ରାଉରକେଲା,୧୯/୪ : ଆସନ୍ତା ୨୧ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଉରକେଲାରେ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ । ଆସନ୍ତା ୨୧ ତାରିଖ ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଉଡ଼ାଣ ଭରି ପୂର୍ବାହ୍ନ ୧୧ଟା ୧୦ମିନିଟ୍ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ । ଆଦିବାସୀ ସଂସ୍କୃତି ପରମ୍ପରା ଆଦିବାସୀ ନୃତ୍ୟରେ ମହାମହିମ ରାଷ୍ଟ୍ରପତି ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରିବାର ସରିଛି ସମସ୍ତ ପ୍ରସ୍ତୁତି ।
ରାଷ୍ଟ୍ରପତି ବିମାନ ବନ୍ଦରରୁ ସିଧାସଳଖ ଭାବେ ଯାଇ ପହଞ୍ଚିବେ ରାଉରକେଲା ୱାନ୍ରେ । ରାଉରକେଲା ୱାନ ପରିସରରେ ୪୮କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା କମାଣ୍ଡ କଣ୍ଟ୍ରୋଲ ରୁମ୍କୁ ଲୋକାର୍ପଣ କରିବେ । ଯେଉଁଠାରୁ ରାଉରକେଲା ସହର ସିସିଟିଭି ନଜରରେ ରହିବ । ଏହାସହ ୪୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଆଦିବାସୀ ସଂଗ୍ରାହଳୟକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି ।
ସେଠାରୁ ରାଷ୍ଟ୍ରପତି ଯିବେ ସେକ୍ଟର ୧୩ମେଲଣ ପଡ଼ିଆକୁ ଯେଉଁଠାରେ ଆୟୋଜନ କରାଯାଇଛି ସାଧାରଣ ସଭା । ଯେଉଁଥିରେ ୧୦ ହଜାର ଛାତ୍ରଛାତ୍ରୀ, ୩୫ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଗୋଷ୍ଠୀ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଆଉ ସେହିଠାରେ ଭର୍ଚ୍ଚୁଆଲରେ ସମ୍ପୂର୍ଣ୍ଣ ହୋଇଥିବା ୪ଗୋଟି ପ୍ରକଳ୍ପ କୋଏଲ ନଗର ମନୋରଞ୍ଜନ ପାର୍କ, ଖର୍ଚ୍ଚ ୪୨.୪୪କୋଟି, ଛେଣ୍ଡ୍ ସ୍ଥିତ ସାଇନ୍ସ ପାର୍କ ଆଣ୍ଡ୍ ପ୍ଲାନେଟୋରିୟମ ଖର୍ଚ୍ଚ ୨୭ କୋଟି କରିବେ ଲୋକାର୍ପଣ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ।
ଆଇନଶୃଙ୍ଖଳାକୁ ନଜରରେ ରଖି ଫୋର୍ସ ମୁତୟନ ସହ ସାଧା ପୋଷାକରେ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଜଗି ରହିବେ ଗୁଇନ୍ଦା ଅଧିକାରୀ । ଏହି ୪ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ପରିଦର୍ଶନ କରିସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଅବସ୍ଥାପିତ ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ । ସୁନ୍ଦରଗଡ଼ ମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ସୁନ୍ଦରଗଡ଼ ସମ୍ପୂର୍ଣ୍ଣ ପ୍ରସ୍ତୁତ ।