ନୂଆଦିଲ୍ଲୀ, ୧୩।୧: ଭାରତର ଯୁବପିଢ଼ି ସୃଜନଶୀଳତାରେ ଭରିରହିଛନ୍ତି । ନୂଆ ଚିନ୍ତାଧାରା, ଶକ୍ତି ଏବଂ ଉଦ୍ଦେଶ୍ୟ ସହିତ ଯୁବପିଢ଼ି ରାଷ୍ଟ୍ର ନିର୍ମାଣରେ ସବୁଠୁ ଆଗରେ ଅଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପ୍ରଚୁର ସୁଯୋଗ ରହିଛି । ରିସ୍କ ନେବା ପାଇଁ ସେମାନେ ଆଦୌ ଭୟଭୀତ ହେବା ଉଚିତ ନୁହେଁ । ସରକାର ସେମାନଙ୍କ ସହ ଅଛନ୍ତି । ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସୋମବାର ଆୟୋଜିତ ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୬’ ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଏହି ଅବସରରେ ଯୁବପିଢ଼ିଙ୍କ ଦ୍ୱାରା ପ୍ରସ୍ତୁତ ନବସୃଜନ ଆଧାରିତ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ମୋଦି । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଭାବେ ଦେଶର ଯୁବପିଢ଼ିଙ୍କ ଉପରେ ମୋର ଅଧିକ ବିଶ୍ୱାସ ରହିଛି । ସେମାନଙ୍କ ଶକ୍ତିରୁ ମୋତେ ଶକ୍ତି ମିଳିଥାଏ । ଡିଜିଟାଲ ଇଣ୍ଡିଆ ଦେଶରେ ‘କ୍ରିଏଟର(ସୃଷ୍ଟିକର୍ତ୍ତା)’ଙ୍କର ଏକ ନୂଆ ବର୍ଗ ପ୍ରସ୍ତୁତ କରିଛି । ଆଜି ଭାରତରେ ଅରେଞ୍ଜ୍ ଇକୋନୋମି ବା ସଂସ୍କୃତି, କଣ୍ଟେଣ୍ଟ ଏବଂ ସୃଜନଶୀଳତା ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆମ ପାଖରେ ରାମାୟଣ, ମହାଭାରତ ଭଳି ଅସଂଖ୍ୟ କାହାଣୀ ରହିଛି । ଏବେ ପ୍ରଶ୍ନ ଉଠୁଛି ଯେ ଏହି କାହାଣୀଗୁଡ଼ିକୁ ଗେମିଂ ଦୁନିଆ ପର୍ଯ୍ୟନ୍ତ ନିଆଯାଇ ପାରିବ କି ?

​​​​​​​

ମୋଦି କହିଛନ୍ତି, ସମଗ୍ର ବିଶ୍ୱରେ ଗେମିଂ ବହୁତ ବଡ଼ ବଜାରରେ ପରିଣତ ହୋଇଛି । ଯଦି ଆମେ ନିଜ ପୌରାଣିକ କଥା ଉପରେ ଆଧାରିତ ଗେମ୍ ପ୍ରସ୍ତୁତ କରନ୍ତି, ତେବେ ଗେମିଂ ଦୁନିଆରେ ନୂଆ ତଥା ବଡ଼ ସୁଯୋଗ ସୃଷ୍ଟି ହୋଇପାରେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ । ସ୍ୱାମୀ ବିବେକାନନ୍ଦଙ୍କ ବିଚାର ଆଜି ମଧ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛି । ଆମ ଜୀବନର ଲକ୍ଷ୍ୟ କ’ଣ, କେମିତି ଆମେ ରାଷ୍ଟ୍ର-ପ୍ରଥମ ଭାବନା ସହ ବଞ୍ଚିବା, କିଭଳି ଆମର ପ୍ରତ୍ୟେକ ଉଦ୍ୟମରେ ସମାଜ ତଥା ଦେଶର ହିତ ହେବ, ସେସବୁ ଆମେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରୁ ଶିଖିବାକୁ ପାଇଥାଉ । ତାଙ୍କ ସ୍ମରଣରେ ଆମେ ପ୍ରତିବର୍ଷ ଜାନୁଆରୀ ୧୨କୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରୁଛୁ । ଏହି ପ୍ରେରଣାରୁ ଜାନୁଆରୀ ୧୨କୁ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ପାଇଁ ଚୟନ କରାଯାଇଛି । ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ସେହି ପର୍ଯ୍ୟନ୍ତ ପହଞ୍ଚିବାର ଯାତ୍ରା ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ଯୁବପିଢ଼ିଙ୍କ ଜୀବନ ପାଇଁ ମଧ୍ୟ ସ୍ୱତନ୍ତ୍ର । ସେମାନଙ୍କ ଶକ୍ତି ଓ ପରିଶ୍ରମରୁ ଭାରତ ମଜଭୁତ ହେବ । ସେମାନଙ୍କ ସଫଳତାରୁ ଦେଶକୁ ଆଗକୁ ବଢ଼ିବାର ନୂଆ ଦିଗ ଓ ଉଚ୍ଚତା ମିଳିବ । ଉଲ୍ଲେଖଯୋଗ୍ୟ, ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ର ଏହା ଦ୍ୱିତୀୟ ସଂସ୍କରଣ । ଏହା ଏକ ରାଷ୍ଟ୍ରୀୟ ମଞ୍ଚ । ଯୁବପିଢ଼ିଙ୍କୁ ସିଧାସଳଖ ଭାବେ ରାଷ୍ଟ୍ରୀୟ ନେତୃତ୍ୱଙ୍କ ସହ ଯୋଡ଼ିବା ଏହାର ଉଦ୍ଦେଶ୍ୟ । ଯାହା ଦ୍ୱାରା ସେମାନେ ନିଜ ବିଚାର ଏବଂ ସମାଧାନ ସାମ୍ନାରେ ରଖିପାରିବେ ।