ଭୁବନେଶ୍ୱର,୨୮/୦୮: ଭାରତ ଏବଂ ପପୁଆ ନ୍ୟୁଗିନି (ପିଏନ୍ଜି)ର ପ୍ରଥମ ସହ ପ୍ରଡକ୍ସନ୍ ଫିଚର୍ ଫିଲ୍ମ ‘ପାପା ବୁକା’ ୨୦୨୬ର ୯୮ତମ ଏକାଡେମୀ ଆୱାର୍ଡରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍ ଫିଲ୍ମ ବର୍ଗରେ ପ୍ରବେଶ ପାଇଁ ଆନୁଷ୍ଠାନିକ ଭାବେ ଚୟନ ହୋଇଛି । ଅଫିସିଆଲ୍ ସିଲେକ୍ଟେଡ୍ ଲିଷ୍ଟରେ ଏହା ପ୍ରବେଶ କରିଛି । ପିଏନ୍ଜି ସରକାର ତଥା ଏନ୍ଏଏଫ୍ଏ ପ୍ରଡକ୍ସନ୍ସ ଏବଂ ଦୁଇଥର ଜାତୀୟ ପୁରସ୍କାର ଓ ୪୦ରୁ ଅଧିକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଓଡ଼ିଶାର ବିଶିଷ୍ଟ ସିନେ ନିର୍ମାତା ଅକ୍ଷୟ କୁମାର ପରିଜା ଏହାର ପ୍ରଯୋଜନା କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ତିନିଥର ଜାତୀୟ ପୁରସ୍କାର ବିଜେତା ଡ. ବିଜୁକୁମାର ଦାମୋଦରନ୍ ।
ପିଏନ୍ଜିର ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ସହ ମିଶି ଏହି ଚଳଚ୍ଚିତ୍ରର ପ୍ରଯୋଜନା ଏକ ଐତିହାସିକ ଓ ସ୍ମରଣୀୟ କାର୍ଯ୍ୟ । ପ୍ରଥମ ଥର ଏଭଳି ପ୍ରୟାସରେ ଓସ୍କାରକୁ ଏଣ୍ଟ୍ରି କରିବା ସବୁଠୁ ବଡ଼ ସଫଳତା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପିଏନ୍ଜିରେ ଲଢ଼ିଥିବା ଭାରତୀୟ ଯବାନଙ୍କ କାହାଣୀ ଉପରେ ଆଧାରିତ ରହିଛି ‘ପାପା ବୁକା’ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗ୍ରାମି ପୁରସ୍କାର ବିଜେତା ପଦ୍ମଶ୍ରୀ ରିକି କେଜ । ବଡ଼ କଥା ହେଲା ଏହି ସିନେମାକୁ ନେଇ ଓଡ଼ିଶା ଏବଂ ଓଡ଼ିଶାର ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିତ୍ୱ ଓ ଦର୍ଶକ ବେଶ୍ ଖୁସି । କାରଣ ଏହାର ସହ ପ୍ରଯୋଜନାରେ ରହିଛନ୍ତି ଶ୍ରୀ ପରିଜା । ଯାହାଙ୍କୁ ଏହାର ଶ୍ରେୟ ଯିବ । ପୂର୍ବରୁ ତାଙ୍କ ଦ୍ୱାରା ନିର୍ମିତ ଅନେକ ସିନେମା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ବିଶ୍ୱସ୍ତରରେ ପରିଚିତ କରାଇଛି କିନ୍ତୁ ଏଥର ଏହି ଯୁଗାନ୍ତକାରୀ ସହ ପ୍ରଯୋଜନା କେବଳ ଓଡ଼ିଆଙ୍କ ପାଇଁ ଗୌରବ ନୁହେଁ, ବରଂ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ପ୍ରଯୋଜନା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ଭାବେ ଉପସ୍ଥାପିତ କରିଛି ।
ସର୍ବଭାରତୀୟ ସିନେମା ‘ଲଗାନ୍', ‘ମଦର ଇଣ୍ଡିଆ', ‘ସଲାମ୍ ବମ୍ବେ' ଓସ୍କାରର ଫାଇନାଲ୍ ସର୍ଟ ଲିଷ୍ଟରେ ସ୍ଥାନ ପାଇଥିଲା । କିନ୍ତୁ ଏବେ ‘ପାପା ବୁକା' ସହିତ ଓଡ଼ିଶା ଓସ୍କାର ଦୌଡ଼ରେ ରହିଛି । ଏନେଇ ଶ୍ରୀ ପରିଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ବିଦେଶୀ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମର ଓସ୍କାରରେ ପ୍ରବେଶ ମୋର ସ୍ୱପ୍ନକୁ ସାକାର କରିଛି । ଆଗକୁ ସରକାରଙ୍କ ସହେଯାଗ ରହିଲେ ଆମେ ଏଥିରେ ନିଶ୍ଚୟ ସଫଳ ହେବା ।