ଭୁବନେଶ୍ଵର, ୨୮/୦୭ : କଟକ ନିକଟରେ ଫୁଲୁଛି ମହାନଦୀ ଓ କାଠଯୋଡି। କଟକର ମୁଣ୍ଡଳୀ ନିକଟରେ ଏବେ ପ୍ରତି ସେକେଣ୍ଡରେ ୬ ଲକ୍ଷ ୬୯ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀରେ ୧୦ଟି ଯାକ ଗେଟ୍ ଖୋଲା ରହିଛି। ବିପଦ ସଙ୍କେତ ୯୫.୦୫ ଫୁଟ ରହିଥିବା ବେଳେ, ଏବେ ଜଳସ୍ତର ୮୮.୨୦ ଫୁଟ ରହିଛି। ସେହିପରି ନରାଜ ବ୍ୟାରେଜ ଦେଇ କାଠଯୋଡ଼ି ନଦୀରେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୬ ହଜାର ୨୦୧ ଘନଫୁଟ ଜଳ ପ୍ରବାହିତ ହେଉଛି। ନରାଜ ବ୍ୟାରେଜର ସମସ୍ତ ୪୬ଟି ଯାକ ଗେଟ୍ ଖୋଲା ରଖାଯାଇଛି। ନରାଜଠାରେ ବିପଦ ସଙ୍କେତ ୨୬.୪୧ ମିଟର ରହିଥିବା ବେଳେ, ଏବେ ଜଳସ୍ତର ରହିଛି ୨୫.୭୫ ମିଟର।
ସେପଟେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ବଢୁଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ସାଳନ୍ଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ତିହିଡ଼ି ନିକଟସ୍ଥ ଦେଉଳାଠାରେ ସାଳନ୍ଦୀ ନଦୀରେ ଘାଇ ହୋଇଥିବା ବେଳେ, ବର୍ତ୍ତମାନ ସହରତଳି ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ଆଶଙ୍କା ବଢ଼ିଛି।
ସେହିପରି ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୮.୩୩ ମିଟର ଓ ସତର୍କ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ, ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୧୭.୨୦ ମିଟରରେ ପ୍ରବାହିତ ହେଉଛି। ନଦୀର ଉପରମୁଣ୍ଡ ଅର୍ଥାତ୍ କେନ୍ଦୁଝର, ଆନନ୍ଦପୁର ଓ ମୟୂରଭଞ୍ଜ ଅଞ୍ଚଳରେ ର୍ଷା ହେଉଥିବାରୁ ସ୍ଥିତି ଉପରେ ପ୍ରଶାସନ କଡ଼ା ନଜର ରଖିଛି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଏକର ଏକର ଚାଷଜମି ଜଳମଗ୍ନ ହୋଇଛି।
ଆହୁରି ପଢନ୍ତୁ- Heavy Rain : ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ୪ଜିଲ୍ଲାକୁ ଅରେଞ୍ଜ, ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ, ୬ ଜିଲ୍ଲାରେ ସ୍କୁଲ ଛୁଟି