ନୂଆଦିଲ୍ଲୀ ୨୮/୦୭: ବଲିଉଡ ହଲିଉଡ୍, ପ୍ରିୟଙ୍କା ଚୋପ୍ରାଙ୍କ ସବୁଠି ଅବାଧ ବିଚରଣ କହିଲେ ଚଳେ । ହିନ୍ଦୀ ଓ ଦକ୍ଷିଣୀ ସିନେମା ସହିତ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତିକ ସିରିଜ୍ ଓ ସିନେମାରେ କାମ କରିଛନ୍ତି ପ୍ରିୟଙ୍କା । ଇତିମଧ୍ୟରେ ‘ଦେଶୀ ଗର୍ଲ’ଙ୍କ ସଂପତ୍ତି ବି ବଢ଼ିଚାଲିଛି । ଗାୟକ ନିକ୍ ଜୋନାସଙ୍କୁ ବିବାହ କରିବା ପରଠାରୁ ପ୍ରିୟଙ୍କା ନ୍ୟୁୟର୍କର ବାସିନ୍ଦା । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ କରନ୍ତି ପ୍ରିୟଙ୍କା ଓ ନିକ୍ ଜୋନାସ । ୨୦୨୨ ମସିହାରେ ସେମାନଙ୍କ କୋଳକୁ ଆସେ ସେମାନଙ୍କ ପ୍ରଥମ ସନ୍ତାନ ମାଳତୀ ମେରି । କୁହାଯାଏ, ମନୋରଞ୍ଜନ ଦୁନିଆରେ ଅନ୍ୟତମ ଧନୀ ଯୋଡ଼ି ନିକ୍ ଓ ପ୍ରିୟଙ୍କା ।
ହିସାବ ଅନୁସାରେ, ସେମାନଙ୍କ ମିଳିତ ସଂପତ୍ତିର ପରିମାଣ ୧ ହଜାର ୨୫୦ କୋଟି ଟଙ୍କା । ୨୦୦୨ ମସିହାରେ ତାମିଲ ଫିଲ୍ମ ଜରିଆରେ ଅଭିନୟରେ ପାଦ ରଖିଥିଲେ ପ୍ରିୟଙ୍କା । ୨୦୦୩ ମସିହାରେ ବଲିଉଡ୍ରେ ତାଙ୍କର ପ୍ରବେଶ ହୁଏ । ‘ଫ୍ୟାଶନ୍’, ‘ବାଜିରାଓ ମସ୍ତାନି’ ବା ‘ଡନ୍’ ଭଳି ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଏବଂ ପୁରସ୍କୃତ ସିନେମାରେ ଅଭିନୟ କରିଛନ୍ତି ପ୍ରିୟଙ୍କା । ଭାରତରେ ଏହି ମୁହୂର୍ତ୍ତରେ ସର୍ବୋଚ୍ଚ ପାରିଶ୍ରମିକ ପାଉଥିବା ଅଭିନେତ୍ରୀଙ୍କ ମଧ୍ୟରୁ ସେ ଅନ୍ୟତମ । ମହେଶ ବାବୁଙ୍କ ସହିତ କରିବାକୁ ଯାଉଥିବା ସିନେମା ପାଇଁ ସେ କାଳେ ୩୦ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି ବୋଲି ଚର୍ଚ୍ଚା । ଆନ୍ତର୍ଜାତିକ ସିରିଜ୍ ‘ସିଟାଡେଲ୍’ରେ ସେ ଭାରତୀୟ ମୁଦ୍ରା ହିସାବରେ ୪୧ କୋଟି ଟଙ୍କା ପାରିଶ୍ରମିକ ପାଇଥିଲେ ବୋଲି ଶୁଣିବାକୁ ମିଳିଥିଲା ।
ଆହୁରି ପଢ଼ନ୍ତୁ...World Bank Freshwater Data: ବିଶ୍ୱ ବ୍ୟାଙ୍କର ନୂଆ ତଥ୍ୟ, ଏ ଦେଶରେ ନାହିଁ ଟୋପାଏ ବି ମଧୁର ଜଳ
ଅଭିନୟ ବ୍ୟତୀତ ବ୍ୟବସାୟୀ ଭାବରେ ବି ବେଶ୍ ଜଣାଶୁଣା ପ୍ରିୟଙ୍କା । ଅଳଙ୍କାର, ପ୍ରସାଧନୀ, ଫ୍ୟାଶନ୍ ଭଳି ଏକାଧିକ ବିଳାସବହୁଳ ସଂସ୍ଥାର ସେ ବ୍ରାଣ୍ଡ୍ ଆମ୍ବାସାଡର୍ । ଏକାଧିକ ପ୍ରତିବେଦନ ଅନୁସାରେ ପ୍ରିୟଙ୍କାଙ୍କ ନିଜସ୍ୱ ସଂପତ୍ତି ୫୮୩ କୋଟି ଟଙ୍କା । ୨୦୧୯ରେ ଲସ୍ ଆଞ୍ଜେଲସ୍ରେ ୨୦୦ ଲକ୍ଷ ଡଲାର୍ ବିନିମୟରେ ଏକ ବିଳାସବହୁଳ ଅଟ୍ଟାଳିକା କିଣିଥିଲେ ନିକ୍ ଓ ପ୍ରିୟଙ୍କା । ସମୀକ୍ଷକମାନଙ୍କ ମତରେ ସେମାନଙ୍କ ବିପୁଳ ସଂପତ୍ତି କେବଳ ‘ଷ୍ଟେଟସ୍ ସିମ୍ବଲ୍’ ନୁହେଁ, ବରଂ ଭବିଷ୍ୟତ ପାଇଁ ସୁନିଶ୍ଚିତ ବିନିଯୋଗ ।