ଚିତ୍ରକୁଟରୁ ଅପହୃତ ୨ ଜାଆଁଳା ଭାଇଙ୍କ ମୃତଦେହ ଉଦ୍ଧାର, ଉତ୍ତେଜନା ପରେ ୧୪୪ ଜାରି

ସତନା,୨୪।୨: ମଧ୍ୟପ୍ରଦେଶର ସତନା ଜିଲ୍ଲାର ଚିତ୍ରକୁଟରୁ ୧୨ ଫେବୃଆରୀରେ ଅପହରଣ କରି ନେଇ ଯାଇଥିବା ଦୁଇ ଜାଆଁଳା ଭାଇ ଶ୍ରେୟାଶଂ ଏବଂ ପ୍ରିୟାଂଶର ହତ୍ୟା କରିଦିଆଯାଇଥିଲା। ହାତ-ପାଦ ବନ୍ଧା ଦୁଇ ପିଲାଙ୍କ ମୃତଦେହକୁ ଉତ୍ତରପ୍ରଦେଶର ବାନ୍ଦାର ଯମୁନା ନଦୀରୁ ୧୨ ଦିନ ପରେ ଗତ ଶନିବାର ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି। ପୋଲିସର କହିବା ଅନୁସାରେ ଅପହରଣକାରୀ ଦୁଇ କୋଟି ଟଙ୍କା ମାଗିଥିଲା। କିନ୍ତୁ ପରିବାର ଲୋକ ୨୦ ଲକ୍ଷ ଟଙ୍କା ଦେଇଥିଲେ। ୬ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଏହି ମାମଲା ଦୁଇଟି ରାଜ୍ୟ ସହିତ ଜଡିତ ଥିବାରୁ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଦୁଇ ଶିଶୁଙ୍କ ହତ୍ୟା କରାଯିବା ପରେ ଚିତ୍ରକୁଟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ଲୋକମାନେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି। ମୃତ ଦୁଇ ଶିଶୁ ୬ ବର୍ଷର ହୋଇଥିବା ବେଳେ ତାଙ୍କୁ ସ୍କୁଲରୁ ଅପହରଣ କରି ନିଆଯାଇଥିଲା। ପିଲାଙ୍କର ବାପା ପେଶାରେ ଜଣେ ତେଲ ବ୍ୟବସାୟୀ। ସ୍କୁଲ ଭିତରକୁ ବାଇକରେ ଆସିଥିବା ଦୁଇ ଯୁବକ ତାଙ୍କୁ ପିସ୍ତଲ ଦେଖାଇ ବସ୍ ରୋକି ଅପହରଣ କରିନେଇଥିଲେ। ଏହି ମାମଲାରେ ୬ଜଣଙ୍କୁ ଗିରଫ କରି ନିଆଯାଇଛି। ଚିତ୍ରକୁଟରେ ଉତ୍ୟକ୍ତ ଲୋକଙ୍କ ଉପଦ୍ରବ ପରେ ଏବେ ସେଠାରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ୧୫୦୦ ଯବାନଙ୍କୁ ଏବେ ସେଠାରେ ମୁତୟନ କରାଯାଇଛି।