ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଜାତୀୟ ସଂଗଠନ ସିବିପିଆର୍ଓ ଏବଂ ଏଆଇବିଆର୍ଏଫ୍ ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟସ୍ତରୀୟ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବ୍ୟାଙ୍କର ୫୦୦ରୁ ଅଧିକ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଯୋଗଦେଇ ସ୍ଲୋଗାନ ଓ ପ୍ରଚାର ପତ୍ର ଜରିଆରେ ନିଜର ଦାବିକୁ ଅବଗତ କରିଥିଲେ । ସେହିଭଳି ଉଭୟ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ୧୨ଦଫା ଦାବି ମଧ୍ୟରେ ପେନ୍ସନ୍ ସଂଶୋଧନ, ପାରିବାରିକ ପେନ୍ସନ୍ ବୃଦ୍ଧି ସମେତ ଅନ୍ୟ କର୍ମଚାରୀଙ୍କ ଭଳି ପେନ୍ସନ୍ଭୋଗୀଙ୍କୁ ସମାନ ହାରରେ ମହଙ୍ଗା ଭତ୍ତା ପ୍ରଦାନ, ଏସ୍ବିଆଇର ପେନ୍ସନ୍ଧାରୀଙ୍କୁ ଅନ୍ୟ ବ୍ୟାଙ୍କ ଭଳି ମୂଳ ବେତନର ୫୦ଧ ପେନ୍ସନ୍ ଆଦି ରହିଛି । ସିବିପିଆର୍ଓ ଏବଂ ଏଆଇବିଆର୍ଏଫ୍ ଡାକରାରେ ସାରା ଦେଶରେ ବିକ୍ଷୋଭ, ଗଣଧାରଣା ବଡ଼ ବଡ଼ ସହରରେ ଓ ରାଜ୍ୟ ରାଜଧାନୀରେ ପାଳନ କରାଯାଉଛି । ଯଦି କେନ୍ଦ୍ର ସରକାର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଏହି ଦାବିର ସମାଧାନ ନ କରନ୍ତି ଆଗାମୀ ଦିନରେ ଏ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସିବିପିଆର୍ଓର ଯୁଗ୍ମ ଆବାହକ ଉପେନ୍ଦ୍ର କୁମାର ଦାଶ, ନିରଞ୍ଜନ ଯୋଗାଣିଆ ଓ ଏଆଇବିଆର୍ଏଫ୍ର ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...