ନୂଆଦିଲ୍ଲୀ,୨୫/୧୦: କେରଳର ୱାୟନାଡ ଲୋକସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୧୨ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ।  ଏଥିରୁ ୪.୨୪ କୋଟିର ଅସ୍ଥାବର ଓ ୭.୭୪ କୋଟିର ସ୍ଥାବର  ସମ୍ପତ୍ତି ରହିଛି । ଶିମଲାର ଛରାବରେ ପ୍ରିୟଙ୍କାଙ୍କ ୧୨୦୦ ବର୍ଗଫୁଟ ଫାର୍ମ ହାଉସ୍ ରହିଛି। ଏହି ଘରର ବର୍ତ୍ତମାନର ବଜାର ମୂଲ୍ୟ ପ୍ରାୟ୫.୬୪ କୋଟି ଟଙ୍କା। ସେହିଭଳି କଂଗ୍ରେସ ମହାସଚିବ ପ୍ରିୟଙ୍କା  ନିଜ ସତ୍ୟପାଠରେ ସ୍ୱାମୀ ରବର୍ଟ ଭଦ୍ରାଙ୍କ ପାଖରେ ଥିବା  ସମ୍ପତ୍ତିର ତାଲିକା ବି ଦେଇଛନ୍ତି । ରବର୍ଟ ଭଦ୍ରାଙ୍କ ପାଖରେ  ୬୫.୫୪ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏଥିରେ ୩୭.୯  କୋଟି ଟଙ୍କାର ଅସ୍ଥାବର ଓ ୨୭.୬୪ କୋଟି ଟଙ୍କାର ସ୍ଥାବର  ସମ୍ପତ୍ତି ଅନ୍ତର୍ଭୁକ୍ତ ।

ପ୍ରିୟଙ୍କା ବୁଧବାର ନିଜ ନାମାଙ୍କନ ଦାଖଲ  ବେଳେ ଯେଉଁ ସତ୍ୟପାଠ ଦେଇଥିଲେ, ସେଥିରୁ ତାଙ୍କ  ସମ୍ପତ୍ତି ବାବଦ ତଥ୍ୟ ମିଳିଛି । ପ୍ରିୟଙ୍କାଙ୍କ ସତ୍ୟପାଠ ଉପରେ  ଗୁରୁବାର ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି,  ପ୍ରିୟଙ୍କାଙ୍କ ସତ୍ୟପାଠରେ ସ୍ୱାମୀ ରବର୍ଟଙ୍କ ସମ୍ପତ୍ତି ନେଇ ଭୁଲ ତଥ୍ୟ ଦିଆଯାଇଛି । ରବର୍ଟଙ୍କ ଆୟ କମ୍‌, କିନ୍ତୁ ଆୟକର  ବିଭାଗ ଅଧିକ ଟିକସ ଦାବି କରୁଛି । ଏଭଳି କେମିତି ସମ୍ଭବ  ହେବ? ରବର୍ଟ ଶିମଲାରେ ଘର କିଣିଛନ୍ତି । କିନ୍ତୁ ଏହି ଘରର  ମୂଲ୍ୟ ଯାହା ରହିଛି, ତାହାର ଏକଦଶମାଂଶ ସତ୍ୟପାଠରେ  ଦର୍ଶାଯାଇଛି । ଏହାର ଅର୍ଥ ଦେଖାଇବା ଦାନ୍ତ ଓ ଖାଇବା ଦାନ୍ତ  ଅଲଗା । ପ୍ରିୟଙ୍କା ମଧ୍ୟ ନିଜ ସମ୍ପତ୍ତି ବାବଦରେ ଭୁଲ ତଥ୍ୟ  ଦେଇଥିବା ସେ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ, ୱାୟନାଡ  ଆସନରେ ନଭେମ୍ବର ୧୩ରେ ମତଦାନ ହୋଇ ୨୩ରେ  ଫଳ ପ୍ରକାଶ ପାଇବ । ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ିବା  ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି।