ଗଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: ‘ଆଗରୁ ଆମକୁ ଦରିଦ୍ର କହୁଥିଲେ, ଏବେ ବିଶ୍ବ ଦରବାରରେ ଭାରତର ପରିଚୟ ସ୍ବତନ୍ତ୍ର’

ନୂଆଦିଲ୍ଲୀ ୨୫/ ୦୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମହାମହିମ ରାଷ୍ଟ୍ରପତି ପଦରେ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଅଭିଭାଷଣ । ରାଷ୍ଟ୍ରକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ‘ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ । ୭୪ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶ ତଥା ବିଦେଶରେ ସମସ୍ତ ଭାରତବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା । ଆମେ ସମସ୍ତେ ଏକ୍ ଏବଂ ଆମେ ସମସ୍ତେ ଭାରତୀୟ । ଏତେ ଗୁଡିଏ ଭାଷା ଆମକୁ କେବେ ବି ବିଭାଜିତ କରିପାରିନି ବରଂ ଆମକୁ ଆହୁରି ଯୋଡିଛି । ସେଥିପାଇଁ ଆମେ ଏକ ଲୋକତନ୍ତ୍ରୀକ ଗଣରାଜ୍ୟ ରୂପେ ସଫଳ ହୋଇପାରିଛେ ।ଏହା ହିଁ ଭାରତର ସାରସତ୍ତ୍ବ’।
ରାଷ୍ଟ୍ରପତି କହିଛନ୍ତି, ‘ଭାରତ ଏକ ଦରିଦ୍ର ତଥା ନିରକ୍ଷର ଦେଶରୁ ବାହାରି ଏବେ ବିଶ୍ବ ମଞ୍ଚରେ ଦୃଢ ଆତ୍ମବିଶ୍ବାସରେ ଭରପୂର ରାଷ୍ଟ୍ର ଭାବେ ସ୍ଥାନ ପାଇସାରିଛି । ସମ୍ବିଧାନ ନିର୍ମାତାଙ୍କ ସାମୂହିକ ମାର୍ଗଦର୍ଶନ ବିନା ଦେଶର ପ୍ରଗତି ସମ୍ଭବପର ନଥିଲା । ଭାରତ ସର୍ବଦା ଡଃ. ବିଆର୍ ଆମ୍ବେଦକରଙ୍କ ପାଖରେ କୃତଜ୍ଞ ହୋଇ ରହିବ । ଯିଏକି ସମ୍ବିଧାନ ପ୍ରଣୟନର ନେତୃତ୍ବ ନେଇଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ’।
ରାଷ୍ଟ୍ରପତି ଆହୁରି କହିଛନ୍ତି କୋଭିଡ୍ ମହାମାରୀ ସତ୍ତେ୍ବ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି ଘଟିଛି । ଯାହାକି ଭାରତ ପାଇଁ ଏକ ବଡ ଉପଲବ୍ଧି । ସେ କହିଛନ୍ତି ଗତ ବର୍ଷ ଭାରତ ଦୁନିଆର ପଞ୍ଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଥିଲା। ସକ୍ଷମ ନେତୃତ୍ବ ଏବଂ ପ୍ରଭାବୀ ସଂଘର୍ଷଶୀଳତା ଫଳରେ ଆମେ ଶୀଘ୍ର ମାନ୍ଦାବସ୍ଥାରୁ ବାହାରକୁ ବାହାରି ଆସିଥିଲେ ଏବଂ ଆମର ବିକାଶ ଯାତ୍ରା ପୁଣି ଆରମ୍ଭ କରିଥିଲେ।