PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଡିମେନ୍‌ସିୟାର କାରଣ ହୋଇପାରେ ପ୍ରକ୍ରିୟାକୃତ ଖାଦ୍ୟ, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ ୦୮/୧୨: ବ୍ୟସ୍ତବହୁଳ ଜୀବନକୁ ଅଧିକ ସହଜ କରିବା ପାଇଁ ଆମେ ଅତିମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟ ଯଥା- ଫ୍ରୋଜେନ୍‌ ପିଜ୍ଜା, ଫ୍ରେଞ୍ଚ୍‌ ଫ୍ରାଇଜ୍‌, ସୋଡା, ବର୍ଗର୍‌, କୁକିଜ୍‌, କେକ୍‌, ଡୋନଟ୍‌ ଆଦି ଖାଉଛୁ । କିନ୍ତୁ ଏକ ସଦ୍ୟ ଅଧ୍ୟୟନ ଅନୁସାରେ, ଯଦି ଅତିମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟରୁ ଆପଣ ଦୈନିକ କ୍ୟାଲୋରିର ୨୦ ପ୍ରତିଶତରୁ ଅଧିକ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ବୋଧ ଶକ୍ତିର ପତନ ଆଶଙ୍କା ଅଧିକ । ଏହି ମାତ୍ରା ଦିନକୁ ୨୦୦୦ କ୍ୟାଲୋରି ଖାଦ୍ୟରେ ପ୍ରାୟ ୪୦୦ କ୍ୟାଲୋରି ସହ ସମାନ ହେବ । ଗୋଟିଏ ଛୋଟ ଫ୍ରାଇଜ୍‌ ଓ ନିୟମିତ ଚିଜ୍‌ବର୍ଗର୍‌ ଅର୍ଡର୍‌ରେ ମୋଟ୍‌ ୫୩୦ କ୍ୟାଲୋରି ରହିଛି । ଅଧ୍ୟୟନ ଅନୁସାରେ, ସୂଚନା ପ୍ରସ୍ତୁତ କରିବାର ଦକ୍ଷତା ଏବଂ ନିଷ୍ପତ୍ତି ନେବାରେ ମସ୍ତିଷ୍କର ଏକ ଅଂଶ ସଂଶ୍ଳିଷ୍ଟ ଥାଏ, ଯାହାକୁ କାର୍ଯ୍ୟନିର୍ବାହୀ କାର୍ଯ୍ୟକଳାପ କୁହାଯାଏ । ଏ ପ୍ରକାର ଖାଦ୍ୟପେୟ ଦ୍ୱାରା ଉକ୍ତ ଅଂଶ ଗଭୀର ଭାବେ ପ୍ରଭାବିତ ହୋଇଥାଏ । ଜାମା ନ୍ୟୁରୋଲୋଜିରେ ଅଧ୍ୟୟନଟି ପ୍ରକାଶ ପାଇଛି ।

ବାସ୍ତବରେ, ଅଧିକ ଅତିମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟ ଖାଇଥିବା ମହିଳା ଓ ପୁରୁଷଙ୍କର ଧୀ ସମ୍ବନ୍ଧୀୟ ପତନ ହାର ୨୮ ପ୍ରତିଶତ ଦ୍ରୁତତର ଥିଲା । ଖୁବ୍‌ କମ୍‌ ଅତିମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟ ଖାଇଥିବା ଲୋକଙ୍କ ତୁଳନାରେ ସେମାନଙ୍କ କାର୍ଯ୍ୟନିର୍ବାହୀ କାର୍ଯ୍ୟକଳାପର ପତନ ୨୫ ପ୍ରତିଶତ ଦ୍ରୁତ ହ୍ରାରରେ ହୋଇଥିଲା । ପ୍ରିଭେଣ୍ଟିଭ୍‌ ଆଣ୍ଡ ଲାଇଫ୍‌ଷ୍ଟାଇଲ୍‌ ମେଡିସିନ୍ସ ଆଣ୍ଡ ନ୍ୟୁଟ୍ରିସନ୍‌ର ବିଶେଷଜ୍ଞ ଡା. ଡେଭିଡ୍‌ କାଟ୍‌ଜ କହିଛନ୍ତି, ଅଧ୍ୟୟନରୁ ସ୍ପଷ୍ଟ ଯେ ଅତିମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟ ଆମ ମସ୍ତିଷ୍କ ପାଇଁ ଖରାପ ।

