୋମବାର ହ୍ୱାଇଟ୍‌ ହାଉସ୍‌ରେ ଦୀପ ଜାଳି ଶେଷ ଦୀପାବଳି ପାଳିଛନ୍ତି । ଏହି ଅବସରରେ ୬ଶହରୁ ଊର୍ଦ୍ଧ୍ୱ ଭାରତୀୟ-ଆମେରିକୀୟ ଉପସ୍ଥିତ ଥିଲେ । ବାଇଡେନ୍‌ ଭାରତୀୟ- ଆମେରିକୀୟ ସାଂସଦ, ଅଧିକାରୀ ଏବଂ ଉଦ୍ୟୋଗପତିଙ୍କୁ ସମ୍ବୋଧିତ କରି କହିଥିଲେ, ହ୍ୱାଇଟ ହାଉସ୍‌ରେ ସବୁଠୁ ବଡ଼ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କରିବା ତାଙ୍କ ପାଇଁ ସମ୍ମାନର କଥା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସିନେଟର ରହିବା ସମୟରେ ସେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟଙ୍କ ସହ ମିଶି କାମ କରିଛନ୍ତି । ଦକ୍ଷିଣ-ଏସୀୟ ଆମେରିକୀୟ ସମୁଦାୟ ଆମେରିକାର ପ୍ରତ୍ୟେକ ଭାଗକୁ ସମୃଦ୍ଧ କରିଛନ୍ତି । ଏହା ଦୁନିଆରେ ସବୁଠୁ ଦ୍ରୁତଗତିରେ ଆଗକୁ ବଢ଼ୁଥିବା ସମୁଦାୟ । ଏବେ ଦୀପାବଳି ଗର୍ବର ସହ ହ୍ୱାଇଟ୍‌ ହାଉସ୍‌ରେ ପାଳନ କରାଯିବ । 

ସମାରୋହରେ ଉପରାଷ୍ଟ୍ରପତି କମଳା ହାରିସ୍‌, ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ସାମିଲ ହୋଇ ନଥିଲେ । ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ହାରିସ୍‌ ଆସିପାରି ନ ଥିବା ବାଇଡେନ୍‌ କହିଥିଲେ । ଅନ୍ୟପକ୍ଷରେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରୁ ଭିଡିଓ ବାର୍ତ୍ତା ଜାରି କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ସେ କହିଛନ୍ତି, ସ୍ପେସ୍‌ ଷ୍ଟେସନରେ ପୃଥିବୀରୁ ୪ ଶହ କିମି ଉଚ୍ଚରେ ଦୀପାବଳି ପାଳନ କରିବାର ନିଆରା ଅବସର ମିଳିଛି । ତାଙ୍କ ପିତା ତାଙ୍କୁ ଦୀପାବଳି ଏବଂ ଅନ୍ୟ ଭାରତୀୟ ଉତ୍ସବ ବାବଦରେ ସବୁବେଳେ ଶିଖାଉଥିଲେ ଓ ନିଜ ସଂସ୍କୃତି ସହ ଯୋଡ଼ି ରଖୁଥିଲେ । ଦୀପାବଳି ଖୁସିର କ୍ଷଣ, କାରଣ ଦୁନିଆରେ ଏବେ ବି ଉତ୍ତମତା କାଏମ ରହିଛି ।