ବାଲେଶ୍ୱର ୧୭/୦୭: ଫକୀରମୋହନ ସ୍ୱୟଂଶାସିତ  ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଇଡି ଛାତ୍ରୀଙ୍କ ଆତ୍ମାହୁତି ଘଟଣା ଏବେ ଜାତୀୟସ୍ତରର ଖବର  ପାଲଟିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୃତ ପୀଡ଼ିତାଙ୍କ  ପରିବାର ଲୋକଙ୍କ ସହ କଥା ହୋଇ ସମବେନା ଜଣାଇଛନ୍ତି ।  ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ  ସହ ଥିବା ସେ କହିଛନ୍ତି ।

ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା  ଗାନ୍ଧୀ ଭଦ୍ରା ମଧ୍ୟ ମୁହଁ ଖୋଲିଛନ୍ତି । ନିଜ ଏକ୍ସ ହ୍ୟାଣ୍ଡଲରେ ଏଭଳି  ଦୁଃଖଦ ଘଟଣାକୁ ସେ ନିନ୍ଦା କରିଛନ୍ତି । ‘ଓଡ଼ିଶାର ଜଣେ ଝିଅ  ନ୍ୟାୟ ପାଇଁ ଲଢ଼ି ହାରି ଯାଇଛନ୍ତି । ନିଜ ସହିତ ହୋଇଥିବା  ଅତ୍ୟାଚାରକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ । ମାତ୍ର  ତାଙ୍କୁ ନ୍ୟାୟ ମିଳିବା ସ୍ଥାନରେ ଅପମାନ, ପ୍ରତାରଣା ମିଳିଲା । ଏହି ଦୁଇଗୁଣ ଅତ୍ୟାଚାର ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ଦିଲ୍ଲୀରୁ ୟୁପି, ମଣିପୁରରୁ ଓଡ଼ିଶା ପର୍ଯ୍ୟନ୍ତ ବିଜେପିର କେବଳ ଗୋଟିଏ ନିୟମ ଅଛି କି? ଅଭିଯୁକ୍ତଙ୍କ ସହିତ ଠିଆ  ହେବା, ପୀଡ଼ିତାଙ୍କୁ ହଇରାଣ କରିବା ଏବଂ ନ୍ୟାୟରେ ବାଧା  ସୃଷ୍ଟି କରିବା? 

ପ୍ରଧାନମନ୍ତ୍ରୀ, ଦେଶର ଅଧା ଜନସଂଖ୍ୟା କ'ଣ  ଏବେ ନ୍ୟାୟର ଆଶା ଛାଡ଼ି ଦେବା ଉଚିତ୍‌?' ବୋଲି ସେ  ଲେଖିଛନ୍ତି । ଆସନ୍ତା ସପ୍ତାହରେ ପ୍ରିୟଙ୍କା ଓଡ଼ିଶା ଆସିବା  ସମ୍ଭାବନା ଅଛି । ଏହି ଗସ୍ତରେ ସେ ବାଲେଶ୍ୱର ଆସିପାରନ୍ତି ।  ଏହି ଖବର ପ୍ରଚାର ହେବା ପରେ ବାଲେଶ୍ୱର କଂଗ୍ରେସ ଶିବିର  ଚଳଚଞ୍ଚଳ ହୋଇଉଠିଛି । 

ଜିଲ୍ଲା ସଂଯୋଜକ ସଞ୍ଜୀବ ଗିରି  କହିଛନ୍ତି, ଗଣମାଧ୍ୟମରୁ ଏଭଳି ଖବର ଶୁଣିବାକୁ ମିଳିଛି । ମାତ୍ର ବିଧିବଦ୍ଧ ଭାବେ ଏନେଇ ଦଳ ପକ୍ଷରୁ କୌଣସି ସୂଚନା ମିଳିନି । ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ କେବଳ ରାଜ୍ୟ କାହିଁଁକି  ବାଲେଶ୍ୱର ନେତାଙ୍କୁ ଅଧିକ ଉତ୍ସାହିତ କରିବ । ତାଙ୍କ ଗସ୍ତକୁ ସଫଳ କରିବା ପାଇଁ ଆମେ ଶତପ୍ରତିଶତ ଚେଷ୍ଟା କରିବୁ ।