ଅଧ୍ୟୟନରେ ଏକ ମଜାଦାର ମୋଡ଼ ଆସିଥିଲା । ଯଦି ଲୋକଙ୍କ ମୋଟାମୋଟି ଖାଦ୍ୟପେୟର ଗୁଣବତ୍ତା ଭଲ, ଅର୍ଥାତ୍‌ ଯେଉଁମାନେ ପ୍ରଚୁର ମାତ୍ରାରେ ଅଣପ୍ରକ୍ରିୟାକୃତ ଯଥା- ତାଜା ଫଳ, ପରିବା, ଗୋଟା ଶସ୍ୟ ଓ ପ୍ରୋଟିନ୍‌ର ଉତ୍ତମ ସ୍ରୋତକୁ ଖାଦ୍ୟ ତାଲିକାରେ ସାମିଲ କରିଥିଲେ, ଅତିମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟ ଓ ଧୀ ସମ୍ବନ୍ଧୀୟ ପତନ ମଧ୍ୟରେ ସମ୍ପର୍କ ଆଦୌ ପରିଲକ୍ଷିତ ହୋଇନଥିଲା ବୋଲି କାଟ୍‌ଜ ସ୍ପଷ୍ଟ କରିଛନ୍ତି ।

ଖାଦ୍ୟ ଗୁଣବତ୍ତାକୁ ଅତିମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟ ନୀଚ୍ଚା କରେ । ତେଣୁ ଖାଦ୍ୟରେ ସେଗୁଡ଼ିକର ମାତ୍ରା ଅଧିକାଂଶ ମାମଲାରେ ଖରାପ ଖାଦ୍ୟ ଗୁଣବତ୍ତାକୁ ଇଙ୍ଗିତ କରେ ବୋଲି କାଟ୍‌ଜ କହିଛନ୍ତି । କିଛି ପ୍ରତିଯୋଗୀ ଏହି ମାମଲାକୁ ସମ୍ଭାଳି ନେଇଥିଲେ । ଖାଦ୍ୟ ଗୁଣବତ୍ତା ଯେତେବେଳେ ଭଲ ଥିଲା, ଅତି ପ୍ରକ୍ରିୟାକୃତ ଖାଦ୍ୟ ଓ ମସ୍ତିଷ୍କ କାର୍ଯ୍ୟକଳାପ ମଧ୍ୟରେ ସମ୍ପର୍କ ହ୍ରାସ ପାଇଥିଲା ।

ସାନ୍‌ ଡିଗୋଠାରେ ଆୟୋଜିତ ଅଲ୍‌ଝିମର୍ସ ଆସୋସିଏସନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ କନ୍‌ଫରେନ୍ସ-୨୦୨୨ରେ ଅଧ୍ୟୟନର ଫଳ ଉପସ୍ଥାପନ କରାଯାଇଥିଲା । ଦୀର୍ଘ ୧୦ ବର୍ଷ ଧରି ୧୦ ହଜାର ବ୍ରାଜିଲ ବାସିନ୍ଦାଙ୍କ ଉପରେ ଅଧ୍ୟୟନ କରାଯାଇଥିଲା । ଏଥିରେ ଅଧା ପ୍ରତିଯୋଗୀ ମହିଳା ଥିଲେ । ପ୍ରତିଯୋଗୀଙ୍କ ହାରାହାରି ବୟସ ଥିଲା ୫୧ ।

 ଅତିମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟ କେବଳ ବୋଧ ଶକ୍ତି ଉପରେ ପ୍ରଭାବ ପକାଏ ତାହା ନୁହେଁ, ମେଦବହୁଳତା, ହୃତ୍‌ପିଣ୍ଡ ସମସ୍ୟା, ମଧୁମେହ, କର୍କଟ ଓ ଆୟୁଷ ହ୍ରାସ ପାଇଁ ମଧ୍ୟ ଏହା ଦାୟୀ । ଆମର ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଏହା ଖରାପ ବୋଲି କାଟ୍‌ଜ କହିଛନ୍ତି । ଏହି ଖାଦ୍ୟରେ ଉଚ୍ଚ ମାତ୍ରାରେ ଶର୍କରା, ଲୁଣ ଓ ଫ୍ୟାଟ୍‌ ରହିଛି, ଯାହା ସମଗ୍ର ଶରୀରରେ ପ୍ରଦାହକୁ ପ୍ରୋତ୍ସାହିତ କରେ । ଏହା ଶରୀର ଓ ମସ୍ତିଷ୍କର ଆୟୁଷ ହ୍ରାସର ଏକ ପ୍ରମୁଖ ଚେତାବନୀ ବୋଲି ହାର୍ଭାର୍ଡ ମେଡିକାଲ ସ୍କୁଲ୍‌ର ନ୍ୟୁରୋଲୋଜି ପ୍ରଫେସର ଏବଂ ବୋଷ୍ଟନ୍‌ର ମାସାଚୁସେଟ୍ସ ଜେନେରାଲ ହସ୍‌ପିଟାଲର ଜେନେଟିକ୍ସ ଆଣ୍ଡ ଏଜିଂ ରିସର୍ଚ୍ଚର ନିର୍ଦ୍ଦେଶକ ଡା. ରୁଡି ତାନ୍‌ଜି କହିଛନ୍ତି ।