ନୂଆଦିଲ୍ଲୀ ୨୮/୦୭: ମଧୁର ଜଳ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ପଦ । କିନ୍ତୁ ବିଶ୍ୱରେ ଏହାର ପହଞ୍ଚ ଅତ୍ୟନ୍ତ ସୀମିତ ଏବଂ ଅସମାନ ରୂପେ ଆବଣ୍ଟିତ । ଯଦିଓ ବିଶ୍ୱର କେବଳ ୧ ପ୍ରତିଶତ ମଧୁର ଜଳ ମାନବ ଉପଯୋଗ ନିମନ୍ତେ ଉପଲବ୍ଧ ହେଉଛି, କିଛି ଦେଶରେ ବ୍ୟାପକ ନଦୀ ପ୍ରଣାଳୀ, ହ୍ରଦ ଓ ବର୍ଷାଜଳ ପ୍ୟାଟର୍ନ ରହିଛି, ଯାହା ପ୍ରଚୁର ନବୀକରଣଯୋଗ୍ୟ ଜଳ ପ୍ରଦାନ କରୁଛନ୍ତି । ଅନ୍ୟ ରାଷ୍ଟ୍ର ସୀମିତ ଭୂତଳ ଜଳ, ଜଳରୁ ଲବଣ ଅପସାରଣ କିମ୍ବା ସ୍ଥାନୀୟ ଜଳ ସମ୍ପଦ ଉପରେ ଚାପ ଭୟରେ ଆମଦାନି ଖାଦ୍ୟ ଓ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି । ଏହି ତଥ୍ୟ ୨୦୨୨ରେ ମୁଣ୍ଡପିଛା ହିସାବରେ ସର୍ବନିମ୍ନ ପୁନଃନବୀକରଣଯୋଗ୍ୟ ମଧୁର ଜଳ ସମ୍ପଦ ବ୍ୟବହାର କରୁଥିବା ଦେଶମାନଙ୍କୁ ତାଲିକାଭୁକ୍ତ କରିଛି । ଏହା ଜୁଲାଇ ୨୦୨୬ ସୁଦ୍ଧା ଉପଲବ୍ଧ ସଦ୍ୟତମ ତଥ୍ୟ । ‘ଆୱାର ୱର୍ଲଡ ଇନ୍ ଡାଟା’ ମାଧ୍ୟମରେ ବିଶ୍ୱ ବ୍ୟାଙ୍କ ତରଫରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ମୁଣ୍ଡପିଛା ପୁନଃନବୀକରଣଯୋଗ୍ୟ ଭୂତଳ ମଧୁର ଜଳ ସମ୍ପଦକୁ ଘନଫୁଟ ହିସାବରେ ମପାଯାଏ ।
ମୁଣ୍ଡପିଛା ସର୍ବନିମ୍ନ ପୁନଃନବୀକରଣଯୋଗ୍ୟ ଭୂତଳ ମଧୁରଜଳ ସମ୍ପଦ ଉପଯୋଗ କରୁଥିବା ଦେଶ ଭାବେ ପ୍ରଥମ ସ୍ଥାନରେ ଅଛି କୁଏତ । ଏଠାରେ ମଧୁରଜଳ ସମ୍ପଦ ଆପାତତଃ ନାହିଁ । କୁଏତରେ ନଦୀ କିମ୍ବା ହ୍ରଦ ନାହିଁ । ପାନୀୟ ଜଳ ଆବଶ୍ୟକତା ପୂରଣ ଲାଗି ସମୁଦ୍ରଜଳରୁ ଲବଣ ଅପସାରଣ ଉପରେ ଏହା ପୂର୍ଣ୍ଣ ନିର୍ଭରଶୀଳ । ମୁଣ୍ଡପିଛା ମାତ୍ର ୯୩ ଘନଫୁଟ ମଧୁରଜଳ ସମ୍ପଦ ସହିତ ୨ୟ ସ୍ଥାନରେ ଅଛି ବାହାରିନ । ତାଲିକାରେ ପ୍ରଥମ ଆଫ୍ରିକୀୟ ଦେଶ ରୂପେ ୩ୟ ସ୍ଥାନରେ ଅଛି ଇଜିପ୍ଟ । ନାଇଲ ନଦୀ ଏହା ମଧ୍ୟଦେଇ ପ୍ରବାହିତ ହେଉଥିବା ସତ୍ତେ୍ୱ ଏହାର ମୁଣ୍ଡପିଛା ମଧୁରଜଳ ସମ୍ପଦ ୩୧୪ ଘନଫୁଟ ।
