ରାଉରକେଲା,୨୧/୦୪: ଆଜି ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କୁ ସ୍ୱାଗତ ପାଇଁ ଇସ୍ପାତ ସହର ପୂରା ପ୍ରସ୍ତୁତ ହୋଇଥିବା ବେଳେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ସହରବାସୀ । ବିମାନବନ୍ଦରଠାରୁ ଆରମ୍ଭ କରି ସମାବେଶ ସ୍ଥଳ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ଲୁ-ବୁକ୍ ଅନୁଯାୟୀ କାର୍କେଡ୍ ରିହର୍ସାଲ୍ ମଧ୍ୟ ଶେଷ ହୋଇଛି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସକାଳ ୮ଟାରେ ରାଷ୍ଟ୍ରପତି ଭବନ (ରାଇସିନା ହିଲ୍)ରୁ ବାହାରି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ବିମାନରେ ଆସି ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ବାୟୁସେନାର ହେଲିକପ୍ଟରରେ ରାଉରକେଲା ବିମାନ ବନ୍ଦରରେ ୧୧ଟା ୧୦ରେ ପହଞ୍ଚିବେ । ବିମାନ ବନ୍ଦରରୁ ସିଧାସଳଖ ସେକ୍ଟର-୧୩ ପଡ଼ିଆରେ ଆୟୋଜିତ ସମାବେଶ ସ୍ଥଳକୁ ଯିବେ । ସାଢ଼େ ୧୧ଟା ସୁଦ୍ଧା ସେଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ । ସକାଳ ୧୧ଟା ୪୦ରୁ ମଧ୍ୟାହ୍ନ ୧୨ଟା ୪୦ ପର୍ଯ୍ୟନ୍ତ ସଭା ସ୍ଥଳରେ ଉପସ୍ଥିତ ରହିବେ । ଆଇସିସିସି ବିଲଡିଂ, ସାଇନ୍ସ ପାର୍କ ଆଣ୍ଡ ପ୍ଲାନେଟାରିୟମ୍, କୋଏଲ ରିକ୍ରିଏସନ୍ ପାର୍କର ଉଦ୍ଘାଟନ କରିବେ । ମଧ୍ୟାହ୍ନ ୧୨ଟା ୪୦ରେ ସଭାସ୍ଥଳରୁ ବାହାରି ୧୨ଟା ୫୫ରେ ରାଉରକେଲା ୱାନ୍ ପରିସରକୁ ଆସି ଟ୍ରାଇବାଲ ମ୍ୟୁଜିୟମ୍ (ଜନଜାତି ସଂଗ୍ରହାଳୟ) ଉଦ୍ଘାଟନ କରିବେ। ସେଠାରୁ ୧ଟା ୨୫ରେ ବାହାରି ସର୍କିଟ୍ ହାଉସ୍ ଯିବେ । ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ଅପରାହ୍ନ ସାଢ଼େ ୩ଟାରୁ ପ୍ରାୟ ୧୦ ମିନିଟ୍ ସୀମିତ ସଂଖ୍ୟକ ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଏହାପରେ ସର୍କିଟ୍ ହାଉସ୍ରୁ ବାହାରି ରାଉରକେଲା ବିମାନ ବନ୍ଦରରେ ପହଞ୍ଚି ଝାରସୁଗୁଡ଼ା ଯିବେ ସେଠାରୁ ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ମୁର୍ମୁଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ବିଧାୟକ ସାରଦା ପ୍ରସାଦ ନାୟକ, ଦୁର୍ଗାଚରଣ ତନ୍ତୀଙ୍କ ସମେତ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିବେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପ୍ରାୟ ୧୦ହଜାର ସ୍କୁଲ ଛାତ୍ରଛାତ୍ରୀ ସଭାସ୍ଥଳରେ ଓଡ଼ିଶୀ, ସମ୍ବଲପୁରୀ, ସାନ୍ତାଳୀ ଓ କର୍ମା ନୃତ୍ୟ ପ୍ରଦର୍ଶନ କରିବେ ।
ଅଧିକ ପଢ଼ନ୍ତୁ :- Heat Wave Alert: ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, ତାତି ୪୫ ଡିଗ୍ରୀ ଛୁଇଁପାରେ