PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସୋନଭଦ୍ର ଗୁଳିକାଣ୍ଡ; ଗସ୍ତ ବେଳେ ପ୍ରିୟଙ୍କା ଅଟକ

ଲକ୍ଷ୍ନୌ ୨୦/୭(ଏଜେନ୍ସି): ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲା ଉଭା ଗ୍ରାମରେ ଗତ ବୁଧବାର ଜମି ବିବାଦକୁ ନେଇ ୧୦ ଜଣ ଆଦିବାସୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଆଜି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସେହି ଗ୍ରାମକୁ ଗସ୍ତରେ ଯାଉଥିଲା ବେଳେ ବାଟରେ ତାଙ୍କୁ ପୁଲିସ ଅଟକାଇଥିଲା । ଏହାର ପ୍ରତିବାଦରେ ସେ ରାସ୍ତା ଉପରେ ଦଳୀୟ କର୍ମୀଙ୍କ ସହ ଧାରଣା ଦେଇଥିଲେ । ପରେ ପୁଲିସ ତାଙ୍କୁ ଅଟକ ରଖିଛି ।

ପ୍ରିୟଙ୍କା ଆଜି ପ୍ରଥମେ ବାରାଣସୀରେ ପହଞ୍ଚିଥିଲେ । ସେଠାକାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଥିଲେ । ଏହା ପରେ ଦଳୀୟ କର୍ମୀଙ୍କ ସହ ସେ ୮୦ କି.ମି. ଦୂର ଉଭା ଗ୍ରାମ ଅଭିମୁଖେ ବାହାରିଥିଲେ । ମିର୍ଜାପୁର ରୋଡ୍‌ର ନାରାୟଣପୁର ଥାନାଠାରେ ପୁଲିସ ତାଙ୍କୁ ଅଟକାଇଥିଲା । ଉଭା ଗ୍ରାମରେ ୧୪୪ ଧାରା ଜାରି ରହିଥିବାରୁ ଦଳୀୟ କର୍ମୀଙ୍କ ସହ ସେଠାକୁ ସେ ଯାଇପାରିବେ ନାହିଁ ବୋଲି ପୁଲିସ କହିଥିଲା । ଏହାର ପ୍ରତିବାଦରେ ପ୍ରିୟଙ୍କା ରାଜପଥ ଉପରେ ଧାରଣାରେ ବସିଥିଲେ । ତାଙ୍କ ସହିତ ଦଳୀୟ ନେତା ଓ କର୍ମୀମାନେ ମଧ୍ୟ ବସି ରହିଥିଲେ । କିଛି ସମୟ ପରେ ପୁଲିସ ତାଙ୍କୁ ସେଠାରୁ ଗାଡିରେ ନିକଟରେ ଥିବା ଚୁନାର ଗେଷ୍ଟହାଉସକୁ ନେଇ ଅଟକ ରଖିଥିଲା । ସେଠାରେ ମଧ୍ୟ ପ୍ରିୟଙ୍କା ଧାରଣାର ବସିଛନ୍ତି । ଗେଷ୍ଟ ହାଉସର ଆଲୋକ କାଟି ଦିଆଯାଇଛି । ତଥାପି ସେ ସେଠାରେ ବସି ରହିଛନ୍ତି ଏବଂ ପୀଡିତଙ୍କୁ ନଭେଟିବା ଯାଏ ଯିବେ ନାହିଁ ବୋଲି ଅଡି ବସିଛନ୍ତି।

