ଦେଶବ୍ୟାପୀ ପ୍ରଚାର କରିବେ ପ୍ରିୟଙ୍କା: କଂଗ୍ରେସ

livehindustan.com
ନୂଆଦିଲ୍ଲୀ,୩୦ ।୧(ଏଜେନ୍ସି): ନିକଟରେ କଂଗ୍ରେସର ସାଧାରଣ ସଂପାଦକ ଭାବେ ନିଯୁକ୍ତ ପାଇଥିବା ପ୍ରିୟଙ୍କା ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନରେ ଦେଶବ୍ୟାପୀ ପ୍ରଚାର କରିବେ । କଂଗ୍ରେସ ପକ୍ଷରୁ ଆଜି ଏହା ପ୍ରକାଶ କରାଯାଇଛି । ଏହା ସହ ପ୍ରିୟଙ୍କାଙ୍କୁ ଦଳର କାର୍ଯକାରୀ କମିଟିର ବୈଠକକୁ ଆମନ୍ତ୍ରଣ କରିବା ଲାଗି ଯୋଜନା କରାଯାଉଛି । ସୂତ୍ର ଅନୁସାରେ ଆଗାମୀ କିଛି ଦିନ ମଧ୍ୟରେ କଂଗ୍ରେସର କାର୍ଯ୍ୟକାରୀ ସମିତିର ବୈଠକ ଡକାଯିବ । ସେହି ବୈଠକ ମାଧ୍ୟମରେ ସେ ଦଳର କର୍ମକର୍ତ୍ତାଙ୍କ ସହିତ ପରିଚିତ ହେବେ ।
ଏ ସଂପର୍କରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ପ୍ରିୟଙ୍କା ତାଙ୍କୁ ମିଳିଥିବା ଦାୟିତ୍ୱ(ପୂର୍ବ ୟୁପିର)ରେ ସୀମିତ ରହିବେ ନାହିଁ । ସେ ୨୦୧୯ର ନିର୍ବାଚନରେ ଦେଶବ୍ୟାପୀ ପ୍ରଚାର କରିବେ । ଜଣେ ଏଆଇସିସିର ସାଧାରଣ ସଂପାଦକ ଜାତୀୟ ପ୍ରଚାର କମିଟିର ସଦସ୍ୟ ହୋଇଥାନ୍ତି । ତାଙ୍କୁ ଯେଉଁ ରାଜ୍ୟରେ ପ୍ରଚାର କରିବାକୁ କୁହାଯାଏ ସେ ପ୍ରଚାର କରିଥାନ୍ତି । ତେଣୁ ଯେଉଁଠାରେ ଆବଶ୍ୟକ ପଡ଼ିବ ସେଠାରେ ପ୍ରିୟଙ୍କା ପ୍ରଚାର କରିବେ ବୋଲି ସେ ଦର୍ଶାଇଛନ୍ତି ।