ଭୁବନେଶ୍ୱର,୨୮/୦୮: ଭାରତ ଏବଂ ପପୁଆ ନ୍ୟୁଗିନି  (ପିଏନ୍‌ଜି)ର ପ୍ରଥମ ସହ ପ୍ରଡକ୍ସନ୍‌ ଫିଚର୍‌ ଫିଲ୍ମ ‘ପାପା ବୁକା’  ୨୦୨୬ର ୯୮ତମ ଏକାଡେମୀ ଆୱାର୍ଡରେ ଶ୍ରେଷ୍ଠ ଅନ୍ତର୍ଜାତୀୟ  ଫିଚର୍‌ ଫିଲ୍ମ ବର୍ଗରେ ପ୍ରବେଶ ପାଇଁ ଆନୁଷ୍ଠାନିକ ଭାବେ  ଚୟନ ହୋଇଛି । ଅଫିସିଆଲ୍‌  ସିଲେକ୍ଟେଡ୍‌ ଲିଷ୍ଟରେ ଏହା  ପ୍ରବେଶ କରିଛି । ପିଏନ୍‌ଜି  ସରକାର ତଥା ଏନ୍‌ଏଏଫ୍‌ଏ  ପ୍ରଡକ୍ସନ୍ସ ଏବଂ ଦୁଇଥର ଜାତୀୟ  ପୁରସ୍କାର ଓ ୪୦ରୁ ଅଧିକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଓଡ଼ିଶାର ବିଶିଷ୍ଟ ସିନେ ନିର୍ମାତା ଅକ୍ଷୟ କୁମାର ପରିଜା  ଏହାର ପ୍ରଯୋଜନା କରିଛନ୍ତି ।  ନିର୍ଦ୍ଦେଶନା ଦେଇଛନ୍ତି ତିନିଥର ଜାତୀୟ ପୁରସ୍କାର ବିଜେତା ଡ.  ବିଜୁକୁମାର ଦାମୋଦରନ୍‌ । 

ପିଏନ୍‌ଜିର ସ୍ୱାଧୀନତାର  ୫୦ ବର୍ଷ ପୂର୍ତ୍ତି ଅବସରରେ  ଭାରତ ସହ ମିଶି ଏହି  ଚଳଚ୍ଚିତ୍ରର ପ୍ରଯୋଜନା ଏକ  ଐତିହାସିକ ଓ ସ୍ମରଣୀୟ କାର୍ଯ୍ୟ ।  ପ୍ରଥମ ଥର ଏଭଳି ପ୍ରୟାସରେ ଓସ୍କାରକୁ ଏଣ୍ଟ୍ରି କରିବା ସବୁଠୁ  ବଡ଼ ସଫଳତା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପିଏନ୍‌ଜିରେ  ଲଢ଼ିଥିବା ଭାରତୀୟ ଯବାନଙ୍କ କାହାଣୀ ଉପରେ ଆଧାରିତ  ରହିଛି ‘ପାପା ବୁକା’ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ଗ୍ରାମି ପୁରସ୍କାର ବିଜେତା ପଦ୍ମଶ୍ରୀ ରିକି କେଜ । ବଡ଼ କଥା  ହେଲା ଏହି ସିନେମାକୁ ନେଇ ଓଡ଼ିଶା ଏବଂ ଓଡ଼ିଶାର ସିନେ  ଜଗତ ସହ ଜଡ଼ିତ ବ୍ୟକ୍ତିତ୍ୱ ଓ ଦର୍ଶକ ବେଶ୍‌ ଖୁସି । କାରଣ ଏହାର ସହ ପ୍ରଯୋଜନାରେ ରହିଛନ୍ତି ଶ୍ରୀ ପରିଜା । ଯାହାଙ୍କୁ ଏହାର ଶ୍ରେୟ ଯିବ । ପୂର୍ବରୁ ତାଙ୍କ  ଦ୍ୱାରା ନିର୍ମିତ ଅନେକ ସିନେମା  ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ବିଶ୍ୱସ୍ତରରେ ପରିଚିତ  କରାଇଛି କିନ୍ତୁ ଏଥର ଏହି ଯୁଗାନ୍ତକାରୀ ସହ ପ୍ରଯୋଜନା  କେବଳ ଓଡ଼ିଆଙ୍କ ପାଇଁ ଗୌରବ  ନୁହେଁ, ବରଂ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ପ୍ରଯୋଜନା ପାଇଁ ଏକ  ପ୍ରକୃଷ୍ଟ ସ୍ଥାନ ଭାବେ ଉପସ୍ଥାପିତ କରିଛି । 

ସର୍ବଭାରତୀୟ ସିନେମା  ‘ଲଗାନ୍‌', ‘ମଦର ଇଣ୍ଡିଆ',  ‘ସଲାମ୍‌ ବମ୍ବେ' ଓସ୍କାରର  ଫାଇନାଲ୍‌ ସର୍ଟ ଲିଷ୍ଟରେ ସ୍ଥାନ  ପାଇଥିଲା । କିନ୍ତୁ ଏବେ ‘ପାପା  ବୁକା' ସହିତ ଓଡ଼ିଶା ଓସ୍କାର  ଦୌଡ଼ରେ ରହିଛି । ଏନେଇ ଶ୍ରୀ  ପରିଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ  ପ୍ରଣାମ ଜଣାଇ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି,  ବିଦେଶୀ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମର ଓସ୍କାରରେ  ପ୍ରବେଶ ମୋର ସ୍ୱପ୍ନକୁ ସାକାର କରିଛି । ଆଗକୁ ସରକାରଙ୍କ  ସହେଯାଗ ରହିଲେ ଆମେ ଏଥିରେ ନିଶ୍ଚୟ ସଫଳ ହେବା ।