ଏ ଦେଶ ଓ ମୁଣ୍ଡପିଛା ୧୯୦,୭୦୦ ଘନଫୁଟର ବୈଶ୍ୱିକ ହାରାହାରି ମଧ୍ୟରେ ତାରତମ୍ୟ ବହୁତ ଅଧିକ ଅର୍ଥାତ୍ ବାହାରିନର ସ୍ତର ତୁଳନାରେ ୨୦୦୦ ଗୁଣରୁ ଅଧିକ । ତାଲିକାର ଉପରେ ରହିଛି ମଧ୍ୟପ୍ରାଚ୍ୟ । ୨୦ରୁ ୭ ମଧ୍ୟପ୍ରାଚ୍ୟ ଦେଶର ମୁଣ୍ଡପିଛା ମଧୁର ଜଳସମ୍ପଦ ଉପଯୋଗ ସ୍ତର ସର୍ବନିମ୍ନ । କୁଏତ ଓ ବାହାରିନ ସମେତ ଏମାନେ ହେଲେ ସଂଯୁକ୍ତ ଆରବ ଏମିରେଟ୍ସ, କାତାର, ୟେମେନ, ଜୋର୍ଡାନ ଓ ସାଉଦି ଆରବ । ବିଶ୍ୱର ସବୁଠୁ ଶୁଷ୍କ ଦେଶ ମଧ୍ୟରେ ଅନେକ ସୀମିତ ବର୍ଷାଜଳ ଓ ସ୍ୱଳ୍ପ ସ୍ଥାୟୀ ପୃଷ୍ଠଜଳ ସମ୍ପଦର ସମ୍ମୁଖୀନ ହେଉଛନ୍ତି । ଉକ୍ତ କ୍ଷେତ୍ରମାନଙ୍କର ଭିତ୍ତିଭୂମି ନିମନ୍ତେ ଲବଣ ଅପସାରଣ ଓ ଜଳ ପରିଚାଳନା କାହିଁକି ଗୁରୁତ୍ୱପୂର୍ଣ୍ଣ ଏଥିରୁ ଜାଣିବା ସହଜ ହୁଏ । ଅନେକ ମଧ୍ୟପ୍ରାଚ୍ୟ ଦେଶ ପାଇଁ ଏହା ଜଳ ନିରାପତ୍ତା ଟେକ୍ନୋଲୋଜି, ଆମଦାନି ଓ ସଂରକ୍ଷଣ ଉପରେ ବ୍ୟାପକ ରୂପେ ନିର୍ଭର କରେ । ମୁଣ୍ଡପିଛା ସର୍ବନିମ୍ନ ମଧୁରଜଳ ପାଉଥିବା ଶୀର୍ଷ ୨୦ ଦେଶ ମଧ୍ୟରେ ୭ ଆଫ୍ରିକାର । ଏମାନେ ହେଲେ ଇଜିପ୍ଟ, ସୁଦାନ, ମରିସିଆନା, ଲିବ୍ୟା, ନାଇଜର, ଆଲଜେରିଆ ଓ ଜିବୁତି । ମୁଣ୍ଡପିଛା ସର୍ବନିମ୍ନ ମଧୁରଜଳ ସମ୍ପଦର ଉପଯୋଗ କରୁଥିବା ଏସୀୟ ଦେଶ ମଧ୍ୟରେ ମାଳଦ୍ୱୀପ, ସିଙ୍ଗାପୁର, ତୁର୍କମେନିସ୍ତାନ ଓ ପାକିସ୍ତାନ ତାଲିକାରେ ସ୍ଥାନ ପାଇଛି । ୧୬ତମ ସ୍ଥାନରେ ଥିଲେ ହେଁ, ତୁର୍କମେନିସ୍ତାନର ମୁଣ୍ଡପିଛା ଜଳ ଉପଯୋଗ ସର୍ବାଧିକ । କପା ଉଦ୍ୟୋଗ ଓ ବ୍ୟାପକ ଜଳସେଚନ ନିମନ୍ତେ ଅମୁ ଡାୟ୍ରା ନଦୀରୁ ଜଳ ନିଷ୍କାସନ ଏହାର କାରଣ ।