ପ୍ରିୟଙ୍କା କହିଛନ୍ତି ସେ ଶାନ୍ତିପୂର୍ଣ୍ଣ ଭାବେ ପୀଡିତ ପରିବାରକୁ ଭେଟିବାକୁ ଯାଉଥିଲେ । ପୁଲିସ ତାଙ୍କୁ ଅଟକାଇ ଗିରଫ କରିଛି । ସେ ପୀଡିତ ପରିବାରକୁ ନଭେଟିବା ପର୍ଯ୍ୟନ୍ତ ଯିବେ ନାହିଁ । ଯଦି ୧୪୪ ଧାରା ଜାରି ରହିଛି ତେବେ ତାଙ୍କୁ ୩ ଜଣ ଲୋକଙ୍କ ସହିତ ପୀଡିତଙ୍କୁ ଭେଟିବା ଲାଗି ସୁଯୋଗ ଦେବା ସକାଶେ ସେ ପୁଲିସକୁ ଅନୁରୋଧ କରିଥିଲେ । ମାତ୍ର ପୁଲିସ ଶୁଣି ନଥିଲା । ଏପରିକି ସେ ପୁଲିସକୁ ୧୪୪ ଧାରା ଜାରି କରାଯାଇଥିବାର ଅର୍ଡର କପି ଦେଖାଇବାକୁ କହିଥିଲେ ମଧ୍ୟ ପୁଲିସ ଦେଖାଇପାରି ନଥିଲା ବୋଲି ପ୍ରିୟଙ୍କା କହିଛନ୍ତି ।ଏହି ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି ପ୍ରିୟଙ୍କାଙ୍କୁ ପୀଡିତ ପରିବାରକୁ ଭେଟିବାକୁ ଅନୁମତି ଦିଆଗଲା ନାହିଁ । ତାଙ୍କୁ ଏକତରଫା ଭାବେ ଗିରଫ କରାଗଲା । ଏହି ଘଟଣାରୁ ୟୁପି ସରକାର ନିଜକୁ ଅସୁରକ୍ଷିତ ମଣୁଥିବା ସ୍ପଷ୍ଟ ହୋଇଛି । ଗୁଳିକାଣ୍ଡ ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି ବୋଲି ବିରୋଧୀ କଂଗ୍ରେସ ସଦସ୍ୟମାନେ ଅଭିଯୋଗେ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଉଭା ଗ୍ରାମରେ ଥିବା ୩୬ ଏକର ଜମିରେ ଅନେକ ଗୋଣ୍ଡ ଆଦିବାସୀ ପରିବାର ବହୁପିଢ଼ି ଧରି ରହିଆସୁଥିଲା ବେଳେ ଗାଁ ମୁଖିଆ ଯଜ୍ଞ ଦତ୍ତ ସେହି ଜମିକୁ କବ୍‌ଜା କରିବାକୁ ଚାହୁଁଥିଲେ । ଯାହାକୁ ନେଇ ବହୁଦିନ ଧରି ବିବାଦ ଲାଗି ରହିଥିଲା । ବୁଧବାର ସେହି ଜମିକୁ ନେଇ ଗଣ୍ଡଗୋଳ ଘଟିବାରୁ ଗାଁ ମୁଖିଆ ଓ ତାଙ୍କ ସହିତ ଆସିଥିବା କିଛି ବ୍ୟକ୍ତି ଗୁଳିମାଡ଼ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୨୪ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପୁଲିସ ୭୮ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୨୪ ଜଣଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ଆଜି ଦିଲ୍ଲୀ କଂଗ୍ରେସ ପକ୍ଷରୁ ବିଜେପି ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚେନ୍ନାଇରେ ମଧ୍ୟ କଂଗ୍ରେସ କର୍ମୀମାନେ ଏହି ଘଟଣାକୁ ନେଇ ବିକ୍ଷୋଭ କରିଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ସେବାଦଳ ପକ୍ଷରୁ ପ୍ରିୟଙ୍କାଙ୍କ ଗିରଫଦାରୀର ଦୃଢ଼ ପ୍ରତିବାଦ କରାଯାଇଛି । ସେହିଭଳି କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି । ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ କହିଛନ୍ତି ପ୍ରିୟଙ୍କାଙ୍କୁ ଯେଭଳି ଭାବେ ଗିରଫ କରାଗଲା ତାହା ବେଆଇନ । ଏହି ଘଟଣାରେ ଦଳ ଦୃଢ଼ ପ୍ରତିବାଦ କରୁଛି । ବିଭିନ୍ନ ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ କରିବା ଲାଗି ପିସିସି ମୁଖ୍ୟ, ବିଧାୟକ ଦଳ ନେତା ଓ ମହାସଚିବଙ୍କୁ କୁହାଯାଇଛି । ଇତିମଧ୍ୟରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକ ସଂସଦୀୟ ଦଳ ଆସନ୍ତାକାଲି (ଶନିବାର) ଉଭା ଗ୍ରାମକୁ ଗସ୍ତରେ ଯିବ ବୋଲି ଜଣାପଡିଛି।

ସାଂସଦ ଡେରେକ ଓ’ବ୍ରିଏନଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧି ଦଳ ଶନିବାର ସକାଳେ ୯ଟା ୧୫ରେ ବାରାଣସୀ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେମାନେ ୧୨ଟା ୩୦ରେ ଉଭା ଗ୍ରାମକୁ ଯିବେ । ପୀଡିତ ପରିବାରକୁ ଭେଟି ସେହିଦିନ ସନ୍ଧ୍ୟା ସୁଦ୍ଧା ଫେରିଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ଦଳରେ ଡେରେକ୍‌ ଓ’ବ୍ରିଏନଙ୍କ ବ୍ୟତୀତ ସୁନୀଲ ମଣ୍ଡଳ, ଅବିର ରଞ୍ଜନ ବିଶ୍ୱାସ ଓ ଉମା ସରେନ ସାମିଲ ହେବେ ବୋଲି ଜଣାପଡିଛି ।