ଭୁବନେଶ୍ବର, ୨/୨ : ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବାୟୂସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଛନ୍ତି ।ଆସନ୍ତାକାଲି ଅପରାହ୍ନ ୫ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବେ । ଏହାପରେ ପୁରୀ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ । ଆସନ୍ତା ୪ ତାରିଖରେ ଶ୍ବେତଗଙ୍ଗାରେ ରାଷ୍ଟ୍ରପତି ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଆସନ୍ତା ୩ ତାରିଖ ସକାଳ ସାଢ଼େ ୮ଟାରେ ରାଷ୍ଟ୍ରପତି ଲୋକଭବନରୁ କାରକେଡ୍ରେ ବିମାନବନ୍ଦରକୁ ଯିବେ । ସେଠାରୁ ହେଲିକପ୍ଟର ଯୋଗେ ବାଲେଶ୍ୱର ଅଭିମୁଖେ ବାହାରିବେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବିଶ୍ୱବିଦ୍ୟାଳୟର ନବନିର୍ମିତ ଅଡିଟୋରିୟମକୁ ଉଦଘାଟନ କରିବେ ।
ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ରାଇରଙ୍ଗପୁରର ମାହୁଲଦିହାସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ । ସେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ଡାକ୍ତରଖାନା, ଓୟୁଏଟି କ୍ୟାମ୍ପସ, ତୀରନ୍ଦାଜୀ କେନ୍ଦ୍ର, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଡ୍ରେନେଜ ଅପଗ୍ରେଡେସନ ପ୍ରକଳ୍ପ, ବିଭିନ୍ନ ସିଏସଆର ପ୍ରକଳ୍ପ ଏବଂ ରାଇରଙ୍ଗପୁରରେ ଏମଏସସିବି ବିଶ୍ୱବିଦ୍ୟାଳୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଭଳି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଆସନ୍ତା ୬ ତାରିଖରେ ରାଷ୍ଟ୍ରପତି ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସହ ଭାବବିନିମୟ କରିବେ । ପରେ ହେଲିକପ୍ଟର ଯୋଗେ ମଧ୍ୟାହ୍ମ ସାଢ଼େ ୧ଟା ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରକୁ ଫେରିବେ । ସେଠାରୁ କାରକେଡ୍ ଯୋଗେ ଲୋକଭବନକୁ ଯାଇ ଅପରାହ୍ଣ ୪ଟାରେ ଜାଭିଅର ଛକ ଅଭିମୁଖେ ବାହାରିବେ । ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ମେ’ ଫେୟାର ହୋଟେଲରେ ଆୟୋଜିତ "ବ୍ଲାକ୍ ସ୍ୱାନ୍ ସମ୍ମିଟ୍ ଇଣ୍ଡିଆ'ରେ ଯୋଗଦେବେ । ସେହିଦିନ ଲୋକଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ତା’ ପରଦିନ ସକାଳ ସାଢ଼େ ୮ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରୁ ଛତିଶଗଡ଼ ଅଭିମୁଖେ ବାହାରିବେ । ଜଗଦଲପୁରରେ "ବସ୍ତର ପାଣ୍ଡୁମ ୨୦୨୬' ମହୋତ୍ସବର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।
ଏହାସହ ପଢ଼ନ୍ତୁ : ଭାରତ ବିପକ୍ଷ ମ୍ୟାଚ ବର୍ଜନ ନିଷ୍ପତ୍ତିକୁ ବଦଳାଇପାରେ ପାକିସ୍ତାନ, ସଙ୍କେତ ଦେଲେ ପୂର୍ବତନ କ୍ରିକେଟର