ଆହୁରି ପଢ଼ନ୍ତୁ...China J-20 stealth fighter : ଭାରତ ସୀମାରେ ୧୧ଟି J-20 ଫାଇଟର ଜେଟ୍ ମୁତୟନ କଲା ଚୀନ୍ , ସାଟେଲାଇଟ୍ ଫଟୋରୁ ବଢ଼ିଲା ଟେନସନ୍
ମୁଣ୍ଡପିଛା ମାତ୍ର ୩,୮୦୦ ଘନଫୁଟ ମଧୁର ଜଳ ପାଉଛି ସିଙ୍ଗାପୁର । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ତୁଳନାରେ ସୀମିତ ଭୂମି ଅଞ୍ଚଳ ଓ ସ୍ୱଳ୍ପ ଜଳ ସମ୍ପଦ ଏହାର କାରଣ । କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ମଧ୍ୟ ସୀମିତ ମଧୁରଜଳ ସମ୍ପଦଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାଲ୍ଟା ଏକମାତ୍ର ୟୁରୋପୀୟ ରାଷ୍ଟ୍ର, ଯାହା ମୁଣ୍ଡପିଛା ୩,୪୦୦ ଘନଫୁଟ ମଧୁରଜଳ ପହଞ୍ଚ ସହିତ ୧୨ତମ ସ୍ଥାନରେ ଅଛି । ଅନ୍ୟପକ୍ଷେ, ଆମେରିକୀୟ ରାଷ୍ଟ୍ରମାନଙ୍କର ଏକମାତ୍ର ପ୍ରତିନିଧି ବାର୍ବାଡୋସ ଶୀର୍ଷ ୨୦ ଦେଶ ମଧ୍ୟରେ ରହିଛି । ଏଠାରେ ପ୍ରତ୍ୟେକ ବ୍ୟକ୍ତି ୧୦ ହଜାର ଘନଫୁଟ ମଧୁରଜଳ ଉପଯୋଗ କରୁଛନ୍ତି । ତାଲିକାରେ ସ୍ଥାନୀତ ୨୦ ଦେଶ ମଧ୍ୟରେ ୧୫ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ନବୀକରଣଯୋଗ୍ୟ ଆଭ୍ୟନ୍ତର ମଧୁର ଜଳର ପହଞ୍ଚ ୫ ହଜାର ଘନଫୁଟରୁ କମ୍ । ସ୍ୱଳ୍ପ ମଧୁରଜଳ କେବଳ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ନୁହେଁ, ସୀମିତ ଚାଷ ଯୋଗୁ ଆର୍ଥିକ ବିକାଶରେ ମଧ୍ୟ ବାଧକ । ଜଳ ସମ୍ପଦକୁ ନେଇ ଭୂରାଜନୈତିକ ଉତ୍ତେଜନାର ମଧ୍ୟ କାରଣ ହେଉଛି । ଜଳାଭାବ ସମସ୍ୟା କେବଳ ଦେଶମାନଙ୍କୁ ସୀମିତ ଜଳ ଯୋଗାଣ ମଧ୍ୟରେ ବନ୍ଧା ନୁହେଁ, ବରଂ ଜନସଂଖ୍ୟା, ଭୂଗୋଳ ଓ ଜଳବାୟୁ.. ଏ ସବୁ ସ୍ଥିର କରନ୍ତି- ମୁଣ୍ଡପିଛା କେତେ ପୁନଃନବୀକରଣଯୋଗ୍ୟ ମଧୁର ଜଳ ବର୍ତ୍ତମାନ ଉପଲବ୍ଧ ଏବଂ ଭବିଷ୍ୟତରେ ଜଳାଭାବ କେତେ ଉତ୍କଟ ହେବ ।